୨୦୧୯-୨୦ ସାଧାରଣ ବଜେଟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Spread the love

ଭୁବନେଶ୍ୱର, ୬/୭ (ସନ୍ଧାନ ନିୟୁଜ ) ୨୦୧୯-୨୦ ସାଧାରଣ ବଜେଟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ବଜେଟ୍ ଚିରାଚରିତ , ଅନ୍ତଃସାର ଶୂନ୍ୟ, ସାଧାରଣ ଲୋକଙ୍କ ପାଇଁ ଏଥିରେ କିଛି ନାହିଁ ବୋଲି ଅତୀତରେ କହି ଆସୁଥିବା ନବୀନ ଏଥର ବଜେଟକୁ ପ୍ରଶଂସା କରିଛନ୍ତି । ନବୀନ କହିଛନ୍ତି ଯେ ବଜେଟରେ କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦି ଆଭିମୁଖ୍ୟ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ତେବେ ବଜେଟରେ ଘୋଷଣା କରାଯାଇଥିବା କାର୍ଯ୍ୟକ୍ରମ ପାଇଁ ପାଣ୍ଠି ବ୍ୟବସ୍ଥା ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ନବୀନ କହିଛନ୍ତି ।
ସ୍ୱାସ୍ଥ୍ୟ, ଶିକ୍ଷା, କୌଶଳ ବିକାଶ, ପାନୀୟ ଜଳ, ଜୀବିକା ମିଶନ, ମହିଳା ଓ ଶିଶୁ ବିକାଶ ଆଦି କ୍ଷେତ୍ରରେ ଅଧିକ ପରିମାଣର ପାଣ୍ଠି ବ୍ୟବସ୍ଥା ବଜେଟ୍ ରେ ହୋଇଥିବାରୁ ଏହାକୁ ନବୀନ ସ୍ୱାଗତ କରିଛନ୍ତି । ଅପରପକ୍ଷରେ ମନରେଗା, ଏସସି-ଏସ୍ ଟି କୋର ସ୍କିମ୍, ଏନଏସଏପି ପେନସନ ଯୋଜନା ଆଦି କ୍ଷେତ୍ରରେ ବ୍ୟୟ ବରାଦ ହ୍ରାସ ପାଇଥିବାରୁ  ସେ ଉଦବେଗ ପ୍ରକାଶ କରିଛନ୍ତି । ଓଡିଶା ପାଇଁ  ରେଳବାଇ କ୍ଷେତ୍ରରେ ଉପଯୁକ୍ତ ପାଣ୍ଠି ବଜେଟରେ ପ୍ରଦାନ କରାଯାଇଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିଛନ୍ତି । ତେବେ ଜାତୀୟ ରାଜପଥ ପାଇଁ ପାଣ୍ଠି କମିଯିବା ଯୋଗୁ  ସେ କହିଛନ୍ତି ଯେ  ଏହା ଦ୍ୱାରା ଆନ୍ତଃ ରାଜ୍ୟ ଯୋଗାଯୋଗ ପ୍ରଭାବିତ ହେବ ।
ବଜେଟରେ ପିଏମଜିଏସୱାଇ ମାଧ୍ୟମରେ ଗ୍ରାମାଞ୍ଚଳ ରାସ୍ତା, ପିଏମଏୱାଇ ମାଧ୍ୟମରେ ଗୃହ ଯୋଗାଣ, ସ୍ୱଚ୍ଛ ଭାରତ ମିଶନ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଏ ସବୁ ପାଇଁ ଆବଶ୍ୟକୀୟ ପାଣ୍ଠି ବ୍ୟବସ୍ଥାର ଆବଶ୍ୟକତା ରହିଛି । ନବୀନ କହିଛନ୍ତି ଯେ କାଳିଆ ଯୋଜନା ଭଳି କେନ୍ଦ୍ରର ପିଏମ କିଶାନ ଯୋଜନା ପାଇଁ ସରକାରୀ ସହାୟତା ଅଧିକ ହୋଇଥିଲେ ଭଲ ହୋଇଥାନ୍ତା। ଏଥିରେ ଭୂମିହୀନ ଶ୍ରମିକ ଓ ଭାଗଚାଷୀଙ୍କୁ ସାମିଲ କରିବା ଆବଶ୍ୟକ ଥିଲା । ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ସେସ୍ ଏବଂ ସରଚାର୍ଜ ଧାର୍ଯ୍ୟ କରାଯିବା ଦ୍ୱାରା ରାଜ୍ୟର ଆୟ ସଙ୍କୁଚିତ ହେବ ।

Related Posts

About The Author

Add Comment