ଜମ୍ମୁ ,୨/୩ (ସନ୍ଧାନ ନିଉଜ) : ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ୨ ଜଣ ପାକିସ୍ତାନୀ ରେଞ୍ଜର ଶନିବାର ନିହତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି, ଆଜି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଂଘନ ଜାରି ରହିଛି। ରାଜୌରୀ ଜିଲ୍ଲାକୁ ଲାଗିଥିବା ନିୟନ୍ତ୍ରଣ ସୀମାରେ ପାକିସ୍ତାନୀ ସେନାକୁ ଭାରତୀୟ ସେନା କଡ଼ା ଜବାବ ଦେଇଛି।
ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଫେରାଇ ଦେଇ ଶାନ୍ତିର ବାର୍ତ୍ତା ଦେଉଥିବା ପାକିସ୍ତାନ ପୁଣି ଥରେ ତା’ର ଖରାପ ପ୍ରକୃତି ବାହାର କରିଛି। ପାକିସ୍ତାନ ଅଭିନନ୍ଦନଙ୍କୁ ଶୁକ୍ରବାର ଭାରତ ଫେରାଉଥିବା ବେଳେ ସୀମାରେ ଗୁଳି ବର୍ଷା କରୁଥିଲା। ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲଂଘନ ଯୋଗୁଁ ୩ ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି। ଜବାବରେ ଭାରତୀୟ ସେନା କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି।
ପାକିସ୍ତାନୀ ଖବରକାଗଜ ‘ଡନ୍’ର ରିପୋର୍ଟ ଅନୁସାରେ ଭାରତୀୟ ସେନା ୨ ଜଣ ରେଞ୍ଜରଙ୍କୁ ନିପାତ କରିଛି। ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ମଧ୍ୟ କହିଛନ୍ତି, ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ ଜାରି ରହିଛି। ପୁଞ୍ଛ ଜିଲ୍ଲାର କୃଷ୍ଣାଘାଟି ସେକ୍ଟରରେ ପାକିସ୍ତାନର ଗୁଳିବର୍ଷାରେ ଜଣେ ଯୁବତୀ ଏବଂ ୨ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୨ ଜଣ ସୈନିକ ଏବଂ କିଛି ଲୋକ ଆହତ ହୋଇଛନ୍ତି।



