୧୧ ବର୍ଷୀୟ ହ୍ୟାକର ଇମେଲ୍‌ ହ୍ୟାକ୍‌ କରି ମାଗିଲା ୧୦ କୋଟି ଟଙ୍କା

Spread the love

ବାରିପଦା, 29.01.2021 (ସନ୍ଧାନ ନିଉଜ୍):- ୧୧ ବର୍ଷୀୟ ହ୍ୟାକର ! ବୟସ ମାତ୍ର ୧୧ ବର୍ଷ। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଛୋଟ ପିଲା। କିନ୍ତୁ ହ୍ୟାକିଂ ବିଦ୍ୟାରେ ନିପୁଣ। ନିଜର ବିଦ୍ୟାର ପରୀକ୍ଷା ପାଇଁ ହ୍ୟାକିଂ ଜାଲରେ ନିଜ ବାପାକୁ ଫସାଇଦେଲା। ଇମେଲ୍‌ ହ୍ୟାକ୍‌ କରି ମାଗିଲା ୧୦ କୋଟି ଟଙ୍କା। ଟଙ୍କା ଦିଅ ନହେଲେ ଅଶ୍ଳୀଳ ଫଟୋ ଭାଇରାଲ୍‌ କରିଦେବି ବୋଲି ମଧ୍ୟ ଧମକ ଦେଲା। ହ୍ୟାକରର ଧମକରେ ବାପା ଚିନ୍ତିତ ଥିବା ବେଳେ ପୁଅ  କିନ୍ତୁ ନଛୋଡ଼ବନ୍ଧା। ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି। ଗତ ସପ୍ତାହରେ ଗାଜିଆବାଦର ଜଣେ ବ୍ୟକ୍ତି ହ୍ୟାକିଂରେ ଶିକାର ହୋଇଥିବା ବେଳେ ଥାନାରେ ଦ୍ବାରସ୍ଥ ହୋଇଥିଲେ। ହ୍ୟାକର ତାଙ୍କ ପରିବାର ଉପରେ ନଜର ରଖୁଥିବା ନେଇ ବ୍ୟକ୍ତିଜଣଙ୍କ ଅଭିଯୋଗ କରିଥିଲେ। ଏହା ସହ ହ୍ୟାକର ତାଙ୍କର ଇମେଲ୍‌ ଆଇଡି ଓ ପାସଓ୍ବାର୍ଡ ହ୍ୟାକ୍‌ କରି ଧମକପୂର୍ଣ୍ଣ ଇମେଲ୍‌ ପଠାଉଥିବା ବି ଅଭିଯୋଗ କରିଥିଲେ। ୧୦ କୋଟି ଟଙ୍କା ନଦେଲେ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ କରିବାକୁ ବି ଇମେଲ୍‌ ମାଧ୍ୟମରେ ଧମକ ଆସୁଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ଏହି ମାମଲାରେ ପୋଲିସର ସାଇବର ସେଲ୍‌ ଯାଞ୍ଚ ଆରମ୍ଭ କରିଥିଲା। ଇମେଲ ପଠାଉଥିବା ବ୍ୟକ୍ତିଙ୍କ ଆଇପି ଆଡ୍ରେସ୍‌ ପାଇବା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପୀଡ଼ିତ ବ୍ୟକ୍ତିଙ୍କ ଘରେ ଥିବା ଆଇପି ଆଡ୍ରେସ୍‌ରୁ ହିଁ ଏହି ଇମେଲ୍‌ କରାଯାଇଥିଲା। ଅଭିଯୋଗକାରୀଙ୍କ ୧୧ ବର୍ଷୀୟ ପୁଅକୁ ପଚରା ଉଚରା କରିବା ପରେ ସେ ସତ ମାନିଥିଲା। ତେବେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ପିଲା କାହିଁକି ଏହି ଅପରାଧ କଲା ବୋଲି ପୋଲିସ ଯାଞ୍ଚ କରୁଛି। ସେପଟେ କିଛି ଦିନ ତଳେ ଏହି ପିଲାକୁ ସାଇବର କ୍ରାଇମ ସମ୍ବନ୍ଧରେ ପଢ଼ା ଯାଇଥିଲା। ଏହା ସହ ସାଇବର କ୍ରାଇମରୁ କେମିତି ବଞ୍ଚିବାକୁ ହେବ ସେନେଇ ତାକୁ ଶିକ୍ଷା ଦିଆଯାଇଥିଲା। ପରେ ଏହି ପିଲା ୟୁଟ୍ୟୁବରୁ ହ୍ୟାକିଂ ସମ୍ବନ୍ଧୀୟ ଅନେକ ଭିଡିଓ ଦେଖିଥିଲା। ୟୁଟ୍ୟୁବରୁ କିଛି ହ୍ୟାକିଂ ଟ୍ରିକ୍‌ ଶିଖିବା ପରେ ପିଲାଟି ନିଜ ବାପାଙ୍କ ଇମେଲ୍‌ ଆଇଡି ହ୍ୟାକ୍‌ କରିଥିଲା।

 

Related Posts

About The Author

Add Comment