ଜେନାପୁର /(ସନ୍ଧାନ ନ୍ୟୁଜ )ଯାଜପୁରର ସଚେତନ ନାଗରିକ ମଞ୍ଚ (SNM) ଚଣ୍ଡୀଖୋଲ-ଦୁବୁରୀ ଜାତୀୟ ରାଜପଥରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ମଞ୍ଚ ପକ୍ଷରୁ ରାସ୍ତାରେ ଥିବା ୯ଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋକପାତ କରାଯାଇଛି, ଯେଉଁଥିରେ ଡାଇଭର୍ସନରେ ସୁରକ୍ଷା ଅଭାବ, ଅସମତଳ ରାସ୍ତା, ଅଧାପନ୍ତରିଆ ପୋଲ ନିର୍ମାଣ ଏବଂ ରାସ୍ତା ଆଲୋକୀକରଣର ଅଭାବ ଭଳି ବିଷୟ ରହିଛି।
ଜିଲ୍ଲାପାଳ ଶ୍ରୀ କର ଏସଏନଏମ୍ (SNM)କୁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଏହି ସମସ୍ୟାଗୁଡ଼ିକ ଉପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (NHAI) ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ସେ ଘୋଷଣା କରିଛନ୍ତି ଯେ, ୨ୟ ମାନପୁର ପୋଲ ନିର୍ମାଣ କାର୍ଯ୍ୟ ଆସନ୍ତା ତିନି ମାସ ମଧ୍ୟରେ ଆରମ୍ଭ ହେବ ଏବଂ ୧ମ ପୋଲରେ ଆଲୋକୀକରଣ ବ୍ୟବସ୍ଥା କରାଯିବ। ଏହାଛଡ଼ା, କଳିଙ୍ଗନଗର କମନ୍ କରିଡର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଶୀଘ୍ର ଆରମ୍ଭ ହେବ।
ଏ ସମ୍ପର୍କରେ ମତ ରଖି ଏସଏନଏମ୍ର ଆବାହକ ସରୋଜ ବେହେରା କହିଛନ୍ତି, “କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ସୁରକ୍ଷା ଆମର ମୁଖ୍ୟ ପ୍ରାଥମିକତା ଏବଂ ଏଥିପାଇଁ ଆମେ ଗତ ଦଶନ୍ଧି ଧରି ଅକ୍ଲାନ୍ତ ପରିଶ୍ରମ କରୁଛୁ।”



