କଳିଙ୍ଗନଗର, ୧୫/୦୩/(ସନ୍ଧାନ ନ୍ୟୁଜ)ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଗତକାଲି ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀର ବନ୍ୟା ପ୍ରତିବର୍ଷ ଭୟାବହ ପରିସ୍ଥିତି ସୃଷ୍ଟି କରୁଥିଲା। କିନ୍ତୁ ରେଙ୍ଗାଲି ଡ୍ୟାମ ନିର୍ମାଣ ପରେ ବନ୍ୟା ନିୟନ୍ତ୍ରଣରେ ବଡ଼ ସଫଳତା ମିଳିଥିବା ବେଳେ ଏହା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ପ୍ରକଳ୍ପ ଭାବେ ପରିଚିତ।
ରେଙ୍ଗାଲି ଡ୍ୟାମ ରୁ ପ୍ରାୟ ୨୫୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳେ ବାମ କେନାଲ ମାଧ୍ୟମରେ ୧୫ ମେଗାୱାଟ୍ ଅତିରିକ୍ତ ବିଦ୍ୟୁତ୍ ଉତ୍ପାଦନ ହେଉଛି। ସେଥିପାଇଁ ଏହି ପ୍ରକଳ୍ପ କୃଷିକ୍ଷେତ୍ରରେ ସେଚ୍ଛା ସୁବିଧା ବଢ଼ାଇବାରେ ମଧ୍ୟ ଗୁରୁତ୍ୱ ରଖିଛି।
ବର୍ତ୍ତମାନ ରେଙ୍ଗାଲି ବାମ କେନାଲ ପ୍ରକଳ୍ପର ୧୦୦.୪୯୦ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଛି, ଯାହା ଦ୍ୱାରା ଅନୁଗୋଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ପ୍ରାୟ ୬୯ ହଜାର ହେକ୍ଟର (୧ ଲକ୍ଷ ୭୦ ହଜାର ଏକର) ଜମିରେ ସେଚ୍ଛା ସୁବିଧା ମିଳୁଛି।
ପରବର୍ତ୍ତୀ ପର୍ଯ୍ୟାୟରେ ଏହି କେନାଲକୁ ଆହୁରି ବିସ୍ତାର କରି ୩୬ ହଜାର ହେକ୍ଟର (୮୯ ହଜାର ଏକର) ଜମିକୁ ସେଚ୍ଛା ସୁବିଧା ଯୋଗାଇବା ପାଇଁ ଯୋଜନା ରହିଛି। ଏହା ମାଧ୍ୟମରେ ଯାଜପୁର ଜିଲ୍ଲାର ୨୬୦ଟି ଗ୍ରାମ ଓ କେନ୍ଦୁଝର ଜିଲ୍ଲାର ୪୦ଟି ଗ୍ରାମ ସିଧାସଳଖ ଭାବେ ଲାଭାନ୍ୱିତ ହେବେ।
ଏହି ବିଶାଳ ପ୍ରକଳ୍ପ ପାଇଁ ସରକାର ପୂର୍ବରୁ ବିଶ୍ୱବ୍ୟାଙ୍କ୍ ଉପରେ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ଜାପାନ ଆନ୍ତର୍ଜାତୀୟ ସହଯୋଗ ସଂସ୍ଥା (JICA) ମାଧ୍ୟମରେ ଆର୍ଥିକ ସହଯୋଗରେ କାମକୁ ସମାପ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି।
କିନ୍ତୁ ଏହି ଉନ୍ନତିମୂଳକ ପ୍ରକଳ୍ପକୁ କିଛି ଲୋକଙ୍କ ଦ୍ୱାରା ବାଧା ସୃଷ୍ଟି ହେଉଥିବା ଅଭିଯୋଗ ଉଠିଛି। ସୂଚନା ଅନୁଯାୟୀ, ଶୁଲିଆ ଗ୍ରାମରେ କିଛି ଦଲାଲ ସରକାରୀ ଜମିରେ କେନାଲ କାର୍ଯ୍ୟକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଫଳରେ ପ୍ରକଳ୍ପର କାମ ଦେରି ହେଉଥିବା ସହିତ ପ୍ରାୟ ୪୦୦ ଗ୍ରାମର ଉନ୍ନତି ଓ କୃଷକମାନଙ୍କ ଭବିଷ୍ୟତ ପ୍ରଶ୍ନଚିହ୍ନ ମଧ୍ୟରେ ପଡ଼ିଛି।
ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଯଦି ଗୋଟିଏ ଗ୍ରାମର କିଛି ଲୋକଙ୍କ ଦଲାଲି ମନୋଭାବ ଏତେ ବଡ଼ ପ୍ରକଳ୍ପକୁ ବାଧା ଦେଉଛି, ତାହା ନିଶ୍ଚୟ ଦୁଃଖଦ ଓ ଚିନ୍ତାଜନକ ବିଷୟ ବୋଲି ସାଧାରଣ ମହଳରେ ମତ ପ୍ରକାଶ ପାଇଛି।
ସ୍ଥାନୀୟ ଲୋକଙ୍କ ଦାବି ହେଉଛି ଯେ, ସରକାର ଏହି ଘଟଣାକୁ ଗୁରୁତ୍ୱ ସହିତ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରି ପ୍ରକଳ୍ପର କାମକୁ ସୁଚାରୁ ଭାବରେ ସମାପ୍ତ କରନ୍ତୁ। ଯାହାଦ୍ୱାରା ଶତାଧିକ ଗ୍ରାମର କୃଷକ ଓ ସାଧାରଣ ଲୋକମାନେ ଏହାର ଲାଭ ପାଇପାରିବେ।



