ବାରିପଦା, ୧୯.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା) :- ରାଇରଙ୍ଗପୁର ଉପଖଣ୍ଡ ଅଧୀନ ବାଦାମପାହାଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଗତ କାଲି କରୋନା ଟିକାକରଣ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ କୁସୁମୀ ବିଡିଓ ଲକ୍ଷ୍ମଣ ଚରଣ ସୋରେନ ଏବଂ ସମ୍ମାନିତ ଅତିଥି ଭାବେ ବାରିପଦା ଏଡିପିଏ ଡ. ଏମ୍ ଏନ୍ ହାସନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଚିକିତ୍ସାଳୟର ଏମଓ ଡା. ରିତେଶ ଚୈତନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସ୍ବାସ୍ଥ୍ୟକେନ୍ଦ୍ରର ଡା. ପରେଶ ଚନ୍ଦ୍ର କିୟୁ, ପିଏଇଓ ନିତ୍ୟାନନ୍ଦ ନାୟକ, ବିପିଏମ୍ ନିରାକାର ନାୟକ, ଏଟିଏସ୍ ରୋହିତ କୁମାର ବାରିକ, ବିଡିଏମ୍ ଉମେଶ ମହାରାଣାଙ୍କ ସହ ମୋଟ ୧୩୦ ଜଣ ଏଲ୍ ଏଭି, ଏଏନ୍ଏମ, ଆଶାକର୍ମୀ ତଥା ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ଟିକା ନେଇଛନ୍ତି । ମୋରଡ଼ା ବ୍ଲକ୍ରେ କରୋନା ଟିକା ପ୍ରଦାନ ଆଜିଠାରୁ ଆରମ୍ଭ ହୋଇଛି। କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଟିକାକରଣ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସଂଗ୍ରାମ କେଶରୀ ସାହୁ ଉଦ୍ଘାଟନ କରିଛନ୍ତି । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରଥମ ପର୍ଯ୍ୟାୟରେ ୫୦ ଜଣଙ୍କ ପାଇଁ ଟିକା ଆସିଥିବା ବେଳେ ଆଜି ପ୍ରଥମେ ମମତା ସାହୁ ଓ ସଞ୍ଜୟ କୁମାର ସାହୁଙ୍କ ସହ ଅନ୍ୟମାନେ ଟିକା ନେଇଥିଲେ। ଷ୍ଟାଫନର୍ସ ଶଶିରେଖା ମିଶ୍ର, ମହିଳା ସ୍ଵାସ୍ଥ୍ୟକର୍ମୀ ଗାୟତ୍ରୀ ଆଗୁଆନ, ଆର୍ଷ ହେମ୍ରମ, କାନନବାଳା ଭଞ୍ଜ, ବିଡିଏମ୍ ନିବେଦିତା ମହାନ୍ତ ଏବଂ ସିକ୍ୟୁରିଟି ଗାର୍ଡ ପ୍ରଭାତ କୁମାର ମହାନ୍ତି ଏହି ଟିକାକରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ଥାନୀୟ ବଡ଼ସାହି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଆଦର୍ଶ ବିଦ୍ୟାଳୟର ନବନିର୍ମିତ ଛାତ୍ରାବାସ ପରିସରରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏଥିପାଇଁ ବ୍ୟାପକ ଗୋଷ୍ଠୀ ବନ୍ଦୋବସ୍ତ କରାଯାଇଥିଲା। ସ୍ଵାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସଂଜୀବ କୁମାର ବୈତାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଟିକାକରଣ କାର୍ଯ୍ୟକ୍ରମକୁ ବଡ଼ସାହି ବିଡିଓ କରୁଣାକର ଧନ୍ଦା ଏବଂ ତହସିଲଦାର ମମତାଜ ମହାରଣା ଉଦ୍ଘାଟନ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୋପୀନାଥ ପରିଡ଼ା ପ୍ରଥମେ ଟିକା ନେଇଥିଲେ। ପରେ ପରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ବୈତାଇ ଓ ଡା. ମୁକ୍ତିକାନ୍ତ ଗିରିଙ୍କ ସହ ୬୮ ଜଣ କରୋନା ଯୋଦ୍ଧା ତଥା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିତ୍-୧୯ ଟିକାକରଣ ଆରମ୍ଭ ହୋଇଛି। ବିଡିଓ ରାମଦାସ ଟୁଡ଼ୁ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ବିଡିଓ ଶ୍ରୀ ଟୁଡ଼ୁଙ୍କ ସହ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ଏବଂ ସମସ୍ତ ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସିକ୍ୟୁରିଟି ଗାର୍ଡ ବ୍ରଜମୋହନ କିୟୁ ପ୍ରଥମେ ଟିକା ନେଇଥିଲେ । ପରେ ପରେ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ଏହିପରି ମୋଟ ୧୦ ଜଣ ଟିକା ନେଇଛନ୍ତି। ଟିକା ନେଇଥିବା କୋଭିତ୍ ଯୋଦ୍ଧା ମାନଙ୍କଠାରେ କୌଣସି ପାର୍ଶ୍ଵପ୍ରତିକ୍ରିୟା ଦେଖାଯାଇ ନ ଥିବା ଜଣାପଡ଼ିଛି ।
ମୟୂରଭଞ୍ଜ ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ
|
January 19, 2021 |



