ଯାଜପୁର,୧୩/୦୭ ସ୍ୱାମୀ ମରିବାର ପାଞ୍ଚ ବର୍ଷ ପରେ ଅନୁସୂଚିତ ଜାତିର ନିହାତି ଗରୀବ ପରିବାରର ବିଧବା ବୃଦ୍ଧାଙ୍କୁ ମିଳିଲା ହରିଶ୍ଚନ୍ଦ୍ର ଯୋଜନା ବାବଦ ଟଙ୍କା ଏବଂ ବିଧବା ଭତ୍ତା । ତାହା ପୁଣି ଦୀର୍ଘ ଦିନର ଲଢେଇ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ । ଏଭଳି ଦୟନୀୟ ଏବଂ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଦର୍ପଣ ପଞ୍ଚାୟତର ଗୁଲୁଜାରନଗର ପାଟଣା ଗ୍ରାମରେ ।
ଖବରରୁ ପ୍ରକାଶ, ଏହି ଗ୍ରାମର ନୀରଞ୍ଜନ ମଳିକ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଛନ୍ତି । ହେଳେ କେତେକ ପ୍ରଭାବଶାଳୀଙ୍କ ଆକ୍ରୋଶ କାରଣରୁ ନୀରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କ ଶବ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ବାବଦ ଟଙ୍କା ମଳି ନଥିଲା । ଏତିକିରେ ଆକ୍ରୋଶ ଶେଷ ହୋଇ ନଥିଲା । ତାଙ୍କର ବିଧବା ବୃଦ୍ଧା ପତ୍ନୀ ମିନତୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପ୍ରଦାନ କରାଯାଇ ନଥିଲା । ତାଙ୍କର ପରିବାରକୁ ମିଳିଥିବା ଆବାସ ଯୋଜନାର ଗୃହ ବାବଦ ବିଲ ମଧ୍ୟ ପ୍ରଦାନ କରାଯାଇ ନଥିଲା । ଶେଷକୁ ମିନତୀଙ୍କ ନାମକୁ ମଧ୍ୟ ରାସନ କାର୍ଡରୁ କାଟି ଦିଆଗଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରୀବ କଲ୍ୟାଣ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଗରୀବଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଂଚାଇବା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଏଥିନେଇ ସତୀଶ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ ଲଢେଇ ଆରମ୍ବ କରିଥିଲେ । ଏହାପରେ ଏହି ପ୍ରସଙ୍ଗ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଖୋଦ ଯାଜପୁର ଜିଲ୍ଲାପାଳ ଏହି ପ୍ରସଙ୍ଗରେ ଦୁଇବର୍ଷ ତଳେ ହସ୍ତକ୍ଷେପ କରି ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରଶାସନିକ ଦଳ ଘଟଣା ନେଇ ଅନୁଧ୍ୟାନ କରିଥିଲେ । ଏହାପରେ ଏହି ଅନୁଧ୍ୟାନ କାରୀ ଦଳ ତରଫରୁ ମିନତୀ ଭତ୍ତା ପାଇବାକୁ ହକଦାର ବୋଲି ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇ ଥିଲା । ଏହାପରେ ବି ପ୍ରଭାବଶାଳୀଙ୍କ କବଜ୍ଜାରେ ଥିବା ପ୍ରଶାସନ ତରଫରୁ ଏହି ପରିବାରର ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ତତ୍ପରତା ପ୍ରକାଶ ପାଇ ନଥିଲା । ଏଥିନେଇ ମଧ୍ୟ ବାରମ୍ବାର ଗଣମାଧ୍ୟମରେ ପ୍ରସଙ୍ଗ ହୋଇଥିଲା । ପ୍ରଶାସନ ତାଙ୍କ ପ୍ରତି ଦୀର୍ଘଦିନ ଧରି ଅନ୍ୟାୟ କରିଥିବା ଅଭିମାନରେ ଏବଂ ତାଙ୍କର ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ କରାଯିବା ଦାବିରେ ଏହି ପରିବାର ଟଙ୍କା ରଖି ନଥିଲେ । ତେବେ ମଙ୍ଗଳବାର ପ୍ରଶାସନ ସହ ସତୀଶ ପହଂଚି ଏହି ପରିବାରକୁ ବୁଝାସୁଝା ପରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀଙ୍କ ଠାରୁ ଭତ୍ତା ବାବଦରେ ୩ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ବାବଦରେ ୨ ହଜାର ଟଙ୍କା ଗ୍ରହଣ କରିଥିଲେ ।
ସ୍ୱାମୀ ମରିବାର ପାଞ୍ଚ ବର୍ଷ ପରେ ବିଧବା ବୃଦ୍ଧାଙ୍କୁ ମିଳିଲା ହରିଶ୍ଚନ୍ଦ୍ର ଟଙ୍କା ଓ ଭତ୍ତା
|
July 14, 2022 |



