୧୫ ଦିନରେ ଆମ୍ବୁଲାନ୍ସ ଚାଳକଙ୍କ ଆନ୍ଦୋଳନ ଚେତାବନୀ

Spread the love

ବାରିପଦା, ୦୮.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦାସ୍ଥିତ ମୁଖ୍ୟ ଚିକିତ୍ସାଳୟ ତଥା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ପ୍ରତ୍ୟହ ଦିବାରାତ୍ର ଶତାଧିକ ସଂଖ୍ୟାରେ ସମଗ୍ର ଜିଲ୍ଲାର ବିଭିନ୍ନ ଅଂଚଳରୁ ସଂକଟାପନ୍ନ ରୋଗୀଙ୍କ ସମେତ ଗୁରୁତ୍ୱ ପୂର୍ଣ୍ଣ ରୋଗୀଙ୍କୁ ଘରୋଇ ଓ ସରକାରୀ ଆମ୍ବୁଲାନ୍ସ ଯୋଗେ ଜରୁରୀକାଳୀନ ସେବା ପାଇଁ ଅଣାଯାଇଥାଏ । କିନ୍ତୁ ଏହି ଆମ୍ବୁଲାନ୍ସଗୁଡିକ ଚଳାଚଳ କରୁଥିବା ବାରିପଦା ସହରର ରାସ୍ତାପାର୍ଶ୍ଵରେ ମନଇଚ୍ଛା ଉଠାଦୋକାନୀଙ୍କ ସହିତ ରାସ୍ତା ଉପରେ ଗାଡିମାନ ପାର୍କ ହୋଇ ରହୁଥିବାରୁ ନାନା ସମସ୍ୟା ସହି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇବା ପାଇଁ ଆମ୍ବୁଲାନ୍ସ ଚାଳକଙ୍କୁ ବାଧ୍ୟ ହୋଇ ଆମ୍ବୁଲାନ୍ସ ଗାଡିର ଗତିକୁ ନିୟନ୍ତ୍ରଣ କରିବାକୁ ପଡୁଛି ବୋଲି ଆମ୍ବୁଲାନ୍ସ ଚାଳକଙ୍କ ପକ୍ଷରୁ ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରାଯାଇଛି । ତତ୍ସହିତ ଆମ୍ବୁଲାନ୍ସଙ୍କ ଚାଳକଙ୍କ ପକ୍ଷରୁ ମଧ୍ୟ ଦର୍ଶାଯାଇଛି ଯେ ଗତ ଅଗଷ୍ଟ ୨୦ ତାରିଖରେ ମୟୂରଭଞ୍ଜ ଜିଲାପାଳ ଏବଂ ମ୍ୟୁନିସିପାଲଟି ନିର୍ବାହୀ ଅଧୁକାରୀଙ୍କୁ ଏ ସଂପର୍କରେ ଦର୍ଶାଇଥିଲେ ସୁଦ୍ଧା ବେପରୁଆ ମନୋଭାବ ଯୋଗୁଁ କୌଣସି ସୁଦୃଢ ପଦକ୍ଷେପ  ଏପର୍ଯ୍ୟନ୍ତ ନିଆଯାଇ ନାହିଁ । ଏପରିକି କେବଳ ନାମକୁ ମାତ୍ର ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରି ନିଜ ଦାୟିତ୍ବ ତୁଲାଇ ଦିଆଯାଇଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଫଳରେ ଯେଉଁ ସମସ୍ୟାକୁ ସେହି ସମସ୍ୟା ସ୍ଥିର ହୋଇ ରହିଛି ବୋଲିଉଲ୍ଲେଖ କରାଯାଇଛି । ଏଣୁ ଏଥିପାଇଁ ବାରିପଦା ସହର ମଧ୍ୟରେ ଥିବା ଟିବି ଡାକ୍ତରଖାନାଠାରୁ ଏମଆରଆଇ-ସିଟି ସ୍କାନ କେନ୍ଦ୍ର ଛକ ପର୍ଯ୍ୟନ୍ତ ଏବଂ ସାତ ମହଲା ଡାକ୍ତରଖାନା ଠାରୁ ଏମକେସି ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଉଠାଦୋକାନୀ ମାନଙ୍କୁ ପୁନର୍ବାର ଉଠାଇବା ସହିତ ନୋ ପାର୍କି ଜୋନଭାବେ ଘୋଷଣା ସହ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ଆମ୍ବୁଲାନ୍ସ ଚାଳକମାନଙ୍କ ପକ୍ଷରୁ ଦୃଢ ଦାବି କରାଯାଉଛି । ଯଦି ଏହି ଦାବି ଅନୁଯାୟୀ ଆଗାମୀ ଦୁଇ ସପ୍ତାହ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତାହା ହେଲେ ଆମ୍ବୁଲାନ୍ସ ଚଳାଚଳ ବନ୍ଦ କରାଯିବା ସହିତ ଆନ୍ଦୋଳନ ପନ୍ଥା ଆପଣେଇବାକୁ ବାଧ୍ୟ ହେବେ ବୋଲି ଆମ୍ବୁଲାନ୍ସ ଚାଳକମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

 

Related Posts

About The Author

Add Comment