ଶୀତ ରେ ଥରୁଛନ୍ତି, ଚଟାଣ ରେ ଶୋଉଛନ୍ତି ରୋଗୀ

Spread the love

କୁଆମରା, ୨୩/୧୨ /୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ୧୨୦ ବର୍ଷ ପୁରୁଣା ଗୋପବନ୍ଧୁନଗର ବ୍ଲକ୍‌ କୁଆମରା ଆଞ୍ଚଳିକ ଡାକ୍ତରଖାନାରେ‌ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ଏଠାରେ ରୋଗୀ ଭଲ ହେବେ କଣ ଓଲଟା ସ୍ଥିତି ଖରାପ ହୋଇପଡୁଛି। ବର୍ଷ ବର୍ଷ ଧରି ବିଭାଗୀୟ ଅବହେଳା ଯୋଗୁ ଏମିତି ସ୍ଥିତି ସୃଷ୍ଟି ହେଲାଣି। ଗତ ମେମାସରେ ଅନ ବାତ୍ୟାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରୋଗୀସେବା ପାଇଁ ଉଦ୍ଦିଷ୍ଟ ଗୃହର ଆଜବେଷ୍ଟସ ଉଡ଼ିଯିବା ସହ ଘର‌ ଭିତର ସିଲିଂ ଭାଙ୍ଗି ଯାଇଥିଲା। ମାସାଧିକ କାଳ ଏହାର ମରାମତି ନହେବାରୁ ସମ୍ବାଦରେ ଖବର ପ୍ରକାଶ ପାଇଥିଲା । ଏହାପରେ ଉକ୍ତ ଛପର ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଉପର ଆଜବେଷ୍ଟସ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ ମଧ୍ୟ ଭିତର ସିଲିଂ ଓ ଅନ୍ୟାନ୍ୟ କାର୍ଯ୍ୟ ନିସାରିବାରୁ ଗତ ୮ ମାସ ହେଲା ଏହି ଗୃହ କାର୍ଯ୍ୟକ୍ଷମ ହେଉନି ରୋଗୀମାନେ ଚିକିତ୍ସା ପାଇଁ ଏପଟ ସେପଟ ହେଉଛନ୍ତି। ଶୀତ ପଡ଼ିବା ଦିନଠାରୁ ଡାକ୍ତରଖାନା‌ ପରିସରରେ ଥିବା ବୈଠକ ଘରେ ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି। ଏହି ଡାକ୍ତରଖାନା ୮ଶଯ୍ୟ ବିଶିଷ୍ଟ ହୋଇଥିବା ବେଳେ ଉକ୍ତ ବୈଠକ ଘରେ ମାତ୍ର ୨ଟି ଶଯ୍ୟ ପଡ଼ିଛି। ତେଣୁ ଅନ୍ୟ ରୋଗୀମାନେ ଚଟାଣରେ ଶୋଉଛନ୍ତି। ଏବେ ଶୀତ ଦିନରେ ମାର୍ବଲ ଚଟାଣରେ ରୋଗୀ ଶୋଉଥିବାରୁ ରୋଗ ଭଲ ହେବା ପରିବର୍ତ୍ତେ ସେମାନେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ସେହିପରି କୁଆମରା ଡାକ୍ତରଖାନା ଅଧୀନରେ ଆରପଟା, ପାଳିଶା, ସିକିଡ଼ିଆ, କୁଆମରା, ପୁରୁଣା ବାରିପଦା ଓ ରାଇପଦାରେ ୬ଟି ସବ୍ ସେଣ୍ଟର କାର୍ଯ୍ୟ କରୁଥିବା ବେଳେ ପ୍ରତି ସପ୍ତାହରେ ସ୍ବାସ୍ଥ୍ୟ ସଂପର୍କିତ ବୈଠକ ଏଠାରେ ବସିଥାଏ। ମାତ୍ର ବୈଠକ ଘରେ ରୋଗୀ ରହିବାରୁ ଉକ୍ତ ବୈଠକ ମଧ୍ୟ ହୋଇପାରୁନି। ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ଅବହେଳା ଯୋଗୁ ଏମିତି ସ୍ଥିତି ଦେଖାଦେଇଥିବା ଅଭିଯୋଗ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଡାକ୍ତରଖାନା ଗୃହ କାମ ସମ୍ପୂର୍ଣ୍ଣ କରିବାକୁ ଗ୍ରାମ ପଞ୍ଚାୟତ ବିକାଶ ପରିଷଦ ପକ୍ଷରୁ ଦାବି ହୋଇଛି  

Related Posts

About The Author

Add Comment