ଲକ୍ଷେ ଟଙ୍କା ଲାଞ୍ଚ ନେଇ ୨ ଯନ୍ତ୍ରୀ ଗିରଫ, ବରଖାସ୍ତ କଲା ଓଟିଡିସି

Spread the love

ଭୁବନେଶ୍ୱର:୧୭/୦୭ (ସନ୍ଧାନ ନ୍ୟୁଜ୍)-: ଏକ ଲକ୍ଷ ଟଙ୍କା ଲାଂଚ ନେବା ଅଭିଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ୨ଜଣ ଯନ୍ତ୍ରୀଙ୍କୁ ରାଜ୍ୟ ଭିଜିଲାନ୍ସ ଆଜି ଗିରଫ କରିଛି। ଆଉଟସୋର୍ସିଂ ମାଧ୍ୟମରେ କାମ କରୁଥିବା ଏହି ଦୁଇ ଯନ୍ତ୍ରୀଙ୍କୁ ମଧ୍ୟ ଓଟିଡିସି ତତ୍କାଳ ପ୍ରଭାବରୁ ଚାକିରିରୁ ବରଖାସ୍ତ କରିଥିବା ଜଣାପଡ଼ିଛି।

ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଟିଡିସିରେ କାର୍ଯ୍ୟରତ ସହାୟକ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ନାୟକ ଓ ଯନ୍ତ୍ରୀ କ୍ଷୀରୋଦ ଆଚାର୍ଯ୍ୟ ନୂଆପଡ଼ାର ପଥରା ଡ୍ୟାମ ନିକଟରେ ପାନ୍ଥିକା ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରଙ୍କୁଠୁ ଏକ ଲକ୍ଷ ଟଙ୍କା ଲାଂଚ ଦାବି କରିଥିଲେ। ଉଭୟ ଯନ୍ତ୍ରୀଙ୍କୁ ଆଜି ଭୁବନେଶ୍ୱରସ୍ଥିତ ରାଜାରାଣୀ ପାର୍କ ନିକଟରେ ଏହି ଲାଂଚ ଟଙ୍କା ଦିଆଯାଉଥିବାବେଳେ ଭିଜିଲାନ୍ସ ଚଢ଼ଉ କରି ଧରିଛି।

ଘଟଣାସ୍ଥଳରୁ ଯନ୍ତ୍ରୀ ଶ୍ରୀ ନାୟକଙ୍କ ପକେଟରୁ ଏହି ଅର୍ଥ ଜବତ କରାଯାଇଥିଲା। ଜବତ ଟଙ୍କା କେମିକାଲଯୁକ୍ତ ଥିବା ପ୍ରମାଣିତ ହେବାପରେ ଉଭୟଙ୍କ ଭୁବନେଶ୍ୱରର ଟଙ୍କପାଣି ରୋଡରେ ଥିବା ଭଡ଼ାଘର ଏବଂ ସେମାନଙ୍କ ପୈତୃକ ବାସଭବନରେ ଚଢ଼ଉ କରାଯାଇଥିଲା। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ବିରୁଦ୍ଧରେ କୋରାପୁଟ ଭିଜିଲାନ୍ସ ଥାନାରେ ଗତକାଲି ଏକ କେସ୍ ରୁଜୁ ହୋଇଛି। ଉଭୟ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଓଟିଡିସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଓଟିଡିସି ଜେନେରାଲ ମ୍ୟାନେଜର ପିକେ ଚାନ୍ଦ ଏହି ଦୁଇ ଯନ୍ତ୍ରୀଙ୍କୁ ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ ଆଉଟସୋର୍ସିଂ ସଂସ୍ଥାକୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହି ଦୁଇ ଯନ୍ତ୍ରୀ ଆଉଟସୋର୍ସିଂ ମାଧ୍ୟମରେ ଓଟିଡିସିରେ ଗତ କିଛିବର୍ଷ ଧରି ନିୟୋଜିତ ହୋଇଥିଲେ। ତେବେ ଏହି ଯନ୍ତ୍ରୀମାନେ ଦୁର୍ନୀତିରେ ଲିପ୍ତ ରହୁଥିବାବେଳେ ପ୍ରତିବର୍ଷ କିଭଳି ଓ କେଉଁ ଆଧାରରେ ଓଟିଡିସି କର୍ତ୍ତୃପକ୍ଷ ସେମାନଙ୍କର ଚାକିରିକୁ ପୁନଃ ନବୀକରଣ କରୁଥିଲେ ତାକୁ ନେଇ ଏବେ ପ୍ରଷ୍ନ ଉଠୁଛି।

Related Posts

About The Author

Add Comment