ବୁମ୍ ବେପାର

Spread the love

ଶୀର୍ଷକଟି ପଢ଼ିଲେ ଅଡ଼ୁଆ ଅଡ଼ୁଆ ଲାଗୁଛି ନା ! ଲାଗିବ କାରଣ, ବୁମ୍ କ’ଣ ଅନେକ ଜାଣି ନାହାଁନ୍ତି । ପାଠକେ ଆଜ୍ଞା, ସମସ୍ତେ ପ୍ରାୟ ଉଣା ଅଧିକ ଟିଭିରେ ସମ୍ବାଦ ଦେଖିଥିବେ । ସେଇଟା ଗୋଟେ ବାଡ଼ି ପରି ଜିନିଷଟା ଯେଉଁଟାରେ ମୁହଁ ଲଗାଇ ଟିଭି ଚ୍ୟାନେଲର ପ୍ରତିନିଧି ମାନେ ସେଇଟାକୁ ବୁମ୍ କହନ୍ତି । ଆଜିକାଲିର ସାମ୍ବାଦିକମାନଙ୍କ କଲମ କହିଲେ ଚଳେ ।
ଆଜିକାଲି ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁ ଜାଗାରେ ମାଳମାଳ ସାମ୍ବାଦିକ ଏହି ବୁମ୍ ଧରି ବୁଲୁଛନ୍ତି । ଏହି “ବୁମ୍” ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ବୁମ୍ ଟା ସହଜରେ ମିଳେ ନାହିଁ ତା ପାଇଁ କୁଆଡ଼େ ଟଙ୍କା ଦେବାକୁ ପଡୁଛି । ଅଳ୍ପ ଟଙ୍କା ନୁହେଁ ଆଜ୍ଞା ! ପାଞ୍ଚ ହଜାର ଟଙ୍କାରୁ ଆରମ୍ଭ କରି କୋଡ଼ିଏ ହଜାର ପର୍ଯ୍ୟନ୍ତ ଶୁଣିବାକୁ ମିଳୁଛି । ଯେତେ ବଡ଼ ଚ୍ୟାନେଲ ସେତେ ଅଧିକ ଟଙ୍କା ଦେବାକୁ ପଡୁଛି ।

ସମସ୍ତେ ଜାଣନ୍ତି ଗଣମାଧ୍ୟମ ହେଉଛି ଗଣତନ୍ତ୍ର ବ୍ୟବସ୍ଥାରେ ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ପ୍ରତିନିଧି ହେଲେ ଏହି ସ୍ତମ୍ଭର କର୍ମକର୍ତ୍ତା । ବେଶୀ ନୁହେଁ ୫୦ ବର୍ଷ ତଳେ ଯୋଗ୍ୟତା ବା ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିଙ୍କୁ ଗଣମାଧ୍ୟମ ପ୍ରତିନିଧି ରୂପେ ଚୟନ କରାଯାଉଥିଲା । ସେତେବେଳେ ହାତଗଣତି କେତୋଟି ଖବରକାଗଜ ପ୍ରକାଶିତ ହେଉଥିଲା । ଧିରେ ଧିରେ ରେଡ଼ିଓ, ରେଡ଼ିଓ ପରେ ଟିଭି, ଟିଭି ପରେ ସାମାଜିକ ଗଣମାଧ୍ୟମର ଆବିର୍ଭାବ ଯାହା ଏବେ ବହୁଳ ଭାବରେ ଆଦୃତ । ଏହି ଆଧାରରେ ସାମ୍ବାଦିକତାରେ ବି ପରିବର୍ତନ ଆସିଛି । ପ୍ରିଣ୍ଟ ମିଡି଼ଆ, ସାଟେଲାଇଟ(ଟିଭି), ଓ୍ବେବ ମିଡି଼ଆରେ କାମ କରୁଥିବା ସାମ୍ବାଦିକଙ୍କ ଖବର ପ୍ରସାରଣ କରୁଥିବା ଶୈଳୀ ଭିନ୍ନ ଭିନ୍ନ । ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଯୋଗୁଁ ଲୋକ ବହୁଳ ମାତ୍ରାରେ ମୋବାଇଲ୍ ଫୋନ୍ ବ୍ୟବହାର କଲେ । ଏହି ମୋବାଇଲ୍ ହିଁ ଓ୍ବେବ ମିଡ଼ିଆର ବହୁଳ ବ୍ୟବହାରର କାରଣ । ଲୋକମାନେ ନିଜ ଅଞ୍ଚଳର ଖବର ଠାରୁ ବିଦେଶର ଖବର କ୍ଷଣିକ ମଧ୍ୟରେ ପାଇ ପାରୁଛନ୍ତି । ଓ୍ବେବ୍ ମିଡ଼ିଆର ଲୋକପ୍ରିୟତାକୁ ଦେଖି ଏହାକୁ କେତେକ ବ୍ୟବସାୟରେ ପରିଣତ କରିଛନ୍ତି । ହଜାର ହଜାର ଓ୍ବେବ ପୋର୍ଟାଲ ଖୋଲି ଖବର ପ୍ରସାରଣ କରୁଛନ୍ତି । ଅନେକ ଲୋକ ଏହାକୁ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି । ଏହା ଛଡ଼ା ଏବେ କୁଆଡେ଼ ପୂର୍ବ ପରି ସାଟେଲାଇଟ୍ ବା ପୋର୍ଟାଲ୍ ଖୋଲିବା ପାଇଁ ଆବଶ୍ୟକ ପଡୁଥିବା ଟଙ୍କା ନିଜକୁ ଖର୍ଚ୍ଚ କରିବାକୁ ପଡୁନାହିଁ ବା ସାମ୍ବାଦିକମାନଙ୍କୁ ଦରମା ବି ଦେବାକୁ ପଡୁନାହିଁ । ଏହା ପାଇଁ ଆବଶ୍ୟକ ଅର୍ଥ ସାମ୍ବାଦିକମାନଙ୍କୁ ହିଁ ଦେବାକୁ ପଡୁଛି । ଆପଣମାନେ କହିବେ କିପରି ?
ଯଦି ଆପଣ କୌଣସି ସାମ୍ବାଦିକଙ୍କୁ ଏ ବିଷୟରେ ପଚାରିବେ ସେ କହିଦେବ । ଆପଣ ତା’ର ପ୍ରମାଣ ପାଇଯିବେ । ମୁଁ ଆପଣଙ୍କ ଜାଣିବା ପାଇଁ ଏଠାରେ ସୂଚାଇ ଦେଉଛି କିପରି ?
ପ୍ରାରମ୍ଭରେ ମୁଁ ଯେଉଁ ବୁମ୍ କଥା କହୁଥିଲି ତା’ର ଦାମ ହଜାର ଟଙ୍କାରୁ ଆରମ୍ଭ । ଜଣେ ଯଦି ସାମ୍ବାଦିକ ହେବା ପାଇଁ ଇଛୁକ ସେ ଏହି ବୁମ୍ ପାଇବାକୁ ହେଲେ ୫ ହଜାରରୁ ନେଇ ୨୦ ହଜାର ଟଙ୍କା ଉକ୍ତ ଗଣମାଧ୍ୟମ ମାଲିକଙ୍କୁ ଦେବାକୁ ପଡୁଛି। ହିସାବ କରନ୍ତୁ ଯଦି ୩୧୪ ବ୍ଲକ୍ ପାଇଁ ୩୧୪ ସାମ୍ବାଦିକ ଗୋଟିଏ ଗଣମାଧ୍ୟମରେ କାମ କରିବେ କେତେ ଟଙ୍କା ସେ ମାଲିକ ପାଇବେ ! ଏହି ଟଙ୍କାରେ ଫିତା କଟା କାମ ଶେଷ ହୋଇଯାଏ।

ଏହି ସାମ୍ବାଦିକମାନଙ୍କୁ ମାଲିକ ଦରମା ଦିଅନ୍ତି ନାହିଁ । ଆପଣ ଭାବୁଥିବେ ଦରମା ତ ଦିଅନ୍ତି ନାହିଁ, ଏ ସାମ୍ବାଦିକ ଭାଇମାନେ ନିଜ ହାତରୁ ଖର୍ଚ୍ଚ କରି ଖବର ପାଇଁ ଦୌଡ଼ୁଛନ୍ତି କାହିଁକି ? ଆଜ୍ଞା ଏଇଟା ହିଁ ମଞ୍ଜି କଥା । ଗଣମାଧ୍ୟମର ମାଲିକ ବିଜ୍ଞାପନରୁ ଟଙ୍କା ରୋଜଗାର କରନ୍ତି ଆଉ ସାମ୍ବାଦିକମାନେ ଏହି ବୁମ୍ ଦେଖାଇ ରୋଜଗାର କରନ୍ତି । ଆଜିକାଲି ଦୁର୍ନୀତିଖୋର ଲୋକସଂଖ୍ୟା କେତେ ଆପଣ ଅନୁମାନ କରନ୍ତୁ । ସେମାନେ ଏହି ବୁମ୍ ଦେଖିଲା କ୍ଷଣି ତାଙ୍କର ପଛ ପାଣି ହୋଇଯାଏ । ସେଥିପାଇଁ ଲଫାପା ଗୋଟିଏ ଧରାଇ ଦିଅନ୍ତି । ଲଫାପା ପାଇ ବୁମ୍ ଲୁଚିଯାଏ । ଯେତେ ବଡ଼ ଚ୍ୟାନେଲ୍ ବା ପରିଚି଼ତ ସାମ୍ବାଦିକ ସେତେ ବଡ଼ ଲଫାପା । ତେବେ ସବୁ ସାମ୍ବାଦିକ ଟଙ୍କା ଦେଇ ବୁମ୍ ଆଣନ୍ତି ନାହିଁ ବା ଲଫାପା ଆଶାରେ ନୁହେଁ । ଯେଉଁମାନେ ବିନା ଲଫାପା ଆଶାରେ କାମ କରୁଛନ୍ତି ସେହିମାନେ, ବୁମ୍ ଆଣି ବ୍ୟବସାୟ କରୁଥିବା ସାମ୍ବାଦିକମାନଙ୍କ ପାଇଁ, ଏବେ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି ।
ମୁଁ ଏଠାରେ ସୂଚନା ଦେଉଛି ଯେ, ପ୍ରିଣ୍ଟ୍ ମିଡି଼ଆ ଠାରୁ ସାଟେଲାଇଟ୍ ମିଡ଼ିଆ ପର୍ଯ୍ୟନ୍ତ ପ୍ରାୟ ସାମ୍ବାଦିକ ବନ୍ଧୁ ବୁମ୍ ବା ପରିଚ଼ୟ ପତ୍ର ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ଏମାନେ ଚିନ୍ତା କରିବା ଆବଶ୍ୟକ ଆମେ ଯାହା ପାଇଁ କାମ କରୁଛେ ସେ ଆମକୁ ପାରିଶ୍ରମିକ ଦେବା ଆବଶ୍ୟକ ନା କି ଆମେ ତାଙ୍କୁ । କିନ୍ତୁ ତାହା ନକରି ଏହି ବୁମ୍ ଦେଖାଇ ଏବେ କୁଆଡେ଼ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ଠାରୁ ବି ଟଙ୍କା ଆଣୁଛନ୍ତି।
ମୁଁ ସାମ୍ବାଦିକଙ୍କୁ ନିନ୍ଦା କରୁ ନାହିଁ ଯେଉଁମାନେ ଟଙ୍କା ଦେଇ ସାମ୍ବାଦିକ ହେବା ପାଇଁ ବୁମ୍ ବା ପରିଚ଼ୟ ପତ୍ର ଯୋଗାଡ଼ କରୁଛନ୍ତି ସେହିମାନଙ୍କ ପାଇଁ ଏ ସନ୍ଦର୍ଭଟି ଲେଖିଛି ।

Related Posts

About The Author

Add Comment