ଝାଡ଼ଖଣ୍ଡ, ୦୪/୧/୨୦ (ସନ୍ଧାନ ନିଉଜ) : ବିଶ୍ୱରେ ଏମିତି କିଛି ରହସ୍ୟଜନକ ଘଟଣା ଘଟିଥାଏ, ଯାହା ଉପରୁ ଆଜି ବି ପରଦା ଉଠିପାରିନାହିଁ। ସେମିତି ଏକ ରହସ୍ୟମୟ କୁଣ୍ଡ ରହିଛି ଭାରତରେ। ଏହି କୁଣ୍ଡଟି ଝାଡ଼ଖଣ୍ଡର ବୋକାରୋ ଜିଲାରେ ରହିଛି। କୁହାଯାଏ, କୁଣ୍ଡ ନିକଟକୁ ଯାଇ ତାଳି ମାରିଲେ ଏହାର ପାଣି ଉପରକୁ ଉଠିଥାଏ। ଏହାକୁ ଦେଖିଲେ ଏକ ବାସନରେ ପାଣି ଉପରକୁ ଉଠିବା ପରି ପ୍ରତୀୟମାନ ହେବ। ଏହାର ରହସ୍ୟ ସମ୍ପର୍କରେ ଆଜିପର୍ଯ୍ୟନ୍ତ ଭୂ-ବୈଜ୍ଞାନିକମାନେ ମଧ୍ୟ ଜାଣି ପାରିନାହାନ୍ତି।
ଏହା ଦଲାହି କୁଣ୍ଡ ଭାବରେ ଜଣାଶୁଣା। ଏହାର ଚାରିପଟେ ସିମେଣ୍ଟ ଏବଂ କଂକ୍ରିଟ୍ ଘେରାଉ କରାଯାଇଛି। ଏହି କୁଣ୍ଡରୁ ଗରମଦିନରେ ଥଣ୍ଡାପାଣି ଏବଂ ଶୀତଦିନରେ ଗରମପାଣି ବାହାରିଥାଏ ଯାହା ଆଶ୍ଚର୍ଯ୍ୟଜନକ। ଲୋକଙ୍କ ବିଶ୍ୱାସ ରହିଛି, ଏହି କୁଣ୍ଡରେ ସ୍ନାନ କଲେ ଚର୍ମରୋଗ ପରି ସମସ୍ୟା ଦୂର ହୋଇଥାଏ। ଏହି ସ୍ଥାନରେ ପ୍ରତିବର୍ଷ ମକରମେଳା ଅନୁଷ୍ଠିତ ହେଉଥିବାରୁ ଦୂରଦୂରାନ୍ତରୁ ଲୋକେ ଆସିଥାନ୍ତି ସ୍ନାନ କରିବାକୁ। ଅନ୍ୟପକ୍ଷରେ ପ୍ରତି ରବିବାର ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ।