ବାରିପଦା,୨୭/୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ସ୍ଥାନୀୟ ତତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ଅବ୍ୟବସ୍ଥା ସଂପର୍କରେ ଜିଲ୍ଲାର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ସଚେତନ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ୨୦୧୮ ମସିହାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଓଡିଆ, ଇଂରାଜୀ, ଗଣିତ, ଶିକ୍ଷା, ନୃତତ୍ତ୍ବ ଓ ଆଦିବାସୀ ଶିକ୍ଷା, ବନ୍ୟପ୍ରାଣୀ ଓ ଜୈବ ବିବିଧତା, ସମାଜସେବା, କମ୍ପ୍ୟୁଟରବିଜ୍ଞାନ, ବାଣିଜ୍ୟ ପ୍ରଶାସନ, ସଂଯୁକ୍ତ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ଆଦି ସ୍ନାତକୋତ୍ତର ସ୍ଵୟଂ ବିଭୀୟ ବିଭାଗ ଗୁଡିକୁ ବନ୍ଦ କରି ସରକାରୀ ନିୟମିତ ବିଭାଗରେ ପରିଣତ କରିବା ପାଇଁ ୫୦ ରୁ ଉର୍ଦ୍ଧ୍ବ ଶିକ୍ଷକ ପଦବୀ ମଞ୍ଜୁର ହୋଇଥିଲା । ବିଡମ୍ବନାର ବିଷୟ ଅବଧୂ ସରିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ଶିକ୍ଷକ ପଦବୀ ଗୁଡିକରେ ଶିକ୍ଷକ ନିଯୁକ୍ତି ଦିଆଯାଇ ପାରିଲା ନାହିଁ । ଫଳରେ ଛାତ୍ରଛାତ୍ରୀମାନେ ବର୍ଷକୁ ୨୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସ୍ବୟଂ ବିଭୀୟ ବ୍ୟବସ୍ଥାରେ ସ୍ୱଳ୍ପ ସଂଖ୍ୟକ ଠିକା ଶିକ୍ଷକଙ୍କ ପାଖରେ ପଢିବାକୁ ବାଧ୍ୟ ହେଉଛନ୍ତି । ଦୁଇବର୍ଷ ଧରି ସ୍ଵୟଂ ବିଭୀୟ ବ୍ୟବସ୍ଥାରେ ପାଠ ପଢି ଆସୁଥିବା ପିଲା ଏ ଅବ୍ୟବସ୍ଥାରୁ ମୁକ୍ତି ପାଇ ପାରିନାହାନ୍ତି । ନିୟମିତ ଶିକ୍ଷକ ଅଭାବରୁ ଏମଫିଲ୍, ପିଏଚଡି ପାଠପଢାରୁ ବର୍ଷ ବର୍ଷ ଧରି ବଞ୍ଚିତ ହୋଇଆସୁଛନ୍ତି । କରୋନା ମହାମାରୀ ଅଭିଭାବକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ବିଶ୍ବ ବିଦ୍ୟାଳୟର ବିଭାଗୀୟ ଉଦାସୀନତା ଛାତ୍ରଛାତ୍ରୀଙ୍କ ମନୋବଳକୁ ମଧ୍ୟ ଭାଙ୍ଗିଦେଉଛି । ତେବେ ୨୦୨୦ ଶିକ୍ଷାବର୍ଷ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ପୁସ୍ତିକାରେ ମୁଖ୍ୟ ପରିସରର ଇଂରାଜୀ ବିଭାଗ ବ୍ୟତୀତ ସରକାରୀ ମୁ ରୀପ୍ରାପ୍ତ ଅନ୍ୟ ବିଭାଗ ଗୁଡିକୁ ସରକାର ନିୟମିତ ଭାବରେ ଲିପିବଦ୍ଧ କରିଥିବା ଦେଖାଯାଇଛି । ଏଥିପାଇଁ ଜିଲ୍ଲାବାସୀ କୃତଜ୍ଞତା ପ୍ରକାଶ କରିବା ସହ ଉକ୍ତ ବିଭାଗ ଗୁଡିକର ସରକାରୀ ଅଧ୍ୟାପକ ନିଯୁକ୍ତି କରିବାକୁ ଦାବି ଜଣାଇଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ ୨୦୧୮ ଜୁନ୍ ୧୧ ତାରିଖର ୧୭୨୮୬ ନିର୍ଦ୍ଦଶେନାମା ଅନୁଯାୟୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ପରିସରରେ ବାରିପଦାରେ ଇଂରାଜୀ ସ୍ଵୟଂ ବିତ୍ତୀୟ ବିଭାଗକୁ ସରକାରୀ ନିୟମିତ ବିଭାଗରେ ପରିଣତ ପାଇଁ ଗୋଟିଏ ପ୍ରଫେସର, ଗୋଟିଏ ଆସୋସୋଏଟ୍ ପ୍ରଫେସର, ଦୁଇଗୋଟି ଆସିଷ୍ଟାଣ୍ଟ ପ୍ରଫେସର ନିୟମିତ ଶିକ୍ଷକ ପଦବୀ ମଞ୍ଜୁର କରିଥିଲେ। ଅଥଚ ବିଶ୍ବବିଦ୍ୟାଳୟ ୨୦୨୦ ଜାନୁଆରୀ ୪ ର ନିଯୁକ୍ତି ବିଜ୍ଞାପନ ସଂଖ୍ୟା ୩୫ ଅନୁଯାୟୀ ଚାରିଗୋଟି ପଦବୀ ବିଶ୍ବବିଦ୍ୟାଳୟ ଦ୍ବିତୀୟ ପରିସରକୁ କେନ୍ଦୁଝରକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଥିଲା । ବାରିପଦାରେ ଆଦୌ ସରକାରୀ ନିୟମିତ ଶିକ୍ଷକ ପଦବୀ ନ ଥିବାବେଳେ ଚଞ୍ଚକତା କରି ତେଲିଆ ମୁଣ୍ଡରେ ତେଲ ଢାଳିଲା ପରି ସରକାର ବିଶ୍ୱବିଦ୍ୟାଳୟର ଦ୍ବିତୀୟ ପରିସର କେନ୍ଦୁଝରକୁ ଦେଇଦେଲେ । ଫଳରେ ବାରିପଦା ମୁଖ୍ୟ ପରିସରରେ ସ୍ନାତକୋତ୍ତର ସ୍ଵୟଂ ବିଭୀୟ ଇଂରାଜୀ ବିଭାଗଟି ସବୁଦିନ ପାଇଁ ସ୍ଵୟଂ ବିଭୀୟ ହୋଇ ରହି ଗଲା। ବିଭାଗୀୟ କର୍ତ୍ତୁପକ୍ଷ ବର୍ଷ ବର୍ଷ ଧରି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଗୁଡିକୁ ପୂରଣ ନ କରିବା, ପିଲାଙ୍କୁ ଆର୍ଥ କୁ ଶୋଷଣ କରିବା, ସରକାରୀ ବିଭାଗରେ ପଢିବା ସୁଯୋଗରୁ ବଞ୍ଚିତ କରିବା, ସ୍ଵୟଂ ବିଭୀୟ ବ୍ୟବସ୍ଥାକୁ ଚାଲୁ ରଖୁବାକୁ ଚକ୍ରାନ୍ତ କରିବା, ଚଞ୍ଚକତା କରି କତେକ ନିୟମିତ ଶିକ୍ଷକ ପଦବୀକୁ କେନ୍ଦୁଝର ସ୍ଥାନାନ୍ତର କରିବା ଆଦି ମୟୂରଭଞ୍ଜବାସୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣ ପ୍ରତିବାଦରେ ଜିଲ୍ଲାର ସଚେତନଶୀଳ ନାଗରିକ, ବୁଦ୍ଧିଜୀବୀ ତଥା ବରିଷ୍ଠନାଗରିକ ସମୂହ ଏକ ନିବେଦନପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମଞ୍ଜୁରୀ ପ୍ରାପ୍ତ ନିୟମିତ ଶିକ୍ଷକ ପଦବୀ ଗୁଡିକୁ ନିଯୁକ୍ତି ଦେଇ ସ୍ଵୟଂ ବିଭୀୟ ପାଠ୍ୟବ୍ୟବସ୍ଥାକୁ ବନ୍ଦ କରିବା ଏବଂ କେନ୍ଦୁଝରକୁ ଦିଆଯାଇଥିବା ଚାରିଶୋଧ ଇଂରାଜୀ ଶିକ୍ଷକ ପଦବୀ ଗୁଡିକୁ ଫେରାଇଆଣିବା ସଂପର୍କରେ ଉପଯୁକ୍ତ ବିଚାର ନ ହେଲେ ଜିଲ୍ଲାରେ ଗଣ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ବାରମ୍ବାର ଦାବୀ ସଢ଼େ ସରକାର ଏ ଦିଗରେ ସଚେତନ ହେଉ ନଥିବାରୁ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାବାସୀଙ୍କ ତରଫରୁ ଏହି ସ୍ମାରକ ପତ୍ରରେ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ, ଶରତ ଚନ୍ଦ୍ର ନାୟକ, ବସନ୍ତ କୁମାର ମହାନ୍ତ, ସଚ୍ଚିଦାନନ୍ଦ ଆଚାର୍ଯ୍ୟ, ନରେନ୍ଦ୍ର ମୋହନ ସେନାପତି, କୃଷ୍ଣଚନ୍ଦ୍ର ଦାସ, ତପନ କୁମାର ରାଉତ, ଧୂରେନ୍ଦ୍ରନାଥ ସାମଲ, ଜ୍ଞାନରଞ୍ଜନ ତ୍ରିପାଠୀ, ଜଗନ୍ନାଥ ଦେ, ଉମାକାନ୍ତ ରାଉତ, ଡଃ ଅଜୟ କୁମାର ସାମଲ, ଉମାଶଙ୍କର ଦାସ, ସସ୍ମିତା ମଲ୍ଲିକ, ଦିବାକର ସାହୁ, ମୃତ୍ୟୁଞ୍ଜୟ ମହାପାତ୍ର ଙ୍କ ସମେତ ୫୦ରୁ ଅଧୁକ ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ଦସ୍ତତଖ ଦେଇ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ଏହି ଅବ୍ୟବସ୍ଥା ସଂପର୍କରେ ମାନ୍ୟବର ମୁଖମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।