ଅନୁଗୋଳ, ୩/୭ (ସନ୍ଧାନ ନିୟୁଜ ) : କୁହାଯାଏ ଇଚ୍ଛା ଥିଲେ ଉପାୟ ନିଶ୍ଚିତ ଆସିଥାଏ। ଯେ କୈାଣସି କଠିନ କାର୍ଯ୍ୟକୁ ମଧ୍ୟ ଏକାଗ୍ରତାର ସହ କରାଗଲେ ତାହା ସଫଳ ଅବଶ୍ୟ ହୋଇଥାଏ। ସେହିପରି ଏକ ବିରଳ ବ୍ୟକ୍ତିତ୍ୱ ହେଲେ ରୁବେଲାଲ ପ୍ରଧାନ। ସମ୍ପ୍ରତି ଏହିପରି ଏକ ତୀକ୍ଷ୍ଣ ତଥା ନିଆରା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରି ଲୋକଲୋଚନକୁ ଆସିଛନ୍ତି ରୁବେଲାଲ। ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କୁସମଟାପ ଗ୍ରାମର ବାସିନ୍ଦା ଅଟନ୍ତି ରୁବେଲାଲ। ତାଙ୍କ ପିତା ରଘୁନାଥ ପ୍ରଧାନ ଜଣେ କୃଷକ ହୋଇଥିବା ବେଳେ ମାତା କୁମୁଦିନୀ ପ୍ରଧାନ ଜଣେ ଗୃହିଣୀ। ତେବେ ତାଙ୍କ ପରିଚୟ ହେଉଛି, ସେ ଜଣେ ବାଲୁକା ଶିଳ୍ପୀ। ଅଳ୍ପ ବୟସରୁ ହିଁ କିଛି ଅଲଗା କରି ଦେଖାଇବା ତାଙ୍କୁ ଆଜି ଚାରିଆଡ଼େ ପ୍ରସିଦ୍ଧି ଆଣି ଦେଇଛି। ତେବେ ବାଲୁକା କଳା ନୁହେଁ, ସେ ବର୍ତମାନ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ଛୋଟ ଆକାରର ନନ୍ଦିଘୋଷ ରଥ ନିର୍ମାଣ କରି ଅନୁଗୋଳ ଜିଲ୍ଲା ସମେତ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ରୁବେଲାଲଙ୍କ ବୟସ ଏବେ ମାତ୍ର ୨୦ ବର୍ଷ। ୨୦୧୪-୧୬ ବର୍ଷରେ ତାଳଚେର ଆଇ.ଟି.ଆଇ.ରୁ ଫିଟର ଟ୍ରେଡ଼ରେ ସଫଳତାର ସହ ଉତୀର୍ଣ୍ଣ ହୋଇ ସାରିଛନ୍ତି। ନିକଟରେ ଏମ୍.ସି.ଏଲ.ରେ ଆପ୍ରେଂଟିସ ଶିକ୍ଷାଲାଭ କରିଛନ୍ତି। ତେବେ ବଳକା ସମୟରେ ବିଭିନ୍ନ ସ୍ଥାନରେ ନିଜର ବାଲୁକା କଳାରେ ଜାଦୁଗରି ଦେଖାଇ ଦର୍ଶକଙ୍କୁ ବିମୋହିତ କରୁଥିବା ରୁବେଲାଲ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବାକୁ ଭାରି ଭଲ ପାଆନ୍ତି ବୋଲି କହିଛନ୍ତି। ସାରା ବିଶ୍ୱରେ ଜଗନ୍ନାଥ ସଂସ୍କୃତିକୁ ପହଂଚାଇବାକୁ ଉଦ୍ୟମ ସ୍ୱରୂପ ସେ ଏପରି ଏକ ଛୋଟ ନନ୍ଦିଘୋଷ ରଥ ନିର୍ମାଣ କରିବାକୁ ପରିକଳ୍ପନା କରିଥିବାର ପ୍ରକାଶ କରିଛନ୍ତି ରୁବେଲାଲ। ପୂର୍ବରୁ ୪.୫ ଇଂଚ ଉଚ୍ଚତା ବିଶିଷ୍ଟ ନନ୍ଦିଘୋଷ ନିର୍ମାଣ କରାଯାଇଥିବା ବେଳେ ବର୍ତମାନ ସେ ତାଠାରୁ ଛୋଟ ଅର୍ଥାତ ୩.୫ ଇଂଚ ଉଚ୍ଚତା ଏବଂ ୬୫ ଗ୍ରାମ ଓଜନର ନନ୍ଦିଘୋଷ ତିଆରି କରିଛନ୍ତି। ରଥ ମଧ୍ୟରେ ବିରାଜମାନ କରିଛନ୍ତି ଏକ ଇଂଚରୁ କମ୍(.୯୮) ଉଚ୍ଚତା ବିଶିଷ୍ଟ ଜଗନ୍ନାଥଙ୍କ ବିଗ୍ରହ। ରଥର ଲାଗିଛି ୧୬ ଟି ଚକ, ୨ଟି ଓଲଟ ଶୁଆ, ସାରଥି ଏବଂ ଘୋଡ଼ା। ଆକାର ଓ ଆୟତନ ଅଲଗା ରହିଥିଲେ ସୁଦ୍ଧା ଦେଖିବାକୁ ଅବିକଳ ନନ୍ଦିଘୋଷ ରଥ ପରି। ଏହାକୁ ତିଆରି କରିବାକୁ ରୁବେଲାଲ ବ୍ୟବହାର କରିଛନ୍ତି ଛୋଟ ଛୋଟ ଅଦରକାରୀ କାଠ, କପଡ଼ା, ଅଠା, ରଙ୍ଗ ଇତ୍ୟାଦି। ମାତ୍ର ୧୬ ଘଂଟା ପରିଶ୍ରମ କରି ସେ ଏଭଳି ସୁକ୍ଷ୍ମ କଳାସମ୍ପନ୍ନ ନନ୍ଦିଘୋଷ ରଥ। ଏହି ରଥ ମାତ୍ର ୩.୫ ଇଂଚ ଉଚ୍ଚତାର ହୋଇଥିବାରୁ ଏହାକୁ ଲିମକା ବୁକ୍ ଅଫ୍ ରେକଡ଼ର୍ସରେ ସ୍ଥାନ ଦେବାକୁ ଆଶା ବାନ୍ଧିଛନ୍ତି ରୁବେଲାଲ ନିକଟରେ ସେ ଅନୁଗୋଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ରଥକୁ ଦେଖାଇଛନ୍ତି। ସେହିପରି ଅନୁଗୋଳରେ ହେବାକୁ ଥିବା ଚଳିତ ରଥଯାତ୍ରାରେ ମଧ୍ୟ ସେ ଏହାକୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ କରିବାକୁ ଇଚ୍ଛାପ୍ରକଟ କରିଛନ୍ତି। ଅପରପକ୍ଷେ ତାଙ୍କର ଏହି ନିଆରା କଳାକୃତିକୁ ତାଳଚେର ଆଇ.ଟି.ଆଇ ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକ, ପ୍ରଶିକ୍ଷକ, କର୍ମଚାରୀ ତଥା ଛାତ୍ରଛାତ୍ରୀ ଭୂୟସୀ ପ୍ରଂଶସା କରିଛନ୍ତି। ଗତ ମଙ୍ଗଳବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଳଚେର ଆଇ.ଟି.ଆଇ ଅଧ୍ୟକ୍ଷ ସ୍ୱରୂପ ସମ୍ପତ ରଥ ରୁବେଲାଲଙ୍କୁ ତାଙ୍କର ସ୍ୱହସ୍ତ ନିର୍ମିତ ନନ୍ଦିଘୋଷ ରଥ ନିର୍ମାଣ ନିମନ୍ତେ ଏକ ସ୍ୱୀକୃତିପତ୍ର ପ୍ରଦାନ କରି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସେ ବାଲୁକା କଳା ହେଉ ଅବା ଛୋଟ ନନ୍ଦିଘୋଷ ରଥ ହେଉ ରୁବେଲାଲ ସର୍ବଦା ନିଜସ୍ୱ କଳାକୃତି ମାଧ୍ୟମରେ ତାଳଚେର ଆଇ.ଟି.ଆଇ କୁ ଗୈାରବାନ୍ୱିତ କରିଛନ୍ତି ବୋଲି ଅଧ୍ୟକ୍ଷା ଶ୍ରୀ ରଥ ମତପ୍ରକାଶ କରିଥିଲେ। ତେବେ ଉକ୍ତ ୩.୫ ଇଂଚ ଉଚ୍ଚତାବିଶିଷ୍ଟ ରଥ ନିଶ୍ଚିତଭାବେ ଲିମକା ବୁକ୍ ଅଫ୍ ରେକଡ଼ସ ରେ ସ୍ଥାନ ପାଇବ ବୋଲି ସେ ଆଶାପ୍ରକଟ କରିଥିଲେ। ଏବଂ ଆଇ.ଟି.ଆଇ ଅଧ୍ୟକ୍ଷଙ୍କ ଦ୍ୱାରା ପ୍ରଦତ ଉକ୍ତ ସ୍ୱୀକୃତିପତ୍ର ନିଶ୍ଚିତ ଭାବେ ରୁବେଲାଲଙ୍କ ରେକର୍ଡ଼ ପ୍ରତିଷ୍ଠା ନିମନ୍ତେ ବହୁ ଉପଯୋଗୀ ସାବସ୍ତ୍ୟ ହେବ ବୋଲି ଶ୍ରୀ ରଥ ଆଶାବ୍ୟକ୍ତ କରିଥିଲେ।
ରୁବେଲାଲ ପ୍ରଧାନ କଲେ ୩.୫ ଇଂଚ ବିଶିଷ୍ଟ ନନ୍ଦିଘୋଷ ରଥ; ଲିମକା ବୁକ୍ ଅଫ୍ ରେକଡ଼ର୍ସରେ ସ୍ଥାନ ପାଇବାକୁ ଆଶାୟୀ
|
July 3, 2019 |