ବାଲେଶ୍ବର, 05.02.2021 (ସନ୍ଧାନ ନିଉଜ୍ ):- ସାବଧାନ! ଅପରାହ୍ନ ୩ଟାରୁ ସାଢ଼େ ୩ଟା ଭିତରେ ବାଲେଶ୍ୱରର ଅମକ ୱାର୍ଡ, ମୟୂରଭଞ୍ଜ ରାଇରଙ୍ଗପୁରର ଅମକ ପଞ୍ଚାୟତର ସମକ ଗାଁରେ ବଜ୍ରପାତ ହେବା ଆଶଙ୍କା ଅଛି । ସନ୍ଧ୍ୟା ୬ଟା ୪୫ରୁ ୭ଟା ମଧ୍ୟରେ ଭଦ୍ରକ ଭଣ୍ଡାରିପୋଖରୀ ଓ କେନ୍ଦୁଝର ଆନନ୍ଦପୁରର ଉକ୍ତ ଗାଁରେ କାଳବୈଶାଖୀ ପ୍ରକୋପରେ ଝଡ଼ ତୋଫାନ ହୋଇପାରେ । ଆଗାମୀ ଦିନରେ ଉତ୍ତର ଓଡ଼ିଶାରେ ବେଶ୍ ଆଗୁଆ ମିଳିିଯିବ ବଜ୍ରପାତ ଓ କାଳବୈଶାଖୀ ସମ୍ପର୍କିତ ପାଣିପାଗ ସତର୍କ ସୂଚନା । ନିର୍ଦ୍ଦିଷ୍ଟ ଗାଁ ଏବଂ ୱାର୍ଡକୁ ଚିହ୍ନଟ କରି ସତର୍କ ସୂଚନା ଜାରି କରାଯିବ । ଏଭଳି ସତର୍କ ସୂଚନା ମାଧ୍ୟମରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ରୋକାଯାଇପାରିବ । ଏହି ଉଦ୍ଦେଶ୍ୟ ନେଇ ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର (ଥଣ୍ଡରଷ୍ଟ୍ରମ ରିସର୍ଚ୍ଚ ଟେଷ୍ଟ ବେଡ୍) । ଦେଶରେ ପ୍ରଥମ କରି ଏଭଳି ଅତ୍ୟାଧୁନିକ ପାଣିପାଗ ଗବେଷଣା କେନ୍ଦ୍ର ଓଡ଼ିଶାର ବାଲେଶ୍ୱରରେ ପ୍ରତିଷ୍ଠା ହେବାକୁ ଯାଉଛି । ଖୁବଶୀଘ୍ର ଏ ଦିଗରେ କାମ ଆରମ୍ଭ କରିବ ଭୂ-ବିଜ୍ଞାନ ମନ୍ତ୍ରାଳୟ । ବଜ୍ରପାତଜନିତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଉପରେ ଗୁରୁତ୍ୱ ଦେଉଛି । ଉତ୍ତର ଓଡ଼ିଶା ବଜ୍ରପାତ ପ୍ରବଣ ଅଞ୍ଚଳ ହୋଇଥିବାରୁ ବାଲେଶ୍ୱରରୁ ଏହି ନୂଆ ଜ୍ଞାନକୌଶଳର ଉପଯୋଗ ଆରମ୍ଭ ହେବ । ଆଇଏମ୍ଡି ପ୍ରସ୍ତାବ ଦେଇଛି, ବାଲେଶ୍ୱରରେ ବଜ୍ରପାତ ଗବେଷଣା କେନ୍ଦ୍ର ହେବ । ଆଇଏମ୍ଡି, ଇସ୍ରୋ, ଭୂ ବିଜ୍ଞାନ ମନ୍ତ୍ରାଳୟ ଏବଂ ଡିଆରଡିଓ ମିଳିତ ଭାବେ ଏଥିପାଇଁ କାମ କରିବେ । ବାଲେଶ୍ୱରରେ ଅତ୍ୟାଧୁନିକ ପାଣିପାଗ ମାପକ ଯନ୍ତ୍ର ଲଗାଯିବ । ଏଭଳି ଅତ୍ୟାଧୁନିକ ଯନ୍ତ୍ରପାତି ରହିବ, ଯେମିତି କାଳବୈଶାଖୀ କିମ୍ବା ବଜ୍ରପାତ ନେଇ ଢେର ଆଗୁଆ ଏବଂ ନିର୍ଦ୍ଧିଷ୍ଟ ଅଞ୍ଚଳ ପାଇଁ ପୂର୍ବାନୁମାନ ଜାରି କରାଯାଇପାରିବ । ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଭାରତରେ ପ୍ରଥମ କରି ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ । ଏହି ବ୍ୟବସ୍ଥାକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରିବାକୁ ପ୍ରାୟ ୫ ବର୍ଷ ସମୟ ଲାଗିବ । ଉତ୍ତର ଓଡ଼ିଶାରେ ବଜ୍ରପାତଜନିତ ଧନଜୀବନ ହାନି ରୋକିବାରେ ଏହା ବଡ଼ ଭୂମିକା ନେବ । ବୈଜ୍ଞାନିକଙ୍କ ମିଳିତ ଟିମ୍ ଏ କ୍ଷେତ୍ରରେ କାମ କରିବେ । ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସବୁବେଳେ ସାମ୍ନା କରି ଆସୁଛି ଓଡ଼ିଶା । ଆଗୁଆ ପାଣିପାଗ ସୂଚନା ଯୋଗୁ ରାଜ୍ୟ ସରକାର ଏବଂ ଓଡ଼ିଶାବାସୀ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରିପାରୁଛନ୍ତି । ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ସାରା ବିଶ୍ୱ ପାଇଁ ମଡେଲ୍ ପାଲଟିଛି । ଏଥିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଗୁଆ ସତର୍କତା ଯୋଗୁ ବିପର୍ଯ୍ୟୟ ବେଳେ ଜିରୋ କାଜୁଆଲିଟିକୁ ମନ୍ତ୍ର କରିପାରିଛି ଓଡ଼ିଶା । ମାତ୍ର ପ୍ରତିବର୍ଷ ବଜ୍ରପାତ ଓ କାଳବୈଶାଖୀ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ବହୁ ସଂଖ୍ୟାରେ ଜୀବନ ଯାଉଛି । ଗତ ଡିସେମ୍ବରରେ ଜାରି ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ବଜ୍ରପାତ କାରଣରୁ ୧୭୭୧ ଜୀବନ ଯାଇଛି । ଏଥିରେ ଉତ୍ତରପ୍ରଦେଶରେ ୨୯୩, ମଧ୍ୟପ୍ରଦେଶରେ ୨୪୮, ବିହାରରେ ୨୨୧ଜଣଙ୍କ ମୃତ୍ୟୁ ହୋଇଥିଲା । ଓଡ଼ିଶାରେ ବଜ୍ରପାତ ଯୋଗୁ ୨୦୦ଜଣଙ୍କ ମୃତ୍ୟୁ ହୋଇଥିଲା । ଓଡ଼ିଶାରେ ହୋଇଥିବା ବଜ୍ରପାତଜନିତ ମୃତ୍ୟୁରେ ଅଧିକାଂଶ ଥିଲେ ଉତ୍ତର ଓଡ଼ିଶାର ।
ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର
|
February 5, 2021 |
![](https://sandhannews.com/wp-content/uploads/2021/01/SAN-1.jpg)