ଯୋଡା ୩୧/୧/୨୬ (ସନ୍ଧାନ ନ୍ୟୁଜ) : ଓଡିଶାରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ନଜିର ରହିଥିବା ବେଳେ କେନ୍ଦୁଝର ଜିଲ୍ଲାର ବଡବିଲ ଥାନା ତଥା ଯୋଡା ବ୍ଲକ ଅନ୍ତର୍ଗତ ରୋଇଡା ଗ୍ରାମ ପଞ୍ଚାୟତର ମାଙ୍କଡ ହାଟିଂ ସୁନାନଦୀ ଅବବାହିକାରେ ଥିବା ଏକ ପରିତ୍ୟକ୍ତ ଦୁର୍ଗମ ବନାଞ୍ଚଳରେ ପ୍ରାୟ ୨ ଏକର ପରିମିତ ଜମିରେ ଅଫିମ ଚାଷକୁ ମୂଳତତ୍ପାଟନ କରିଛି କେନ୍ଦୁଝର ଜିଲ୍ଲା ପୋଲିସ । ଅପହଞ୍ଚ ହୋଇଥିବା ଏହି ଅଗ୍ନାଅଗ୍ନୀ ବନସ୍ଥରେ ନିଶା ବେପାରୀ ମାନଙ୍କର ଚାଲିଥିଲା କଳା ସାମ୍ରାଜ୍ୟ । ଏହି ଚାଷ ସମ୍ପର୍କରେ ଗୁପ୍ତ ସୂଚନା କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର ପାଇବା ପରେ ବଡବିଲ ପୋଲିସର ଆରମ୍ଭ ହୋଇଥିବା ଅପରେସନ । ଗୁରୁବାର ସକାଳ ୯ ଟା ସମୟରେ ପୋଲିସ ଦ୍ୱାରା ଗଠନ ହୋଇଥିବା ଟିମ୍ ବଡବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆଙ୍କ ନେତୃତ୍ୱରେ ଏହି ଚଢାଉ କରିଥିଲା । ଏଥିରେ ବଡବିଲ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର କର ଓ ଜୋନସୋନ କିଣ୍ଡୁ ମାଜିଷ୍ଟ୍ରେଟ ଡୁ୍ୟଟିରେ ଏହି ଚଢାଉରେ ସାମିଲ ଥିଲେ । ପ୍ରାୟ ୨ ଏକର ପରିମିତ ଜମିରେ ଅଫିମ ଗଛର ଫୁଲ ଏବଂ ସମ୍ପୂର୍ଣ୍ଣ ଗଛକୁ ପୋଲିସ ଫୋର୍ସ ବଡବିଲ ଆଇଆଇସି ଅଶୋକ କୁମାର ନାୟକଙ୍କ ନିଦେ୍ର୍ଦଶରେ ମୂଳତତ୍ପାଟନ କରି ନଷ୍ଟ କରି ଦେଇଥିଲେ । ଏହି ଗଛରୁ ପ୍ରସ୍ତୁତ ଅଫିମର ମୂଲ୍ୟ କୋଟି କୋଟି ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ପକ୍ଷରୁ ଅନୁମାନ କରାଯାଉଛି । ବେଳ ଥାଉ ଥାଉ ଗଛ ପୂର୍ଣ୍ଣ ବିକଶିତ ହେବା ପୂର୍ବରୁ ପୋଲିସ ଏହାକୁ ନଷ୍ଟ କରି ଦେଇଥିଲା । ସେଠାକାର ଲୋକ ନାମକୁ ଗୋପନ ରଖି କହିଛନ୍ତି ଯେ,ବାହାର ଅଞ୍ଚଳର କିଛି ହିନ୍ଦୀ ଭାଷୀ ଯୁବକ ଏହି କ୍ଷେତକୁ ଆସି ଏହାର ରକ୍ଷଣା ବେକ୍ଷଣ କରୁଥିଲେ । ଚଳିତ ଋତୁରେ ଥଣ୍ଡାର ପ୍ରଭାବ ଅଧିକ ଥିବାରୁ ଅଫିମ ଗଛ ଶୀଘ୍ର ବଢିଥିବା ଗ୍ରାମବାସୀ ମାନେ କହିଛନ୍ତି ଏବଂ ଏହାର ଅମଳ ଆଗାମୀ ମାର୍ଚ୍ଚ ମାସ ମଧ୍ୟରେ ହୋଇଯାଇଥାନ୍ତା ବୋଲି ଗ୍ରାମବାସୀ ମାନେ ଆଶଙ୍କା କରିଛନ୍ତି । ବେଳ ଥାଉ ଥାଉ ପୋଲିସର କାର୍ଯ୍ୟାନୁଷ୍ଠାନ ବେଆଇନ ଅଫିମ ଚାଷକୁ ପ୍ରତିହତ କରି ନିଶା ବେପାରୀଙ୍କର ବ୍ୟବସାୟ ଉପରେ ଏକ ବଡ ଅଙ୍କୁଶ ଲଗାଇଛି । ତେବେ ରୋଇଡା ବନାଞ୍ଚଳରେ ବନବିଭାଗ ପକ୍ଷରୁ ବନସୁରକ୍ଷା କର୍ମୀ ଥାଇ ମଧ୍ୟ କିପରି ଏତେ ବଡ ବିସ୍ତୀର୍ଣ୍ଣ ବନାଞ୍ଚଳରେ ଅଫିମ ଚାଷ ହୋଇ ଗଛ କିପରି ପୂର୍ଣ୍ଣ ବିକଶିତ ହେଲା ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖଣି ପରିବେଷ୍ଟିତ ଏହି ଅଞ୍ଚଳରେ ଖଣି ବିଭାଗ,ବିଭିନ୍ନ ସରକାରୀ କଳ,ବନ ବିଭାଗ ଗସ୍ତରେ ଆସୁଥିବା ସତ୍ତ୍ୱେ କିପରି ଏକର ଏକର ପରିମିତ ଜମିରେ ଅଫିମ ଚାଷ ସଂଗଠିତ ଭାବେ କରାଗଲା ଏହାକୁ ନେଇ ସଂସ୍ଥା ଗୁଡିକ ଉପରେ ଜନସାଧାରଣ ସନ୍ଦୀହାନ ହୋଇ ପଡିଛନ୍ତି । ଯୋଡା ବ୍ଲକ ଅଞ୍ଚଳରେ ଏହିପରି ଅନେକ ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳ ଅଛି ଯେଉଁଠାରେ କି,ଏହିପରି ବେଆଇନ ନିଶା ଗଛ ଲଗାଇ ନିଶା ବେପାରୀ ମାନେ ଅବିଚାରିତ ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଜିଲ୍ଲାରେ ପ୍ରଥମଥର ପାଇଁ ମାରାତ୍ମକ ଅଫିମ ନିଶା ଗଛ ଜିଲ୍ଲା ପୋଲିସ ଠାବ କରିଛି ଏବଂ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଜଣାପଡିଛି ଯେ ଏହି ଅଫିମ ଚାଷରେ ଆନ୍ତଃରାଜ୍ୟ ବେପାରୀ ସାମିଲ ଥାଇପାରନ୍ତି । ତଦନ୍ତ ଚାଲିଥିବା ହେତୁ ବଡବିଲ ଏସଡିପିଏ ପିଙ୍ଗୁଆ ଅଧିକ ସୂଚନା ଦେବା ପାଇଁ ମନା କରି ଦେଇଥିଲେ ।
ସୁନା ନଦୀ କୂଳରେ ଚାଲିଛି ଦୁର୍ଗମ ବନାଞ୍ଚଳରେ ଅଫିମ ଚାଷ
|
January 30, 2026 |



