ଭୁବନେଶ୍ୱର, ୨୦/୦୩ (ସନ୍ଧାନ ନିୟୁଜ) : କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ। ଏହାଛଡା ପୋଖରୀ କିମ୍ବା ଜଳାଶୟରେ ଗାଧେଇବାକୁ ବାରଣ କରାଯାଇଛି।
ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ କରୋନା ପାଇଁ ସାମାଜିକ ଦୂରତ୍ୱ (ସୋସିଆଲ ଡିଷ୍ଟାନ୍ସ) ଉପରେ ଗୁରୁତ୍ୱ ଦିଆଯାଉଛି। ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପା’ରେ ଗ୍ରାହକ ଓ ସେବାପ୍ରଦାନକାରୀ ମଧ୍ୟରେ ଦୂରତ୍ୱ ଗୋଟିଏ ମିଟର ମଧ୍ୟରେ ନରହିଲେ ସମ୍ଭବପର ହେଉନଥିବାରୁ ଏସବୁ ବନ୍ଦ କରିଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଦୋକାନଗୁଡ଼ିକ ବନ୍ଦ ରହିବ।
ସେହିପରି ପୋଖରୀ ଓ ଜଳଭଣ୍ଡାରରେ ପରିଚ୍ଛନ୍ନତା ରହୁନଥିବାରୁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ଗାଧେଇବା, ସଫା କରିବା ଓ ଅନ୍ୟାନ୍ୟ କାର୍ଯ୍ୟ ନକରିବା ପାଇଁ ପରାମର୍ଶ ଦିଆଯାଇଛି। ପଞ୍ଚାୟତ ପ୍ରତିନିଧିମାନଙ୍କ ମାଧ୍ୟମରେ ସାଧାରଣ ଲୋକମାନଙ୍କୁ ଏଭଳି ପ୍ରଦୂଷିତ ଜଳ ଉପଯୋଗ ନକରିବାକୁ ସଚେତନ କରାଇବାକୁ କୁହାଯାଇଛି। ହ୍ୟାଣ୍ଡ ପମ୍ପ, ଟ୍ୟୁବୱେଲ୍ ଓ ଅନ୍ୟ ପାଇପ୍ ଜଳଯୋଗାଣ ମାଧ୍ୟମରେ ଏସବୁ କାର୍ଯ୍ୟ କରିବାକୁ କୁହାଯାଇଛି। ଯେଉଁ ଲୋକମାନେ ଥଣ୍ଡା, ଜ୍ୱର ଓ କାଶରେ ସଂକ୍ରମିତ ସେମାନେ ହ୍ୟାଣ୍ଡପମ୍ପ ଉପଯୋଗ ନକରି ଅନ୍ୟମାନଙ୍କ ସହାୟତା ପାଣି ନେବାକୁ ପରାମର୍ଶ ଦିଆଯାଇଛି।