କଟକ, ୨୦/୧୧(ସନ୍ଧାନ ନିୟୁଜ/ମାନସ ରାଉତ) : ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ‘ଜଗନ୍ନାଥ’ ମଙ୍ଗଳବାର ସନ୍ଧ୍ୟାରେ କଟକର ଜଗତପୁର ଠାରେ ମହାନଦୀକୁ ଖସିପଡ଼ିଛି। ସୂଚନା ଅନୁସାରେ ଚାଳକ ପୋଲ ଉପରେ ବସ ଯାଉଥିବା ବେଳେ ଏକ ମଇଁଷିକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ ଦ୍ୱାରା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ଲେଖାଯିବା ବେଳକୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ଥିବା ସୂଚନା ମିଳିଛି। ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଟୁଇଟ ଜରିଆରେ ସୂଚନା ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶା କରାଯାଉଛି। ଆହତମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ପିଟାଲରେ ଭେଟିଛନ୍ତି। ସେହିପରି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ବିଧାୟକ ପ୍ରଭାତ ବିଶ୍ୱାଳ, ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଆଦି ଆହତଙ୍କୁ ଭେଟିଛନ୍ତି।
ଇତି ମଧ୍ୟରେ ହେଲପ୍ଲାଇନ ନମ୍ବର (୦୬୭୧-୨୩୦୪୦୦୧) ଜାରି କରାଯାଇଛି। ଆବଶ୍ୟକ ପରିମାଣରେ ରକ୍ତ ରଖାଯାଇଥିବା ବେଳେ ଅଧିକ ଆହତମାନଙ୍କର ମୁଣ୍ଡରେ ଆଘାତ ଲାଗିଥିବାରୁ ସିଟିସ୍କାନର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାସ୍ଥଳରୁ ଆମ୍ବୁଲାନ୍ସଯୋଗେ ଆହତମାନଙ୍କୁ ଏସସିବି ଅଣାଯାଉଥିବା ବେଳେ କଟକ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖାଯାଇଛି।
ବସ୍ଟି ଅନୁଗୁଳ ଜିଲ୍ଲାର ତାଳଚେର ଠାରୁ କଟକ ଆସୁଥିଲା। ଜଗତପୁରରୁ ଶିଖରପୁର ଅଭିମୁଖେ ପ୍ରବେଶ କରୁଥିବା ବେଳେ ପୋଲ ଉପରୁ ମହାନଦୀକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
ସୂଚନା ଅନୁସାରେ ପୋଲ ଉପରେ ବସ୍ଟି ଯାଉଥିବା ବେଳେ କଡ଼ରେ ଥିବା ସୁରକ୍ଷା ବାଡ଼କୁ ଶକ୍ତ ଧକ୍କା ଦେଇ ମହାନଦୀକୁ ଖସିପଡ଼ିଥିଲା। ପ୍ରାଥମିକ ଖବରରୁ ଜଣାପଡ଼ିଛି ଯେ, ବସ୍ଟି ୩୦ ଫୁଟ୍ ତଳକୁ ଖସିପଡ଼ିଥିଲା।

ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ସୁଶାନ୍ତ ସେଠୀ କହିଛନ୍ତି, ବସ୍ରେ ୫୪ ଜଣ ଯାତ୍ରୀ ଥିଲେ। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକେ ନିୟୋଜିତ ଅଛନ୍ତି। ମହାନଦୀର ବାଲୁକା ଶର୍ଯ୍ୟାରେ ବସ୍ଟି ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବିତ ହେଉଛି। ଦୁର୍ଘଟଣାସ୍ଥଳ ନିକଟରେ ପାଣି ଥିବାରୁ ୨ଟି ଡଙ୍ଗା ସାହାଯ୍ୟରେ ଆହତମାନଙ୍କୁ ଆମ୍ବୁଲାନ୍ସକୁ ନିଆଯାଉଛି। ଅନ୍ୟପକ୍ଷରେ ଅନ୍ଧାର ହୋଇ ଯାଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଦେଖାଯାଇଛି। ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସମସ୍ତ ଆହତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବସ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।



