ପାଟକୁରା, ୧୫/୦୬ (ସନ୍ଧାନ ନିୟୁଜ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଛ ଭାରତ ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ସ୍ତରରେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏଥି ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଜନସଚେତନତା ସୃଷ୍ଟି କରାଯାଉଛି । ମାତ୍ର ପାଟକୁରା ବଜାରରେ ଏହାର ପ୍ରଭାବ ପଡୁ ନ ଥିବା ପରି ମନେ ହେଉଛି । ପାଟକୁରା ବଜାର ଓ ବଜାର ରାସ୍ତା ପାଶ୍ୱର୍ରେ କୁଢ କୁଢ ବର୍ଜ୍ଜ୍ୟବସ୍ତୁ ପଡି ରହୁଥିବାର ଦେଖାଯାଉଛି । ପଡି ରହୁଥିବା ବର୍ଜ୍ଜ୍ୟବସ୍ତୁକୁ ଦୀର୍ଘ ଦିନ ଧରି ମଧ୍ୟ ପରିଷ୍କାର କରାଯାଉ ନ ଥିବାର ଲୋକମାନେ ପ୍ରକାଶ କରିଛନ୍ତି । ପାଟକୁରା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପାଶ୍ୱର୍, ଗ୍ରାମ ପଂଚାୟତ କାର୍ଯ୍ୟାଳୟକୁ ଲାଗି ରହିଥିବା ପାଟକୁରା ଅଙ୍ଗନୱାଡି କେନ୍ଦ୍ର-୧ ଓ ଅଙ୍ଗନୱାଡି କେନ୍ଦ୍ର-୨ କାର୍ଯ୍ୟ କରୁଛି । ଏହି କେନ୍ଦ୍ରକୁ ଗ୍ରାମର କୁନି କୁନି ପିଲାମାନେ ଦୈନିକ ମଧ୍ୟ ଆସିଥାଆନ୍ତି । ମାତ୍ର ଏହି ଅଙ୍ଗନୱାଡି କେନ୍ଦ୍ରକୁ ଲାଗି ରହିଥିବା ପାଶ୍ୱର୍ରେ କୁଢ କୁଢ ଆବର୍ଜ୍ଜନା ପଡି ରହିଛି । ଦୀର୍ଘ ଦିନ ଧରି ଏହି ଆବର୍ଜ୍ଜନାଗୁଡିକ ସଫା କରାଯାଉ ନାହିଁ ।
ଆଗକୁ ବର୍ଷା ଦିନ ଆସୁଥିବାରୁ ଏହି ଆବର୍ଜ୍ଜନାରେ ବର୍ଷା ପାଣି ଜମି ରହି ଆବର୍ଜ୍ଜନାଗୁଡିକ ପଚି ସଢି ସେଥିରୁ ର୍ଦୁଗନ୍ଧ ବାହାରିବା ସହିତ ସଂକ୍ରାମକ ରୋଗ ମଧ୍ୟ ବ୍ୟାପିବାର ଆଶଙ୍କା ରହିଛି । ସେହିପରି ପାଟକୁରା ମେଲଣ ପଡିଆ ଠାରେ ବସୁଥିବା ସାପ୍ତାହିକ ହାଟରେ ପନିପରିବା ବ୍ୟବସାୟୀମାନଙ୍କ ବିକ୍ରୟ ସରିବା ପରେ ପନିପରିବାରୁ ବାହାରୁ ଥିବା ପଚାସଢା ପତ୍ର ଓ ଆବର୍ଜ୍ଜନାଗୁଡିକ ହାଟରେ ପଡି ରହୁଥିବାରୁ ସାମାନ୍ୟ ବର୍ଷା ପାଣି ହେଲେ ଏହି ପରିବାପତ୍ର ଓ ଆବର୍ଜ୍ଜନାଗୁଡିକ ବର୍ଷା ପାଣିରେ ଏଣେ ତେଣେ ଭାଷିବା ସହିତ ସେଗୁଡିକ ପଚିସଢୁଥିବାର ଦେଖାଯାଉଛି । କେତେକ ସମୟରେ ମଧ୍ୟ ଅସ୍ୱାସ୍ଥ୍ୟକର ପରିବେଷ ସୃଷ୍ଟି କରୁଛି । ଏ ସମ୍ପର୍କରେ ପାଟକୁରା ପଂଚାୟତର ସରପଂଚ ସୂର୍ଯ୍ୟମଣୀ ସେଠୀଙ୍କୁ ପଚାରିବାରେ ସେ କହନ୍ତି ଯେ,ପୂର୍ବରୁ ସ୍ୱଛ ଭାରତ ଅଭିଯାନରେ ପାଟକୁରା ବଜାର ଓ ରାସ୍ତାଘାଟ ପରିଷ୍କାର ପରିଛନ୍ନ କରାଯାଇଥିଲା । ଏବେ ବର୍ଷା ଦିନ ପୂର୍ବରୁ ବଜାର ଓ ରାସ୍ତାଘାଟଗୁଡିକୁ ସଫାସୁତୁରା ରଖାଯିବା ପାଇଁ ଉଦ୍ୟମ କରାଯିବ । ବଜାର ଓ ବଜାର ବାହାରେ ଥିବା ବିଭିନ୍ନ ସ୍ଥାନରେ ଜମି ରହିଥିବା ଆବର୍ଜ୍ଜନାଗୁଡିକୁ ତୁରନ୍ତ ସଫା କରାଯିବା, ବିଭିନ୍ନ ସ୍ଥାନମାନଙ୍କରେ ଆବର୍ଜ୍ଜନା କୁଣ୍ଡ ନିର୍ମାଣ କରାଯିବା ଓ ସାପ୍ତାହିକ ହାଟକୁ ସଫାସୁତୁରା ରଖାଯିବା ପାଇଁ ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀମାନେ ଦାବି କରିଛନ୍ତି ।