ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ: ପ୍ରଫୁଲ୍ଲ ମିଶ୍ର, ଗୀତାଞ୍ଜଳି ସାମନ୍ତରାୟଙ୍କୁ ଓସ୍‌ଜା ସମ୍ବର୍ଧନା

Spread the love

ଭୁବନେଶ୍ୱର, , ୨/୭(ସନ୍ଧାନ ନିଉଜ) : ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ରାଜ୍ୟର ଦୁଇ ବିଗତ ଦିନର ଫୁଟବଲ୍‌ ତାରକା ପ୍ରଫୁଲ୍ଲ ମିଶ୍ର ଏବଂ ଗୀତାଞ୍ଜଳି ସାମନ୍ତରାୟଙ୍କୁ ମଙ୍ଗଳବାର ସମ୍ବର୍ଧିତ କରିଛି। ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ ଅବସରରେ ଉଭୟଙ୍କୁ ବିଶ୍ୱର ଏକ ନମ୍ବର ପାରା ବ୍ୟାଡମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ସମ୍ବର୍ଧିତ କରିଥିଲେ। ରାଜ୍ୟ ପାଇଁ ସନ୍ତୋଷ ଟ୍ରଫି ଜାତୀୟ ଫୁଟବଲ୍‌ ପ୍ରତିଯୋଗିତାରେ ଖେଳିଥିବା ଗୋଲରକ୍ଷକ ପ୍ରଫୁଲ୍ଲ ମିଶ୍ର ନିରଂତର ଭାବେ ତୃଣମୂଳ ସ୍ତରରେ ଫୁଟବଲ୍‌ ବିକାଶରେ ନିଜକୁ ନିୟୋଜିତ ରଖିଛନ୍ତି। ୟୁନିଟ୍‌-୬ କ୍ରୀଡ଼ା ସଂଘର ଉପ ସଭାପତି ଭାବେ ତିନି ଦଶନ୍ଧି ଧରି ବିଦ୍ୟାଳୟ ସ୍ତରୀୟ ଏବଂ ରାଜ୍ୟସ୍ତରୀୟ ଫୁଟବଲ୍‌ ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ ଫୁଟବଲ୍‌ ଦୁନିଆକୁ ଏକାଧିକ ଯୁବ ଖେଳାଳି ପ୍ରଦାନ କରିବାରେ ପ୍ରମୁଖ ଭୂମିକା ତୁଲାଇ ଆସିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ମହିଳା ଫୁଟବଲ୍‌ ଦୁନିଆର ଆଦ୍ୟ ବ୍ୟକ୍ତିତ୍ୱ ତଥା ପୂର୍ବତନ ଓଡ଼ିଶା ଅଧିନାୟିକା ଗୀତାଞ୍ଜଳି ସାମନ୍ତରାୟଙ୍କର ଅବଦାନକୁ ଓସ୍‌ଜା ସ୍ୱୀକୃତି ପ୍ରଦାନ କରିଛି। ରାଜ୍ୟରେ ମହିଳାଙ୍କୁ ଖେଳିବା କଥା କୌଣସି ପରିବାର ଚିନ୍ତା କରିନଥିବା ବେଳେ ସାନଭଉଣୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ସହିତ ଓଡ଼ିଶାକୁ ନୂଆ ଦିଶା ଦେଇଥିଲେ ଗୀତାଞ୍ଜଳି। ବିଶ୍ୱ ପ୍ରତିଯୋଗିତା ଲାଗି ପ୍ରମୋଦ ଭଗତଙ୍କୁ ମଧ୍ୟ ଓସ୍‌ଜା ପକ୍ଷରୁ ଶୁଭକାମନା ପ୍ରଦାନ କରାଯାଇଥିଲା। ଓଡ଼ିଶା ପାରା ବ୍ୟାଡମିଣ୍ଟନ୍‌ ସଂଘ ସହାୟତାରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ଓସ୍‌ଜା ଉପ ସଭାପତି ସୁରେଶ ସ୍ୱାଇଁ ପୌରୋହିତ୍ୟ କରିଥିଲେ। ସମ୍ପାଦକ ସନାତନ ପାଣି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସର ମହତ୍ୱ ଏବଂ ଅବଦାନକୁ ଅତୁଳନୀୟ ବୋଲି ଅଭିହିତ କରିଥିଲେ। କୋଷାଧ୍ୟକ୍ଷ ହିମାଂଶୁ ପତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment