ବାରିପଦା, ୧୧/୦୯ (ସନ୍ଧାନ ନିଉଜ): ବାରିପଦାର ବିଭିନ୍ନ ଜଳାଶୟ ଏବେ ସମ୍ପୂର୍ଣ୍ଣ ବିଲୁପ୍ତ ଅବସ୍ଥାରେ । କୌଣସି ଜଳାଶୟର ଜଳ ଏବେ ବ୍ୟବହାର ଉପଯୋଗୀ ନୁହେଁ । ରାଜତନ୍ତ୍ର ଅମଳରୁ ଶହଶହ ବର୍ଷ ଧରି ଲୋକଙ୍କ ବ୍ୟବହାରରେ ଆସୁଥିବା ସହରର ସମସ୍ତ ଜଳାଶୟଗୁଡ଼ି କ ପକ ଓ ଦଳରେ ଭରି ହୋଇ ରହିଛି । କେତେକ ସ୍ଥଳରେ ଡମ୍ପିୟାର୍ଡ ପାଲଟିଛି । ଫଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ବାହାଘର ବେଳେ ବାଇଗଣ ରୁଆ ପରି ଠିକ୍ ଗତ ପୌର ପରିଷଦ ଭାଙ୍ଗିବା ପୂର୍ବରୁ ଗୋଟିଏ ଦିନରେ ଯୁଦ୍ଧକାଳୀନ ଭିଭିରେ ରାତାରାତି ବିଭିନ୍ନ ସ୍ଥାନରେ ଫଳକ ଲଗାଇ ବାରିପଦା ପୌର ପରିଷଦ ଚେୟାରମ୍ୟାନ୍ ଓ କାଉନ୍ସିଲରଙ୍କ ସମେତ ତତ୍କାଳୀନ ବାରିପଦା ବିଧାୟକ ତଥା ବାଚସ୍ପତିଙ୍କ ନାମ ଥାଇ ଭିଭିପ୍ରସ୍ତର କାର୍ଯ୍ୟ ସରିଛି । ୨୦୧୯ ମସିହା ଫେବୃଆରୀ ୧୨ରେ ଭିଭିପ୍ରସ୍ତର କାର୍ଯ୍ୟ କରାଯିବା ପରେ ସମସ୍ତ ଜଳାଶୟଗୁଡ଼ିକର ସୌଦର୍ଯ୍ୟକରଣ ସେମିତି ଫଳକରେ ସୀମିତ ହୋଇ ରହିଛି। ଠିକ୍ ତଦ୍ରୁପ ଅବସ୍ଥା ହୋଇଛି ବାରିପଦା ସହରର ୧୫ ନଂ ୱାର୍ଡରେ ଥିବା ଏକମାତ୍ର ପୁଷ୍କରିଣୀର। ଏଠାରେ ୨୦୧୯ ଫେବୃଆରୀ ୧୨ରେ ପୋଖରୀର ସୌନ୍ଦର୍ଯ୍ୟକରଣ ନିମିର ଫଳକ ଲାଗିଛି । କିନ୍ତୁ ଅଦ୍ୟାବଧି ଅନ୍ୟ ଜଳାଶୟ ପରି ଏହି ପୁଷ୍କରିଣୀର ଭାଗ୍ୟ ମଧ୍ୟ ବନ୍ଧା ପଡ଼ିଛି । ଏହି ପୋଖରୀ ଉପରେ ନିର୍ଭର କରୁଥିବା ୧୫ନୱାର୍ଡ ବାସିନ୍ଦାଙ୍କଠାରୁ ଆରମ୍ଭ କରି ୧୯ ନମ୍ବର ୱାର୍ଡ ଏବଂ ୧୬ ନମ୍ବର ୱାର୍ଡର ବାସିଦା ମଧ୍ୟ ଏହି ପରିତ୍ୟକ୍ତ ପୁଷ୍କରିଣୀର ଜଳ ବ୍ୟବହାର କରି ନାନା ପ୍ରକାର ଚର୍ମରୋଗରଶିକାର ହେଉଛନ୍ତି । ବିଶେଷ କରି କରୋନା ମହାମାରୀ ସମୟରେ ୧୫ ନଂ ୱାର୍ଡର ଗରିବ ଲୋକଙ୍କ ଶୌଚ ଓ ଗାଧୋଇବା ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ଏହି ପୁଷ୍କରିଣୀ ଜଳ ଉପରେ ନିର୍ଭର କରି ମହାମାରୀର ଶିକାର ହେଉଛନ୍ତି । ଉକ୍ତ ୱାର୍ଡ ବାସିନ୍ଦାଙ୍କ ଶୋଚନିମିତ୍ତ ମଧ୍ୟ ବ୍ୟବସ୍ଥା ନାହିଁ । ସେମାନେ ଏହି ପୋଖରୀ କଡ଼ରେ ଶୌଚ ହେବା ଯୋଗୁଁ ସମଗ୍ର ଅଞ୍ଚଳ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ପୋଖରୀ କଡ଼ ଦେଇ ଯିବା ଆସିବା ବେଳେ ନାକ ଫାଟି ପଡୁଛି । ପୋଖରୀ ଚାରିକଡ଼ ଅଳିଆ ଆବର୍ଜନାରେ ଭର୍ତ୍ତି । ପୌର ପରିଷଦ ପକ୍ଷରୁ ଏହାକୁ ସଫେଇ କରାଯାଉ ନାହିଁ । ସେପଟେ ପୋଖରୀର ପାଣି ମଧ୍ୟ ପଚିଗଲାଣି । ତଥାପି ବସ୍ତି ବାସିନ୍ଦାଙ୍କ ବ୍ୟବହାର ପାଇଁ ଜଳର ବ୍ୟବସ୍ଥା ନ ଥିବାରୁ ସେମାନେ ବାଧ୍ୟ ହୋଇ ଏହି ଦୂଷିତ ଜଳ ବ୍ୟବହାର କରୁଛନ୍ତି । ସ୍ଥାନୀୟ ବାସିନ୍ଦା ଏ ନେଇ ବାରମ୍ବାର ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ଠାରୁ ଆରମ୍ଭ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏ ଯାଏଁ କୌଣସି ସୁଫଳ ମିଳିନି । ସ୍ଥାନୀୟ ବାସିନ୍ଦା ଏକଜୁଟ ହୋଇ ନୂଆ କରି ଆସିଥିବା ଉପଜିଲ୍ଲାପାଳ ତଥା ପୌରପରିଷଦ ନିର୍ବାହୀ ଅଧିକାରୀ ପି ଅବୈଷା ରେଢ଼ୀଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି । ସେମାନଙ୍କ ଦୁଃଖ ଜଣାଇବା ସହ ତୁରନ୍ତ ପୋଖରୀ ପୁନଃ ଉଦ୍ଧାର କରି ବସ୍ତି ବାସିନ୍ଦାଙ୍କୁ ଜଳକଷ୍ଟରୁ ମୁକ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ପୌର ର ନିର୍ବାହୀ ଅଧିକାରୀ ତଥା ଉପ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିବା ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଚିତ୍ତ ରଞ୍ଜନ ବାଗ, ସତ୍ୟନାରାୟଣ ବାଗ, ମନୋଜ ବାଗ, ସତ୍ୟସୁନ୍ଦର ତେଲଙ୍ଗା, ରାଗୁଣୀ ବାଗ, ରାଣୀବାଗ, ଧୀରେନ ବୈଠା, ପଦ୍ମଲୋଚନ ବୈଠା, ସପ୍ତ ସୁନ୍ଦର ବାଗ, ସଞ୍ଜିବ ଦାସ, ଭକ୍ତରଞ୍ଜନ ଦାସ, ବିଦେଶୀ ଗୋଚ୍ଛାୟତ, ଅନୀଲ ସାହା, ହେମନ୍ତ ବାଗ, ସୁମନ୍ତ ସେନାପତି, ଶିବଶଙ୍କର ସେନାପତି, ଭୁବନେଶ୍ଵର ସେନାପତି, ରାଜେନ ତେଲେଙ୍ଗା, ହରିଶଚନ୍ଦ୍ର ବାଗ, ଗଣେଶ ଶର୍ମା, ଟିକିନା ବାଗ, କୃପାସିନ୍ଧୁ ବାଗ, ଅମର ମୁଖୀ, ସୁଜିତ କୁଅଁର, ମୁନା ମାଣଙ୍କ ସମେତ ଅନ୍ୟାନ୍ୟ ବସ୍ତି ବାସିନ୍ଦା ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ଜଣାଶୁଣା ତଥା ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଚିତ ବିଜୟ ମିଶ୍ର କହିଛନ୍ତି, ଦୀର୍ଘ ଦେଢ଼ ବର୍ଷ ଧରି ପୋଖରୀର ପୁନଃ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କେବଳ ଫଳକରେ ସୀମିତ ରହିଛି । ଯେହେତୁ ପୌର ପରିଷଦ ନିର୍ବାଚନ ହୋଇ ନାହିଁ ତେଣୁ ପୌର ଓ ପ୍ରଶାସନ ଏ ଦିଗରେ କୌଣସି ପଦକେଷପ ନେଉ ନାହିଁ । ସାଧାରଣ ବସ୍ତିବାସିନ୍ଦା ଜଳକଷ୍ଟ ଭୋଗୁଛନ୍ତି । ପୌର ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।
ଫଳକରେ ସୀମିତ ପୋଖରୀ ସୌନ୍ଦର୍ଯ୍ୟକରଣ
|
September 11, 2020 |


