ଭୁବନେଶ୍ୱର ,୧୫/୦୬ (ସନ୍ଧାନ ନିୟୁଜ)-ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରଥଯାତ୍ରା-୨୦୧୮ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ହେମନ୍ତ ମର୍ଶାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗ ପକ୍ଷଣୁ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା । ବିଶେଷ କରି ସୂଚନା କେନ୍ଦ୍ର ପ୍ରତିଷ୍ଠା, ଫଟୋଚିତ୍ର ପ୍ରଦର୍ଶନୀ, ସାମ୍ବାଦିକଙ୍କ ରଥଯାତ୍ରା ପରିଦର୍ଶନ ଓ ପ୍ରସାରଣ, ଟିଭି ତଥା ଫଟୋ କଭରେଜ, ଉକ୍ରଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟ ସହ ବିଭିନ୍ନ ସୂଚନା ପୁସ୍ତକର ପରିବହନ ଓ ବିକ୍ରୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଆଦି ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଏଥିରେ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ୧୧ଟି ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯାଇ ଶ୍ରଦ୍ଧାଳୁମାନଙ୍କୁ ସଠିକ୍ ସୂଚନା ପ୍ରଦାନ ବ୍ୟବସ୍ଥା, ରଥଯାତ୍ରାଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ପ୍ରତିଦିନ ଗୁଣ୍ଡିଚାବାଡି ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ଜଗନ୍ନାଥ ସଂସ୍କୃତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଲୋକାଭିମୁଖ ଯୋଂଜନା ସଂପର୍କିତ ଫଟୋଚିତ୍ରକୁ ପ୍ରଦର୍ଶନୀ ଆୟୋଜନ କରିବା ପାଇଁ ବୈଠକରେ ନିଷ୍ପତିି ନିଆଯାଇଥିଲା । ବୈଠକରେ ବିଭାଗ ନିର୍ଦ୍ଧେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ମନୋଜ ମହାନ୍ତି, ଯୁଗ୍ମ ନିର୍ଦ୍ଧେଶକ ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।