ଯାଜପୁର, ୮/୧୦(ସନ୍ଧାନ ନିୟୁଜ) : ସର୍ବାଧିକ ରକ୍ତ ସଂଗ୍ରହରେ ରାଜ୍ୟ ସ୍ତରରେ ରେକର୍ଡ କରିବା ପାଇଁ ବିଜେଡି ବିଧାୟକଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଲାଗିଛି । ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ରକ୍ତ ସଂଗ୍ରହ ପାଇଁ ଲାଗିଥିବା ବିଧାୟକ ମାନଙ୍କ ମଧ୍ୟରେ ବାଜି ମାରି ନେଇଛନ୍ତି ରତ୍ନଗର୍ଭା ସୁକିନ୍ଦାର ବିଧାୟକ । ତେବେ ନଂ-ୱାନ୍ ହେବା ରେକର୍ଡ ନିଶାରେ ରବିବାର ୮ଟି ସ୍ଥାନରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ହୋଇଥିବା ରକ୍ତ ସଂଗ୍ରହ ଶିବିରରେ ମୋଟ ୨୦୭୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି ।
ତେବେ ସର୍ବାଧିକ ରକ୍ତ ସଂଗ୍ରହ ନିଶାକୁ ସଫଳ କରିବାକୁ ରକ୍ତଦାତାଙ୍କୁ ପ୍ରଲୋଭିତ କରାଯାଇଥିଲା । ରକ୍ତ ବଦଳରେ ଉପହାର ଯୋଜନାରେ ପୁରୁଷ ଲୋକ ମାନଙ୍କୁ ବାନିଅନ, ଝିଅ ମାନଙ୍କ ପାଇଁ ଡ୍ରେସ୍ ଏବଂ ମହିଳା ମାନଙ୍କ ପାଇଁ ଶାଢୀ ପ୍ରଭୃତି ବଣ୍ଟନ କରାଯାଇଥିବା ଜଣାପଡିଛି ।
କଳେ ବଳେ କୌଶଳେ କାର୍ଯ୍ୟକ୍ରମକୁ ସଫଳ କରି ଦଳପତିଙ୍କ ଠାରୁ ପ୍ରଶଂସା ପାଇବାକୁ ରକ୍ତ ବଦଳରେ ଉପହାର ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ରବିବାର ଆୟୋଜିତ ରକ୍ତଦାନ ଶିବିରରେ ଉପହାର ବଣ୍ଟନ କରାଯିବା ଘଟଣା ଲୋକଙ୍କ ମଧ୍ୟରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ୮ଟି ସ୍ଥାନରେ ଆୟୋଜିତ ରକ୍ତଦାନ ଶିବିର ରେ ଏହି ଯୋଜନାକୁ ଅତ୍ୟନ୍ତ ଗୋପନୀୟ ଭାବେ କାର୍ଯ୍ୟକାରୀ କରାଯାଇଥିବା ବେଳେ ଦାନଗଦି ଭବନରେ ଶାଢୀ ଓ ଡ୍ରେସ୍ ବଣ୍ଟନକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ କଥା ପଦାକୁ ଆସିଛି ।
ରକ୍ତ ପାଇଁ ଉପହାର ଯୋଜନାକୁ କେତେକ ବିଜେଡି କର୍ମୀ ମୋବାଇଲରେ ଫଟୋ ଉଠାଇ ନେଇଥିବା ବେଳେ ଏବେ ସେହି ଫଟୋ ଭାଇରାଲ ହେବାରେ ଲାଗିଛି । ଦଳପତିଙ୍କ ନିକଟରେ ପତିଆରା ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ବିନିମୟ ଶିବିରରେ ପରିଣତ କରାଯାଇଥିବା ଜଣାପଡିଛି ।

Report Rabindra Das Sukinda



