ଦାରିଙ୍ଗବାଡ଼ି, ୨୫/୧୦ (ସନ୍ଧାନ ନିଉଜ) : ପୁଲିସର ଦମନଲୀଳା ବିରୋଧରେ ଶୁକ୍ରବାର ମାଓବାଦୀଙ୍କ ପକ୍ଷରୁ ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ମାଓବାଦୀମାନେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ବିଳମ୍ବିତ ରାତିରେ ମାଓବାଦୀ କ.ନୂଆଗାଁ ଥାନା ଅଧୀନ ସିର୍ତ୍ତିଗୁଡା ଗ୍ରାମ ନିକଟ ସିଆସୁଗାଠାରେ ୫୯ ନମ୍ବର ଜାତୀୟ ରାଜପଥ ଉପରେ ବିରାଟ ଗଛ କାଟି ପକାଇବା ସହ ଧମକପୂର୍ଣ ଲାଲ ବ୍ୟାନର ଲଗାଇଛନ୍ତି। ଫଳରେ ବାଲିଗୁଡା- ଦାରିଙ୍ଗବାଡି ମଧ୍ୟରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେହିପରି ତୁମୁଡିବନ୍ଧ ଥାନା ଅଧିନ କୁର୍ତ୍ତମଗଡ଼ ନିକଟ ପନ୍ଦର ମାଇଲ ତଗାଗଡା ୫୯ ଜାତୀୟ ରାଜପଥଠାରେ ସମାନ ଢଙ୍ଗରେ ମାଓବାଦୀ ଗଛ ପକାଇ ରାସ୍ତା ବନ୍ଦ କରିଛନ୍ତି। ଫଳରେ ବାଲିଗୁଡ଼ାରୁ ରାୟଗଡା ଓ କଳାହାଣ୍ଡି ଜିଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏହା ସହ ସେଠାରେ ମାଓବାଦୀଙ୍କ ଦ୍ବାରା ଲ୍ୟାଣ୍ଡମାଇନ ଖଞ୍ଜାଯାଇଥିବା ନେଇ ଅଞ୍ଚଳରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ପୁଲିସର ଗ୍ରୀନହଣ୍ଟ ଓ ସମାଧାନ ଭଳି ଅପରେଶନକୁ ବିରୋଧ କରିବା ସହ ମଦ ମୁକ୍ତ ଓଡିଶା ପାଇଁ ଆନ୍ଦୋଳନକୁ ଜୋରଦାର କରିବାକୁ ମାଓବାଦୀ ବ୍ୟାନରରେ ଉଲ୍ଲେଖ କରିଛନ୍ତି। ଉଭୟ ସ୍ଥାନରେ ପୋଲିସ ପହଁଞ୍ଚି ନ ଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ରହିଛି।
ମାଓବାଦୀଙ୍କ ଓଡ଼ିଶା ବନ୍ଦ ଡାକରା, କନ୍ଧମାଳର ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ
|
October 25, 2019 |



