ବଡ଼ସାହି, (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ଗତ ଲଘୁଚାପଜନିତ ବର୍ଷାରେ ଘର ଭାଙ୍ଗିଥିବା ବିପନ୍ନ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ବଡ଼ ସାହି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ର । ଘର ଭାଙ୍ଗିଥିବା ବଡ଼ସାହି ବ୍ଲକ୍ ଅଧୀନ ମାଧପୁର ପଞ୍ଚାୟତ ଧାନପୋତା ଗାଁର ତରୁଲତା ମହାନ୍ତଙ୍କ ପରିବାରକୁ ଏକ ପାଲ ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଶ୍ରୀ ପାତ୍ର । ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ବଡ଼ ସାହି ନିର୍ବାଚନ ମଣ୍ଡଳୀର ସହକାରୀ ପର୍ଯ୍ୟବେକ୍ଷକ ସୁବ୍ରମଣ୍ୟମ ମହାନ୍ତିଙ୍କ ସହଯୋଗରେ ତରୁଲତାଙ୍କ ପରିବାରକୁ ପାଲି ଓ ଟଙ୍କା ସହାୟତା ଦିଆଯାଇଛି । ଏହାବାଦ୍ କିପରି ଅଧିକ ସରକାରୀ ସହାୟତା ମିଳିବ ସେନେଇ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ରାଜସ୍ୱ ନିରୀକ୍ଷକ ମଧ୍ୟ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେବେ ବୋଲି କହିଛନ୍ତି । ନୂଆ ଘର ପାଇଁ ଗ୍ରାମସଭା ତାଲିକାରେ ତାଙ୍କ ନାମ ଅଛି କି ନାହିଁ ଏବଂ କେବେ ପାଇବେ ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ସେହି ପରି ଗାଡ଼ି ଦୁର୍ଘଟଣାରେ ଗୁରୁତର ହୋଇ କଟକ ବଡ଼ ମେଡିକାଲରୁ ଚିକିତ୍ସିତ ହୋଇ ଫେରିଥିବା ଏହି ଗାଁର ଅଜୁ ମହାନ୍ତଙ୍କ ପରିବାରକୁ ଭେଟି ଅଜୁଙ୍କ ସ୍ଵାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ କିଛି ଆର୍ଥିକ ସହାୟତା ମଧ୍ୟ ଦେଇଥିଲେ ପୂର୍ବତନ ବିଧାୟକ । ଏହି ସମୟରେ ବ୍ଲକ୍ ଯୁବ ସଭାପତିନିହାର ରଞ୍ଜନ ମହାପାତ୍ର, ଯୁବନେତା ଦୁର୍ଗାଚରଣ ମହାନ୍ତ, ଗଦାଧର ମହାନ୍ତ, ପୁ ଲଟୁ ମହାନ୍ତ, ବାବୁରାମ ମହାନ୍ତ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ କି, ଲଘୁଚାପଜନିତ ବର୍ଷାରେ ତରୁଲତାଙ୍କ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶିଯାଇଛି । ଦୁର୍ବଳ ଅବସ୍ଥାରେ ଥିବା ବହୁଦିନର ପୁରୁଣା ମାଟିକାନ୍ଥ ଭୁଶୁଡ଼ି ପଡ଼ିଛି । ଏହି ଅଘଟଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମାତ୍ର ଘର ଭାଙ୍ଗିଯିବା ପରେ ବହୁ ଦୁର୍ଦ୍ଦଶାରେ ଦିନ କାଟୁଥିଲେ ତରୁଲତାଙ୍କ ପରିବାର । ବହୁ କଷ୍ଟରେ ସେହି ଭଙ୍ଗା ଘରେ ବିପଦସଙ୍କୁଳ ଅବସ୍ଥାରେ ରହୁଥିଲେ ।
ସହାୟତା ଦେଲେ ପୂର୍ବତନ ବିଧାୟକ
|
September 15, 2020 |


