ଶିମିଳିପାଳ ଏବେ ଭୟର ଆରଣ୍ୟ ପାଲଟିଛି

Spread the love

ବାରିପଦା, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍):- ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ ଶିମିଳିପାଳ ଏବେ ଭୟର ଆରଣ୍ୟ ପାଲଟିଛି । ଜାନୁଆରୀ ମାସରେ ଦୁଇ ଦୁଇଟି ହାତୀ ମୃତ୍ୟୁ ପରେ ପୁଣି ଫେବୃଆରୀ ମାସ ୧ତାରିଖରେ ଶିମିଳିପାଳରେ ଏକ ୮-୯ବର୍ଷୀୟ ବାଘୁଣୀର ମୃତ ଦେହ ଠାବକୁ ନେଇ ଶିମିଳିପାଳରେ ଜୀବଜନ୍ତୁ ସୁରକ୍ଷିତ ନୁହଁନ୍ତି ବୋଲି ଅଭିଯୋଗ ହୋଇଛି । ସେପ୍ଟିସେମିଆ ଯୋଗୁଁ ବାଘୁଣୀର ମୃତ୍ୟୁ ହୋଇଥିବା ନେଇ କ୍ଷେତ୍ର ମୁଖ୍ୟ ଆଞ୍ଚଳିକ ବନ ସଂରକ୍ଷକ (ଆରସିସିଏଫ୍‌) ଟୁଇଟ୍‌ କରିଥିବା ବଳେ ପରିବେଶବିତ୍‌ କିନ୍ତୁ ଭିନ୍ନ ମତ ଦେଇଛନ୍ତି । ପରିବେଶବିତ୍‌ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି ଯେ, ଶିକାରୀ ଗୁଳିରେ ବାଘୁଣୀର ମୃତ୍ୟୁ ହୋଇଥିବା ନେଇ ବନ ବିଭାଗର କର୍ମଚାରୀ ତାଙ୍କ ନାମ ଗୋପନ ରଖିବାକୁ କହି ତାଙ୍କୁ ସୂଚନା ଦେଇଛନ୍ତି । ଯଦି ପ୍ରକୃତ ଘଟଣାକୁ ଘୋଡାଇ ସେପ୍‌ଟିସିମିଆ ଯୋଗୁଁ ବାଘୁଣୀର ମୃତ୍ୟୁ ହୋଇଛି ବୋଲି ବିଭାଗ ଟୁଇଟ୍‌ କରି ତାର କାମ ସାରି ଦେବାକୁ ଚାହୁଁଥାଏ ତେବେ ଏହା ଶିମିଳିପାଳ ପାଇଁ ଏବଂ ଶିମିଳିପାଳ ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କ ପାଇଁ ଏକ ଅଶୁଭ ସୂଚନା । ନିଜ ଦୋଷକୁ ଘୋଡାଇ ଏହା ଦ୍ୱାରା ବିଭାଗ କେବଳ ଶିକାରୀଙ୍କୁ ପ୍ରୋତ୍ସାହନ ଦେଉଛି ବୋଲି ସେ ସମାଲୋଚନା କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଉକ୍ତ ଘଟଣାରେ ପିସିସିଏଫ୍‌ ହରିଶଙ୍କର ଉପାଧ୍ୟାୟ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ସାତ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଜୋନ ଅନ୍ତର୍ଗତ ପୋଡାଡିହା ବନ୍ୟପ୍ରାଣୀ ରେଞ୍ଜର ଭଞ୍ଜବସା ନିକଟ ଡଙ୍ଗାଡିହା ବିଟ୍‌ ଅଞ୍ଚଳରେ ଏକ ୯ବର୍ଷୀୟ ବାଘୁଣୀର ମୃତ ଦେହ ଠାବ ହୋଇଥିଲା । ବାଘୁଣୀକୁ ଗୁଳି କରି ଶିକାର କରି ତାର ଚମଡା ଛାଲିବାକୁ ଉଦ୍ୟମ ବେଳେ କୁଆଡେ ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ସେ ସ୍ଥାନ ଛାଡି ଜଙ୍ଗଲ ଭିତରେ ଫେରାର ହୋଇଯାଇଥିଲେ ବୋଲି ସୂଚନା ମିଳିଛି ।ତେବେ ବାଘୁଣୀର ମୃତ ଦେହ ଠାବ ପରେ ମୃତ ବାଘୁଣୀର ଶବ ବ୍ୟବଚ୍ଛେଦ ପରେ ତାକୁ ପୋତି ଦିଆ ଯାଇଥିବା ଜଣା ପଡିଛି । ଏ ସଂପର୍କରେ ବାରମ୍ବାର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଉଚ୍ଚାଧିକାରୀଙ୍କ ସହ ଫେବୃଆରୀ ୧ତାରିଖରେ ଏବଂ ୨ ତାରିଖରେ ଯୋଗାଯୋଗ କରି ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ଜାନୁଆରୀ ୭ତାରିଖରେ କପ୍ତିପଦା ବନଖଣ୍ଡ କଳମଗଡିଆ ପଞ୍ଚାୟତର ଶାରିଶୁଆ ବିଟ୍‌ ନିକଟ ରାମକୁଣ୍ଡା ଜଙ୍ଗଲରେ ଏକ ମୃତ ଦନ୍ତାର ଗଳିତ ଶବ ବନ ବିଭାଗ ଠାବ କରିଥିଲା । ଶିକାରୀ ମାନେ ପ୍ରାୟ ସପ୍ତାହକ ତଳୁ ହାତୀର ମୁଣ୍ଡ ସମେତ ଦାନ୍ତକୁ କାଟି ନେଇଥିଲେ । ଏହି ଘଟଣାକୁ ଏକ ସପ୍ତାହ ନ ପୂରୁଣୁ ପୁଣି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଦକ୍ଷିଣ ଶିମିଳିପାଳ ସ୍ଥିତ ପୋଡାଡିହା ରେଞ୍ଚ ବାଘ ଅନ୍ତ ରାସ୍ତା ଜଙ୍ଗଲରେ ଜାନୁଆରୀ ୧୧ତାରିଖରେ ପୁଣି ଏକ ଦନ୍ତାହାତୀ ମରିଥିବାର ଖବର ମିଳିଥିଲା । ଏହାଛଡା ଶିମିଳିପାଳ କୋର ଅଞ୍ଚଳରୁ ଗତ ଡିସେମ୍ବରର ୧୪ତାରିଖରେ ଦୁଇଜଣ ପୁଲିସ୍‌ କର୍ମଚାରୀ ବନ ବିଭାଗ ଦ୍ୱାରା ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ମୃତ କୁଟୁରା ଜବତ ହେବା ଘଟଣା ମଧ୍ୟ ଶିମିଳିପାଳ ଇତିହାସରେ କଳଙ୍କ ସୃଷ୍ଟି କରିଥିଲା । ବାରମ୍ବାର ଶିକାରୀଙ୍କ ଉପଦ୍ରବରେ ବନ୍ୟଜନ୍ତୁ ଅତିଷ୍ଠ ହୋଇ ମୃତ୍ୟୁ ମୁଖରେ ପଡିବା ଘଟଣାକୁ ନେଇ ଜିଲ୍ଲାରେ ବୁଦ୍ଧିଜୀବୀ ମହଲରେ ମଧ୍ୟ ଆଲୋଡନ ସୃଷ୍ଟି ହୋଇଛି ।

Related Posts

About The Author

Add Comment