ଯାଜପୁର, ୦୭/୧୨/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ଧର୍ମଶାଳାରେ ସ୍ୱେଚ୍ଛାଚାର ଏବଂ ଦୁର୍ନିତି ସମସ୍ତ ପ୍ରକାର ସୀମା ଲଂଘି ଚାଲିଛି । ସୋମବାର ଦୁର୍ନିତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯିବା ଆକ୍ରୋଶରେ ଜଣେ ନବୀନ ଅନୁଗତଙ୍କୁ ବିଧାୟକଙ୍କ ସମର୍ଥକ ମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ତେବେ ଧର୍ମଶାଳାରେ ବି.ଜେ.ଡି ରେ ଗୋଷ୍ଠୀ କନ୍ଦଳ ଏବେ ରାଜନୈତିକ ହିଂସାର ରୂପ ନେବା ନେଇ ସାଧାରଣରରେ ଘୋର ଉଦବେଗ ପ୍ରକାଶ ପାଇଛି ।
ଖବରରୁ ପ୍ରକାଶ, ଧର୍ମଶାଳା ବ୍ଲକର ବୃନ୍ଦାଦେଇପୁର ପଂଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନା, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଆଖିବୁଜା ଦୁର୍ନିତି ନେଇ ବୃନ୍ଦାଦେଇପୁରର ମୁଖ୍ୟମନ୍ତ୍ରୀ ତଥା ବିଜୁ ପରିବାରର ଅନୁଗତ ଭାବେ ପରିଚିତ ରଂଜନ ଦାସଙ୍କ ଜରିଆରେ ହୋଇଥିବା ବହୁ ଅଭିଯୋଗ ଧର୍ମଶାଳା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏଥିନେଇ ଫାଇବ ଟି ସଚିବଙ୍କ ନିଦେ୍ର୍ଦଶ କ୍ରମେ ଏହି ପଂଚାୟତର ଦୁର୍ନିତି ନେଇ ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ହେବା ସହ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କାରଣ ଦର୍ଶାଅ ନୋଟିସ ନଂବର-୭୪୮୭ ତା୦୬.୧୧.୨୦ କରାଯାଇଛି । ଏହାସହ ପଂଚାୟତବାସୀଙ୍କ ଅଭିଯୋଗକୁ ଭିତି କରି ସତୀଶ ବିଶ୍ୱାଳଙ୍କ ତରଫରୁ ଏଥିନେଇ ଓଡିଶା ହାଇକୋର୍ଟରେ ମଧ୍ୟ ମାମଲା ନଂବର ଡବଲ୍ୟୁ.ପି.ସି ନଂବର- ୩୦୨୩୩ ରୁଜୁ ହୋଇଛି । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ସତୀଶଙ୍କ ନେତୃତ୍ୱରେ ମଧ୍ୟ ଏକ ବଡ ଧରଣର ର୍ୟାଲି କାରାଯାଇଛି । ଏହାର ଆକ୍ରୋଶରେ ଆଜି ରଂଜନ ଦାସଙ୍କୁ ବୃନ୍ଦଦେଇପୁର ଠାରେ ଦହିପୁର ଗ୍ରାମର ଧ୍ରୁବ ଚରଣ ଖଟୁଆ ମରଣାନ୍ତକ ଆକ୍ରମଣ କରି ରକ୍ତାତ କରି ଦେଇଛନ୍ତି । ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ ଲୁଚି ରହିଥିବା ଧ୍ରୁବ ଚରଣ ଅଚାନକ ରଂଜନଙ୍କୁ ଉପରକୁ ଆକ୍ରମଣ କରି ଗୋଟିଏ ଇଟାରେ ଖୁବ ଜୋରରେ ରଂଜନଙ୍କ ମୁଣ୍ଡକୁ ଆଘାତ କରିଥିଲା । ଏହାପରେ ରଂଜନ ରକ୍ତ ଜୁଡୁବୁଡ ହୋଇ ତଳେ ପଡି ଯିବାରୁ ତାଙ୍କୁ ଅତି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୁର୍ନିତି ନେଇ କାହିଁକି ଅଭିଯୋଗ କରୁଛ, କୋଉ ମୁଖ୍ୟମନ୍ତ୍ରୀ ଆମର କିଛି କରିପାରିବ ନାହିଁ, ଧର୍ମଶାଳାରେ ଆମେ ଯାହା କହିବୁ ସେଇଆ ହେବ ଆଦି କହି ଚିକ୍ରାର କରୁଥିଲେ । ଥାନାରେ ଏତଲା ଦେଲେ ଓଲଟା ମିଛ କେସ କରି ଥାନାରେ ପୁରାଇ ଦେବୁ, ଘର ପୋଡି ଦେବୁ, ଜୀବନରେ ମାରି ସଫା କରିଦେବୁ ଆଦି ଚିକ୍ରାର କରି ଗାଳି କରୁଥିଲେ । ତେବେ ଧର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିବା କାରଣରୁ ରାଜନୈତିକ ହିଂସା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି । ଏଥିନେଇ ରଂଜନ ଦାସଙ୍କ ତରଫରୁ ଜେନାପୁର ଥାନାରେ ଏତଲା ପ୍ରଦାନ କରାଯାଇ ଥିବା ବେଳେ ଆଇନ ଅନୁସାରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୁର୍ନିତି ନେଇ ଅଭିଯୋଗ କଲେ ବୋଲି ମାଡ ଖାଇଲେ ନବୀନ ଅନୁଗତ: ଧର୍ମଶାଳାରେ ରାଜନୈତିକ ହିଂସା
|
December 7, 2020 |



