ହରିଚନ୍ଦନପୁର,୧/୬ (ସନ୍ଧାନ ନିୟୁଜ), କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ରଘୁନାଥପୁର ରେଲୱେ ଓଭରବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବାଇକରୁ ପଡି ଯୁବକ ମୃତ । ଖବର ଅନୁଯାୟୀ ଘଟଗାଁ ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ରବି ବେହେରାଙ୍କ ପୁଅ ବଗୁଲୁ ବେହେରା ଶୁକ୍ରବାର ଅପରାହ୍ନ ସମୟରେ ଏକ ବାଇକ ଯୋଗେ ଗ୍ରାମର ରାଧି ମୁଣ୍ଡାଙ୍କ ପୁଅ ବିଜୁ ମୁଣ୍ଡା(୨୨)ଙ୍କୁ ସାଙ୍ଗରେ ଆଣି ହରିଚନ୍ଦନପୁର ସାପ୍ତାହିକ ହାଟକୁ ଆସିଥିଲେ । ସେଠାରେ ବୁଲାବୁଲି ସାରିବା ପରେ ସନ୍ଧ୍ୟା ୮ଘଟିକା ୪୫ମିନିଟ୍ ସମୟରେ ଘରକୁ ଫେରୁଥିବା ବେଳେ ରେଲୱେ ଓଭରବ୍ରିଜ୍ ନିକଟରେ କୌଣସି କାରଣରୁ ବାଇକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ରେଲୱେ ସୂଚନା ଫଳକରେ ଧକ୍କା ଦେଇଥିଲା । ଫଳରେ ବାଇକ୍ ପଛରେ ବସିଥିବା ବିଜୁ ନାମକ ଯୁବକ ଛିଟିକି ଯାଇ ରେଲୱେ ସୁରକ୍ଷା ବାଡା ପାର ହୋଇ ରାସ୍ତା କଡ଼ର ପଛର ପେଚିଙ୍ଗ ଉପରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଚାଳକ ଜଣଙ୍କ ଉକ୍ତ ଯୁବକଙ୍କୁ ନପାଇ ସେଠାରୁ ପଳାଇଥିଲେ । ରାଧି ମୁଣ୍ଡାଙ୍କ ପରିବାରର ଲୋକମାନେ ବିଜୁକୁ ନପାଇବା ପରେ ଅନେକ ଖୋଜାଖୋଜି କରିବା ପରେ ଶନିବାର ଦିନ ୧ଘଟିକା ସମୟରେ ଦୁର୍ଘଟଣା ଘଟିଥିବାର ଶୁଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଦୌଡି ଆସି ଖୋଜାଖୋଜି କରିବା ପରେ ରାସ୍ତା କଡ଼ର ପଛର ପେଚିଙ୍ଗରେ ଥିବା ଘାସବୁଦା ମଧ୍ୟରେ ବିଜୁଙ୍କ ମୃତଦେହ ଦେଖିବାକୁ ପାଇ ହରିଚନ୍ଦନପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଜୁଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ରେଲୱେ ସୂଚନା ଫଳକରେ ଧକ୍କା ଦେଲା ବାଇକ୍, ଯୁବକ ମୃତ
|
June 1, 2019 |



