ଚଣ୍ଡିଖୋଲ, ୦୯/୦୭ (ସନ୍ଧାନ ନିୟୂଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ଗଣେଷ ଇନିଷିଚ୍ୟୁଟ୍ ଇଞ୍ଜିନିୟରିଙ୍ଗ୍ ଆଣ୍ଡ ଟେକ୍ନୋଲୋଜି (ଜି.ଆଇ.ଇ.ଟି)ରେ ଯୁକ୍ତ ବିଜ୍ଞାନ ଶ୍ରେଣୀରେ ପଢ଼ୁଥିବା ବହୁ ଚର୍ଚ୍ଚିତ ମେଧାବୀ ଛାତ୍ରୀ ସ୍ମୃତିଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଦୀର୍ଘଦିନ ହେବ ଚପି ରହିବା ପରେ ଏବେ ପୁଣି ଉଜ୍ଜ୍ୀବିତ ହୋଇଛି । ଏହି ସ୍ପର୍ଶକାତର ଘଟଣାକୁ ଜାତୀୟ ମାନବ ଅଧିକାର ଆୟୋଗ ଗ୍ରହଣ କରିବା ପରେ ବଡଚଣା ପୋଲିସ ହରଡଘଣାରେ ପଡିଛି ।
ଦାନଗଦୀ ବ୍ଲକ ଖରଡି ଗ୍ରାମର ଛାତ୍ରୀ ସ୍ମୃତିଶ୍ରୀ ଦାସ (୧୭) ଜିଆଇଇଟି କଲେଜର ହଷ୍ଟେଲରେ ରହି ପଢ଼ୁଥିବା ବେଳେ ଗତବର୍ଷ ନମ୍ଭେମ୍ବରୀ ୩ତାରିଖ ଦିନ ସନ୍ଦେହ ଜନକ ଭାବରେ ହଷ୍ଟେଲ ରୁମୁ ଭିତରୁ ତାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ସ୍ମୃତିଶ୍ରୀଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ଏକ ସୁଇସାଇଡ ନୋଟରେ ସ୍ମୃତିଶ୍ରୀ ଉଲ୍ଲେଖ କରିଥିବା କାଗଜ ମିଳିଥିଲା । ହେଲେ ତାହାକୁ ବଡଚଣା ପୋଲିସ ଗୁରୁତ୍ୱ ନଦେଇ ଘଟଣାକୁ ଅତି ହାଲକା ଭାବରେ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ଦାୟର କରିଥିଲା । ଯାହାକୁ ନେଇ ସେତେବେଳେ ଏକ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହେବା ସହ ସ୍ମୃତିଶ୍ରୀଙ୍କ ମା ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୁପ ଦେବା ପାଇଁ ଝୁଲାଇ ଦିଆଯାଇଥିବା ଉଲ୍ଲେଖ କରି ବଡଚଣା ଥାନାରେ ଏକ ଏତଲା ଦାୟର କରିଥିଲେ । ଏହି ଏତଲାକୁ ଭିତ୍ତି କରି ପୋଲିସ ୩୦୨ଦଫାରେ ଏକ ମାମଲା ପଞ୍ଜିକୃତ କରିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ର୍ୟନୁଷ୍ଠାନ ଗ୍ରହଣ କରିନଥିଲେ । ଇତିମଧ୍ୟରେ ଏହି ଘଟଣାକୁ ୮ମାସ ବିତିଯାଇଛି । ସ୍ମୃତିଶ୍ରୀଙ୍କ ପରିବାର ପକ୍ଷରୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାରୁ ମାନବିକ ଅଧିକାର କର୍ମୀ ଭଜମନ ବିଶ୍ୱାଳ ଏନେଇ ଅଭିଯୋଗ ଦାଖଲ କରିବା ପରେ କମିଶନଙ୍କ ଡାଇରୀ ନମ୍ବର – ୧୧୨୬୯/ଆଇଏନ୍ /୨୦୨୨ ଅନୁଯାଇ ଏହାକୁ ଗ୍ରହଣ କରିଛନ୍ତିି । ସ୍ମୃତିଶ୍ରୀଙ୍କ ମୃତ୍ୟୁ ମାମଲାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ଏବଂ ଘଟଣାକୁ ଚାପି ଦେବାରେ ପ୍ରମୁଖ ଭୁମିକା ନେଇଥିବା ସଂପୃକ୍ତ ପୁଲିସ ଅଧୀକାରୀ ମାନଙ୍କ ବିରୋଦ୍ଧରେ କଠୋର ଦଣ୍ଡ ବିଧାନ ପାଇଁ ଆବେଦନରେ ନିବେଦନ କରାଯାଇଛି । । ସେତେବେଳେ ମୃତଦେହ ପାଖରୁ ବଡଚଣା ପୁଲିସ ସ୍ମୃତିଶ୍ରୀ ଛାଡି ଯାଇଥିବା ଏକ ସୁଇସାଇଡାଲ୍ ନୋଟ୍ ପାଇଥିଲା । ଯେଉଁଥିରେ ଶୁଭ ନାମକ ଜଣେ ଛାତ୍ରୀଙ୍କ ସହିତ ମୁଦୁଲୀ ସାର୍,ଶଶିକାନ୍ତ ସାର୍ ,କଳାଶ୍ରୀ ଦାସ,ରାଜଲକ୍ଷ୍ମୀ ପ୍ରଧାନ ଏବଂ ନିର୍ମଳା ସାହୁ ପ୍ରଭୁତି ତାଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ସ୍ମୁତିଶ୍ରୀ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ । ପ୍ରଥମରୁ ପୁଲିସ ମାମଲାଟିକୁ ଅତି ଖାମ୍ଖିଆଲି ଭାବରେ ନେଇଥିବା ବେଳେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଏବଂ ବ୍ୟବଛେଦ କରାଯିବା ସମୟରେ ନିୟମାନୁଯାଇ ଭିଡିଓଗ୍ରାଫି କିମ୍ବା ସିଡି ପ୍ରସ୍ଥୁତ କରାଯାଇ ନଥିଲା । ଏପରିକି ଉଭୟ କଲେଜ କର୍ତୃପକ୍ଷ ଏବଂ ପୁଲିସ ଘଟଣାକୁ ଏକ ଆତ୍ମହତ୍ୟାର ର୍ୂପ ଦେବାକୁ ପଛାଇ ନଥିଲେ । କିନ୍ତୁ ମୃତ ସ୍ମୃତିଶ୍ରୀଙ୍କ ମା ମଧୁସ୍ମିତା ଦାସ ଏହାକୁ ଏକ ହତ୍ୟାକାଣ୍ଡ ଦର୍ଶାଇ ଅଭିଯୋଗ ଦାଖଲ କରିବା ଆଉ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ ବାଧ୍ୟହୋଇ କେସ୍ ନମ୍ବର – ୪୧୯/୨୦୨୧ରେ ଆଇପିସି ଦଫା ୩୦୨ ଏବଂ ୩୪ରେ ହତ୍ୟା ମାମଲା ରୁଜୁ କରିଥିଲା । ଏଥିରେ ଶୁଭ,ମୁଦୁଲୀ ସାର୍ , ଶଶିକାନ୍ତ ସାର୍ , ରାଜଲକ୍ଷ୍ମି ପ୍ରଧାନ , କଳାଶ୍ରୀ ଦାସ ଏବଂ ନିର୍ମଳା ସାହୁ ପ୍ରଭୁତି ୬ ଜଣଙ୍କୁ ଅଭିଯୁକ୍ତ କରାଯାଇଥିିଲା । ମୃତା ସ୍ମୃତିଶ୍ରୀଙ୍କ ମା ମଧୁସ୍ମିତା ସଂପୃକ୍ତ ୬ ଜଣଙ୍କ ନାମରେ ବହୁ ଗୁରୁତର ଅଭିଯୋଗ ଆଣିଥିଲେ । ଅଭିଯୁକ୍ତ ମାନେ ତାଙ୍କ ଝିଅକୁ ଉଭୟ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେବା ସହିତ ତାଙ୍କ ନାମରେ ଅନେକ ଟିପ୍ପଣୀ ଦେଇ ଭାଇରାଲ୍ କରିଥିଲେ । ଆଉ ମଧ୍ୟ ସେମାନେ ସମସ୍ତେ ମିଳିମିଶି ସଂପୁର୍ଣ୍ଣ ଯୋଜନାବଦ୍ଧ ଭାବରେ ତାଙ୍କ ଝିଅକୁ ହତ୍ୟାକରି ଝୁଲାଇ ଦେବାପରେ ଆତ୍ମହତ୍ୟାର ର୍ୂପ ଦେବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଥିିଲେ । କିନ୍ତୁ ମାମଲାର ତଦନ୍ତ ଚାଲିଥିବା ବାହାନା କରି ପୁଲିସ ଦିନ ଗଡାଇ ଚାଲିଥିବା ବେଳେ ଅଭିଯୁକ୍ତ ମାନେ ଘଟଣାର ଦିର୍ଘ ୮ ମାସ ପରେ ଏବେ ସୁଦ୍ଧା ଖୁଲମ୍ଖୁଲା ବୁଲୁଛନ୍ତି । ଏବାବଦରେ ପୁଲିସ ମୋଟା ଅଙ୍କର ବଟି ନେଇ ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେଇ ଚାଲିଥିବା ଅଭିଯୋଗ କରି ଭଜମନ ଉଭୟ ବଡଚଣା ଏବଂ ଜିଲା ପୁଲିସ ସହିତ ସ୍ଥାନୀୟ ତହସିଲଦାରଙ୍କ ଚରମ ଦାୟିତ୍ୱହିନତା ବିରୋଦ୍ଧରେ ଜାତୀୟ ମାନବାଧୀକାର କମିଶନର ଦ୍ୱାରସ୍ଥ ହୋଇଛନ୍ତି । ବିଚାର ବିଭାଗୀୟ କିମ୍ବା କ୍ରାଇମ୍ବ୍ରାଂଚ୍ ମାଧ୍ୟମରେ ମାମଲାର ସାନି ତଦନ୍ତ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ନିର୍ଦେଶ ଦେବାକୁ ଆବେଦନରେ ଦର୍ଶାଇ ଅଭିଯୁକ୍ତ ମାନଙ୍କ ଦରମାରୁ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପ୍ୂରଣ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି । ଏହି ଘଟଣା ଜାତୀୟ ମାନବିକ ଆୟୋଗଙ୍କ ନିକଟରେ ପଂହଚିବା ପରେ ପୁଣିଥରେ ସ୍ମୃତିଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏଠାରେ ଚର୍ଚ୍ଚା ଜୋର ଧରିଛି ।




