ବାରିପଦା, ୦୪.୦୨.୨୦୨୧(ସନ୍ଧାନ ନିଉଜ୍):- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଜାଲରେ ପଡ଼ିଛନ୍ତି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ । ସେ ହେଲେ ପୂର୍ବତଟ ରେଲ୍ୱେର ବରିଷ୍ଠ ଅଧିକାରୀ ତଥା ସିନିଅର ଟ୍ରାଭେଲିଂ ଇନ୍ସ୍ପେକ୍ଟର ରବି ନାରାୟଣ ରଥ । ସିବିଆଇ ସ୍ପେଶାଲ୍ ଟିମ୍ ତାଙ୍କ ଭୁବନେଶ୍ୱର କୋଳଥିଆସ୍ଥିତ ଘର, ଅଫିସ୍ ସହ ମୋଟ ୫ଟି ଜାଗାରେ ଚଢ଼ଉ କରିଥିଲା । ଏହି ସମୟରେ ତାଙ୍କ ଘରୁ ୧ କୋଟି ୧୯ ଲକ୍ଷ ୧୯ ହଜାର ୫୮୫ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ମିଳିଛି । ଚଢ଼ଉ ଜାରି ରହିଛି । ଆହୁରି ସମ୍ପତ୍ତି ବାହାରିବ ବୋଲି ଆକଳନ କରାଯାଉଛି । ସିବିଆଇର ୫ ଜଣିଆ ଟିମ୍ ବୁଧବାର ସକାଳେ ପ୍ରଥମେ କୋଳଥିଆରେ ଥିବା ସାଇକୃପା କୁମୁଦିନି ନିବାସ ପ୍ଲଟ୍ ନଂ ୨୦/୧୯୦୩ରେ ଚଢ଼ଉ କରିଥିଲା । ଉକ୍ତ ଘରୁ କୋଟିଏରୁ ଊଦ୍ଧ୍ୱର୍ ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ ହୋଇଥିଲା । ଜବତ ସମ୍ପତ୍ତି ମଧ୍ୟରେ ରହିଛି ୨ଟି ଦାମୀ କାର୍, ୨ଟି ବାଇକ୍, ୪୦ ଗ୍ରାମ୍ ସୁନା ଓ ରୁପା ଅଳଙ୍କାର, ୨ଟି ପ୍ଲଟ୍, ୩ ମହଲା ଘର, ୨୦ ଲକ୍ଷ ଟଙ୍କାର ବୀମା ପଲିସି ଇତ୍ୟାଦି । ତା’ଛଡ଼ା ୨୫ ଲକ୍ଷ ଟଙ୍କାର ଦାମୀ ଗୃହ ଉପକରଣ ଠାବ କରିଛି ଭିଜିଲାନ୍ସ । ରାଜ୍ୟ ବାହାରେ ତାଙ୍କର ସମ୍ପତ୍ତି ରହିଛି । ସେ ସବୁ ଯାଞ୍ଚ ଚାଲିଛି । ଆସନ୍ତାକାଲି ଏ ସମ୍ପର୍କିତ ଅଧିକ ସୂଚନା ସିବିଆଇ ନୂଆଦିଲ୍ଲୀ କାର୍ଯ୍ୟାଳୟରୁ ମିଳିବ ବୋଲି ଭୁବନେଶ୍ୱର ସିବିଆଇ ଏସ୍ପି ସୂଚନା ଦେଇଛନ୍ତି । ତେବେ ବୁଧବାର ଯାଞ୍ଚ ସମୟରେ ସିବିଆଇ ଜାଣିବାକୁ ପାଇଛି ମୋଟ୍ ସମ୍ପତ୍ତି ମଧ୍ୟରୁ ୭୦.୯୯% ହେଉଛି ଆୟ ବହିର୍ଭୂତ । ରବି ନାରାୟଣଙ୍କୁ ସିବିଆଇ ଗିରଫ କରିଛି । ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।
ସିବିଆଇ ସ୍ପେଶାଲ୍ ଟିମ୍ ୫ଟି ଜାଗାରେ ଚଢ଼ଉ
|
February 4, 2021 |



