ଦୁବାଇ, ୪/୪ (ସନ୍ଧାନ ନିୟୁଜ): ଚଳିତ ବର୍ଷ ମେ ୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଆୟୋଜିତ ହେବ ବିଶ୍ବକପ୍ କ୍ରିକେଟ୍। ୫୦ ଓଭରିଆ ଏହି ବିଶ୍ବକପ୍ରେ ଏଥର ୧୦ ଦଳ ଭାଗ ନେବେ। ଆୟୋଜକ ଇଂଲଣ୍ଡ୍ ବ୍ୟତୀତ ଅନ୍ୟ ଦଳଗୁଡ଼ିକ ହେଲେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ୍, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ୱେଷ୍ଟଇଣ୍ଡିଜ୍ ଏବଂ ଆଫ୍ଗାନିସ୍ତାନ। ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ରାଉଣ୍ଡ୍ ରବିନ୍ ଫର୍ମାଟ୍ରେ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ମୋଟ ୪୫ ମ୍ୟାଚ୍ ଖେଳାଯିବା ପରେ ଶ୍ରେଷ୍ଠ ୪ ଦଳ ହିଁ ସେମିଫାଇନାଲ୍କୁ ଉନ୍ନୀତ ହେବେ। ହେଲେ ଏହି ବିଶ୍ବକପ୍ ପାଇଁ ପ୍ରତ୍ୟେକ ଦଳ ତା’ର ଚୂଡାନ୍ତ ୧୫ ଜଣିଆ ଖେଳାଳି ତାଲିକା ଚଳିତ ମାସ ୨୩ ତାରିଖ ସୁଦ୍ଧା ଘୋଷଣା କରିବାକୁ ଆଇସିସି ଧାର୍ଯ୍ୟ କରିଛି। ପୁଣି ଆହତ ସମସ୍ୟା ପାଇଁ ଘୋଷିତ ଦଳରେ ପରିବର୍ତନ ମେ ୨୩ ତାରିଖ ମଧ୍ୟରେ କରାଯାଇପାରିବ ବୋଲି ଆଇସିସି ସ୍ପଷ୍ଟ କରିଛି। ଏକ୍ଷେତ୍ରରେ ବୁଧବାର ପ୍ରଥମ ଦଳ ଭାବେ ନ୍ୟୁଜିଲାଣ୍ଡ୍ ଖେଳାଳି ତାଲିକା ଘୋଷଣା କରିସାରିଛି।
ଭାରତ ଆଗାମୀ ବିଶ୍ବକପ୍ରେ ଜୁନ୍ ୫ ତାରିଖ ଦିନ ଦକ୍ଷିଣ ଆଫ୍ରିକା ସହ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ଜୁନ୍ ୯ରେ ଅଷ୍ଟ୍ରେଲିଆ, ୧୩ରେ ନ୍ୟୁଜିଲାଣ୍ଡ୍, ୧୬ରେ ପାକିସ୍ତାନ, ୨୨ରେ ଆଫ୍ଗାନିସ୍ତାନ, ୨୭ରେ ୱେଷ୍ଟଇଣ୍ଡିଜ୍, ୩୦ରେ ଇଂଲଣ୍ଡ୍, ଜୁଲାଇ ୨ରେ ବାଂଲାଦେଶ ଓ ୬ରେ ଶ୍ରୀଲଙ୍କା ସହ ଖେଳି ଲିଗ୍ ପର୍ଯ୍ୟାୟ ଶେଷ କରିବ। ସମସ୍ତ ଲିଗ୍ ମ୍ୟାଚ୍ ଭାରତୀୟ ପ୍ରମାଣ ସମୟ ଅପରାହ୍ନ ୩ଟାରେ ଖେଳାଯିବ।
୨୩ ସୁଦ୍ଧା ବିଶ୍ବକପ୍ ଦଳ ଘୋଷଣା:ଜୁନ୍ ୫ରେ ଭାରତର ପ୍ରଥମ ମ୍ୟାଚ୍
|
April 4, 2019 |
![](https://sandhannews.com/wp-content/uploads/2019/04/ICC-Cricket-World-Cup.jpg)