ନୂଆଦିଲ୍ଲୀ, ୨୭/୦୪/୨୦ (ସନ୍ଧାନ ନିଉଜ) : କରୋନା ମୁକାବିଲାକୁ ନେଇ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି କରୋନା ବିରୋଧରେ ଲୋକ ଲଢେଇ କରୁଛନ୍ତି। ଏହି ସଂଗ୍ରାମରେ ପ୍ରତ୍ୟେକ ଭାରତୀୟ ଜଣେ ସୈନିକ। ସରକାର ଜନତାଙ୍କ ସହଯୋଗ ପାଇ କରୋନା ଯୁଦ୍ଧରେ ବିଜୟୀ ହେବ। ଏବେ ‘ଦୋ ଗଜ ଜମିନ ବହୁତ ଜରୁରୀ’। କରୋନା ଭାଇରସ ଯେଉଁଭଳି ସଂକ୍ରମିତ ହେଉଛି ଏହି ସମୟରେ ସାମାଜିକ ଦୂତତ୍ୱ ଗୁରୁତ୍ୱ ବହନ କରେ। ଭବିଷ୍ୟତରେ ଯଦି କେବେ କରୋନାକୁ ନେଇ ଚର୍ଚ୍ଚା ହୁଏ ସେତେବେଳେ ଭାରତୀୟଙ୍କ ନାଁ ନିଶ୍ଚିତ ଆସିବ ବୋଲି ସେ କହିଛନ୍ତି।ରବିବାର ‘ଆଜିର ମନ୍କି ବାତ୍’ କାର୍ଯ୍ୟକ୍ରମ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ ଏ ମହାମାରୀ ସମୟରେ ଲୋକେ ପରସ୍ପରକୁ ସାହାଯ୍ୟ କରିବାକୁ ବାହାରି ପଡ଼ିଛନ୍ତି। ଚାଷୀମାନେ ଅଟଳ ରହି ଖାଦ୍ୟ ଯୋଗାଉଛନ୍ତି। କୃଷକମାନେ ‘ଅକ୍ଷୟ ପାତ୍ର’ ପ୍ରଦାନ କରିଥିବା କୃଷ୍ଣଙ୍କ ପରି। ସେମାନେ ଜନତାଙ୍କ ପାଖରେ ଖାଦ୍ୟଶସ୍ୟ ପହଞ୍ଚାଉଛନ୍ତି ବୋଲି ସେ କହିଛନ୍ତି। ସେ କହିଲେ ଡାକ୍ତରମାନେ ମହାମାରୀ ବିରୋଧରେ ଅହର୍ନିଶ ସଂଗ୍ରାମ କରୁଛନ୍ତି। ଚଳିତ ସଂକଟରେ ଲୋକେ ସେବାକାରୀ ମାନଙ୍କର ଗୁରତ୍ଵ ହୃଦୟଙ୍ଗମ କରିପାରିଛନ୍ତି। କିନ୍ତୁ କୋଭିଡ୍-୧୯ ଯୋଦ୍ଧାମାନଙ୍କୁ ଆଘାତ କରୁଥିବା କିଂବା ସେମାନଙ୍କ ପ୍ରତି ବୈଷମ୍ୟ ଭାବ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମୋଦି କହିଲେ କରୋନା ଭାଇରସ୍ ସଂକଟ ଯୋଗୁଁ ଆମ ଦେଶରେ ପୋଲିସ ପ୍ରତି ଦୃଷ୍ଟିଭଙ୍ଗୀ ବଦଳି ଯାଇଛି। ଅଭାବୀ ଲୋକେ ଖାଦ୍ୟ ପାଇବା, ବରିଷ୍ଠ ନାଗରିକମାନଙ୍କର ତତ୍ତ୍ଵ ନେବା ଓ ସର୍ବୋପରି ନାଗରିକମାନେ ଯେମିତି ହଇରାଣ ନ ହୁଅନ୍ତି- ଏ ସବୁ କଥା ପୋଲିସମାନେ ବୁଝାବୁଝି କରୁଛନ୍ତି। ସ୍ଥାନୀୟ ପ୍ରଶାସନ ଓ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ସେମାନେ ମହାମାରୀକୁ ପରାସ୍ତ କରିବାକୁ ସବୁ ମତେ ଉଦ୍ୟମ କରିଛନ୍ତି।



