ହାରିବା ଭୟରେ ମହିଳା ଦୁଷ୍କର୍ମକାରୀଙ୍କ ସୁରକ୍ଷାକାରୀ ନେତାଙ୍କୁ ଟିକେଟ୍ ଦେଉଛି ବିଜେଡି: ବିଜେପି

Spread the love

ଭୁବନେଶ୍ୱର, ୨/୪ (ସନ୍ଧାନ ନିଉଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ୩୩% ସଂରକ୍ଷଣ ଦେବା ସପକ୍ଷରେ ଯୁକ୍ତି ବାଢ଼ୁଥିବାବେଳେ ତାଙ୍କ ଦଳ ବିଜେଡି ଏବେ ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଉଥିବା ନେତାଙ୍କୁ ଦଳୀୟ ଟିକେଟ୍ ଦେଉଛି। ଏହା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଦୋମୁହାଁ ନୀତି ଓ ଅସଲ ଚେହେରାକୁ ପଦାରେ ପକାଇଛି ବୋଲି ବିଜେପି ଅଭିଯୋଗ କରିଛି।ରାଜ୍ୟ କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ବିଜେପି ରାଜ୍ୟ ସମ୍ପାଦକ ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ପିପିଲି ଧର୍ଷଣ ମାମଲାରେ ସମ୍ପୃକ୍ତି ଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବିଜେଡି ପିପିଲି ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଯେତେବେଳେ କ୍ରାଇମବ୍ରାଞ୍ଚ ଜାଣିଶୁଣି ପିପିଲି ଗଣଦୁର୍ଷ୍କମ ମାମଲାରେ ଦୋଷୀମାନଙ୍କୁ ସାହାଯ୍ୟ କରି ତଥ୍ୟ ପ୍ରମାଣ ଉପସ୍ଥାପନା ନକରି ଅଦାଲତରୁ ଖସାଇ ଦେଲା ସେତେବେଳେ ମନ୍ତ୍ରୀ ଶ୍ରୀ ମହାରଥୀ ବାବୁ ସତ୍ୟର ଜୟ ହୋଇଛି ବୋଲି କହିଥିଲେ। ବିଧାନସଭା ଭିତରେ ପ୍ରଦୀପ ମହାରଥୀ ବିଜେପିର ମହିଳା ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଅଶାଳୀନ ମନ୍ତ୍ୟବ ଦେଇଥିଲେ ଯାହା ସଭ୍ୟ ସମାଜରେ କେହି କାହାକୁ କହିପାରିବେ ନାହିଁ। ଏକ ସାଧାରଣ ସଭାରେ ପ୍ରଦୀପ ମହାରଥୀ ବୁଲେଟ୍ ଟ୍ରେନ ଉପରେ ଭାଷଣ ଦେଉଥିଲା ବେଳେ ଅଶାଳୀନ ମନ୍ତବ୍ୟ ଦେଇଥିଲେ।

ଯେଉଁ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କଥା ଉଠାଇଥିଲେ ସେ କିପରି ଭାବେ ମହିଳାଙ୍କ ପ୍ରତି ଏଭଳି କଦର୍ଯ୍ୟ ମନୋଭାବ ରଖିଥିବା ତଥା ଅସମ୍ମାନିତ କରୁଥିବା ବ୍ୟକ୍ତିଙ୍କୁ ଟିକେଟ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ନବୀନ ମହିଳାଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓ ଭୋଟ୍ ପାଇଁ ବାୟା ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ମହିଳା ମାର୍ଶଲଙ୍କୁ ଅସଦାଚରଣର ଅଭିଯୋଗ ଥିବା ମହେଶ୍ୱର ମହାନ୍ତିଙ୍କୁ ମଧ୍ୟ ପୁରୀ ଆସନରୁ ଟିକେଟ୍ ଦିଆଯାଇଛି। ସେହିପରି ଯୌନ ନିର୍ଯାତନା ଅଭିଯୋଗ ବିଚାରାଧୀନ ଥିବା ବ୍ରଜ ପ୍ରଧାନଙ୍କୁ ତାଳଚେର ଆସନରୁ ବିଜେଡି ଟିକେଟ୍ ଦିଆଯାଇଛି। ଏବେ ଦଳୀୟ ଟିକେଟ୍ ବଣ୍ଟନରେ ବିଜେଡି ଏପରି ନେତାମାନଙ୍କୁ ଟିକେଟ୍ ଦେଉଛି ଯେଉଁମାନେ ମହିଳାଙ୍କ ସହ ଅସଦାଚରଣ ଓ ଧର୍ଷଣକାରୀଙ୍କୁ ସୁରକ୍ଷା ଦେବାଭଳି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି। ଏଥିରୁ ନବୀନ ପଟ୍ଟନାୟକଙ୍କ ମହିଳାଙ୍କ ପ୍ରତି ସମ୍ମାନର ବାସ୍ତବ ଚେହେରା ଜଣାପଡ଼ିଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଡଃ ଯତୀନ ମହାନ୍ତି, କସ୍ତୁରୀ ମିଶ୍ର, ସୁଜାତା ପାଢୀ ଓ ଚିତ୍ରଲେଖା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Related Posts

About The Author

Add Comment