ସାଥୀ ହୋଇ ଜିଇଁବାର ଶପଥ ନେଇ ଏକାଠି ଚାଲିଗଲେ |

Spread the love

 

ବାରିପଦା୧୫/୦୭ (ସନ୍ଧାନ ନ୍ୟୁଜ୍)- :  ସାଥୀ ହୋଇ ଜିଇଁବାର ଶପଥ ନେଇଥିଲେ। ସତ କଳସ ଆଠ ଦୀପକୁ ସାକ୍ଷୀ ରଖି ବାହା ହୋଇଥିଲେ। ସଂସାର ବି ଗଢ଼ିଥିଲେ। ହେଲେ ଖୁସିର ସଂସାରରେ ନଜର ଲଗାଇଲା ଦଇବ। ଭଲ କରି ଜିଇଁବା ଆଗରୁ ସ୍ୱାମୀ-ସ୍ତ୍ରୀ ଚାଲିଗଲେ ଅଫେରା ରାଇଜକୁ। ବାପା-ମାଆଙ୍କୁ ହରାଇବା ପରେ ଅବୁଝା କୁନି ଝିଅଟି ରାହାଧରି କାନ୍ଦୁଛି। ଆଉ ମାନସିକ ବିକାର ଗସ୍ତ କୁନି ଝିଅର ଜେଜେ କହୁଛନ୍ତି, ମୋ ପୁଅ ଫେରିବ????

ପୂରା ଘଟଣା ଏମିତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡା ପଞ୍ଚାୟତ ହଳିଶ ଗାଁର ପର୍ଶୁରାମ ବିଶ୍ୱାଳ। କାମଦାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। ତାଙ୍କ ପରିବାର କହିଲେ ପତ୍ନୀ କବିତା, ଦୁଇ ବର୍ଷର ଝିଅ ଓ ମାନସିକ ବିକାର ଗସ୍ତ ବାପା ନାରାୟଣ। ମହାମାରୀ କରୋନା ବେଳେ ପ୍ରତିଦିନ କାମ ମିଳୁନଥିଲା। ତଥାପି ଦୁଃଖ କଷ୍ଟରେ ଚଳୁଥିଲେ ପର୍ଶୁରାମ।

 

ପର୍ଶୁରାମ ଜଣେ କ୍ଷୁଦ୍ର ଚାଷୀ ହୋଇଥିବାରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିଲା କାଳିଆ ଟଙ୍କା। ସେହି ଟଙ୍କା ଉଠାଇବା ପାଇଁ ପର୍ଶୁରାମ ଅଡା ୟୁକୋ ବ୍ୟାଙ୍କକୁ ଯାଇଥିଲେ। ମାତ୍ର ତାଙ୍କ ନାଁରେ ଋଣ ଥିବାରୁ କାଳିଆ ଟଙ୍କା ବ୍ୟାଙ୍କ କର୍ତ୍ତୃପକ୍ଷ ଦେଇନଥିବା ଅଭିଯୋଗ ହୋଇଥିଲା। ପର୍ଶୁରାମ ବାରମ୍ୱାର ବ୍ୟାଙ୍କ ଯାଇ ନିରାଶ ହୋଇ ଫେରିଥିଲେ। ଯାହାକୁ ନେଇ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ।

ଗତ ଶନିବାର ପର୍ଶୁରାମ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏକଥା ଶୁଣିବା ପରେ ଘରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା କବିତା ଆଖି ବୁଜିଲେ। ଏହା ପରେ ଗାଁରେ ଏକ ସଙ୍ଗେ ଜଳିଲା ଦୁଇଟି ଜୁଇ। ବାପା-ମାଆଙ୍କ ମୃତ୍ୟୁ ପରେ ଦୁଇ ବର୍ଷର ଝିଅ ଅଜା ଘରେ ରହିଛି।

ହେଲେ ମାନସିକ ବିକାରଗ୍ରସ୍ତ ବାପା ଜାଣିପାରୁନାହାନ୍ତି ପୁଅ ଓ ବୋହୂ ମରିଛନ୍ତି ବୋଲି। ସେ ଆଜି ବି କହୁଛନ୍ତି ମୋ ପୁଅ ବଞ୍ଚିଛି। ମୋ ପାଖକୁ ଆସିବ।

Related Posts

About The Author

Add Comment