୫୦୦୦ କୋଟିର ବ୍ୟବସାୟ ଠପ୍:୧୨୦୦ କୋଟିର ବ୍ୟାଙ୍କିଙ୍ଗ କାରବାର ପ୍ରଭାବିତ

Spread the love

ଭୁବନେଶ୍ବର,, ୯/୧ (ସନ୍ଧାନ ନିୟୁଜ) : କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକର ଡାକରାରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ବନ୍ଦର ଜବରଦସ୍ତ ପ୍ରଭାବ ଅର୍ଥନୀତି ଉପରେ ପଡ଼ିଛି। ପ୍ରଥମ ଦିନରେ ବ୍ୟାଙ୍କ, ବୀମା କାଯ୍ୟାଳୟ, ପେଟ୍ରୋଲ ପମ୍ପ, ଦୋକାନ ବଜାର, ଗାଡ଼ି ମୋଟର ଆଦି ବନ୍ଦ ରହିବା ଯୋଗୁ ଓଡ଼ିଶାରେ ଆଜି ଗୋଟିଏ ଦିନରେ ଅଢ଼େଇ ହଜାର କୋଟି ଟଙ୍କାର କାରବାର ଠପ ହୋଇଯାଇଛି। ସେହିଭଳି ବୁଧବାର ବନ୍ଦ ଯୋଗୁ ମଧ୍ୟ ଓଡ଼ିଶାରେ ସମାନ ପରିମାଣର ଆର୍ଥିକ କାରବାର ପ୍ରଭାବିତ ହେବ। ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୫୦୦୦ କୋଟି ଟଙ୍କାର କାରବାର ପ୍ରଭାବିତ ହେବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଆକଳନ କରିଛନ୍ତି।
ତାଙ୍କ କହିବାନୁଯାୟୀ ଦୋକାନ ବଜାର ଆଦି ବନ୍ଦ ଯୋଗୁ ‌ଦିନକୁ ଦେଢ଼ ହଜାର କୋଟି ଏବଂ ଟ୍ରକ୍ ଓ ବସ୍ ବନ୍ଦ ଯୋଗୁ ୧୦୦୦ କୋଟି ଟଙ୍କାର ବ୍ୟବସାୟ ହୋଇପାରି ନାହିଁ। ଅନ୍ୟପକ୍ଷରେ ଏହି ଧର୍ମଘଟରେ ଆଜି ରାଜ୍ୟରେ ସରକାରୀ ବ୍ୟାଙ୍କ ସମେତ କେତେକ ଘରୋଇ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଓ ଗ୍ରାମ୍ୟ ବ୍ୟାଙ୍କ ଗୁଡ଼ିକର ଶାଖା ବନ୍ଦ ରହିଥିଲା। ଏଆଇବିଇଏ ଓ ବେଫିର ସଦସ୍ୟମାନେ ଏହି ଧର୍ମଘଟରେ ସାମିଲ ହୋଇଥିଲେ। ଏମାନେ ପିକେଟିଂ କରି ଖୋଲା ଥିବା ବ୍ୟାଙ୍କ ଗୁଡ଼ିକୁ ମଧ୍ୟ ବନ୍ଦ କରିଦେଇଥିଲେ। ଫଳରେ ରାଜ୍ୟରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଭୂଶୁଡ଼ି ପଡ଼ିଛି ବୋଲି ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପି. କେ ତ୍ରିପାଠୀ କହିଛନ୍ତି। ଜମାଠାରୁ ଆରମ୍ଭ କରି ଚେକ୍ କ୍ଲିୟରିଂ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସେବା ପ୍ରଭାବିତ ହୋଇଛି।
୧୦୦ କୋଟିର ତେଲ ବିକ୍ରି ବନ୍ଦ
ବନ୍ଦ ଯୋଗୁ ଆଜି ରାଜ୍ୟରେ ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ ରହିଥିଲା। ଅପରାହ୍ଣରେ ମାଲିକମାନେ ପେଟ୍ରୋଲ ପମ୍ପ ଖୋଲିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ପିକେଟିଂ କରାଯାଇ ତାହାକୁ ବନ୍ଦ କରି ଦିଆଯାଇଥିଲା। ତେଣୁ ଆଜି ଗୋଟିଏ ଦିନରେ ପେଟ୍ରୋଲ ପମ୍ପ ଗୁଡ଼ିକର ରାଜ୍ୟରେ ପ୍ରାୟ ୪୮ରୁ ୫୦ କୋଟି ଟଙ୍କାର ବିକ୍ରି ବନ୍ଦ ହୋଇଯାଇଛି। ଆସନ୍ତାକାଲି ଏହା ଅବ୍ୟାହତ ରହିଲେ ଦୁଇ ଦିନରେ ରାଜ୍ୟରେ ‌୧୦୦ କୋଟି ଟଙ୍କାର ପେଟ୍ରୋଲ ଓ ଡିଜେଲ ବିକ୍ରି ବନ୍ଦ ହୋଇଯିବ ବୋଲି ଜଣାଯାଇଛି।

 

Related Posts

About The Author

Add Comment