ମୁମ୍ବାଇ, ୦୧/୧୨(ସନ୍ଧାନ ନିୟୁଜ) : ଅନେକ ସମୟରେ ଗୃହିଣୀମାନେ ଘରେ ଅତିରିକ୍ତ ଗ୍ୟାସ୍ ସିଲିଣ୍ଡର ରଖିବାକୁ ଇଚ୍ଛା କରିଥିଲେ ବି ସେମାନଙ୍କ ଇଚ୍ଛା ପୂରଣ ହୋଇପାରି ନଥାଏ। ଗ୍ୟାସ୍ ସିଲିଣ୍ଡରଟିଏ ଆଣିବା ପାଇଁ ଠିକଣା ପ୍ରମାଣ ଦେବା ସହ ଆହୁରି ଗୁଡ଼ାଏ ଝାମେଲାରେ ପଶିବାକୁ ପଡ଼ିଥାଏ ବୋଲି ଆଗ୍ରହ କମ୍ ହୋଇଥାଏ। ତେବେ ଏପରି ଲୋକମାନଙ୍କ ପାଇଁ ଏକ ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି।
ନିକଟରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ(ଆଇଓସି) ପକ୍ଷରୁ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ରେ ଏ ନେଇ ଏକ ସୂଚନା ପ୍ରଦାନ କରାଯାଇଛି। ଫଳରେ ଏଣିକି ବିନା ଠିକଣା ପ୍ରମାଣରେ ଗ୍ରାହକ ଗ୍ୟାସ୍ ସିଲିଣ୍ଡର ପାଇପାରିବେ।
ଆଇଓସି ଶୁକ୍ରବାର ଟୁଇଟ୍ କରି ସୂଚନା ପ୍ରଦାନ କରିଛି ଯେ ଏଣିକି ଖୁବ୍ ସହଜରେ ରାନ୍ଧଣା ଗ୍ୟାସ୍ ସିଲିଣ୍ଡର ମିଳିବ। ଗ୍ରାହକ ଚାହିଁଲେ ୫ କିଲୋ ପର୍ଯ୍ୟନ୍ତ ବିନା ଠିକଣା ପ୍ରମାଣରେ କେବଳ ଟଙ୍କା ଦେଇ ଗ୍ୟାସ୍ ନେଇ ପାରିବେ।
ଆଇଓସିର ଟୁଇଟ୍ ମୁତାବକ ଗ୍ରାହକ କୌଣସି ବି ଡିଷ୍ଟ୍ରିବୁଟରଙ୍କ ନିକଟରୁ ଏହି ୫ କିଲିଆ ଗ୍ୟାସ୍ ସିଲିଣ୍ଡର ଆଣିପାରିବେ। ଏଥିପାଇଁ ଗ୍ରାହକଙ୍କୁ କୌଣସି ଠିକଣା ପ୍ରମାଣପତ୍ର ଦେବାର ଆବଶ୍ୟକତା ନାହିଁ।


