ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ, ବିଭିନ୍ନ ମହଲରେ ଶୋକ

Spread the love

ଭଦ୍ରକ, ୨ା୬ (ସନ୍ଧାନ ନିୟୁଜ୍) –: ଆଜି କରୋନାରେ ଆଖି ବୁଜିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟ।ସେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ମାତ୍ର ୬୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ସେ ପୂର୍ବରୁ କରୋନାରେ ପୀଡିତ ଥିଲେ। ତେବେ କରୋନାରୁ ଭଲ ହେବା ପରେ ସେଫ୍ଟିସିମିଆ ରୋଗରେ ପୀଡିତ ହୋଇ ଆଜି ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ରହିସାରିଥିବା ବିଜୟଶ୍ରୀ ରାଉତରାୟ ୬ ଥରର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡିରୁ ୪ ଥର ଓ ଜନତା ଦଳରୁ ୨ ଥର ବିଧାୟକ ହୋଇଥିଲେ। ୧୯୯୦ ରେ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜୟଶ୍ରୀ ନିଜ ରାଜନୈତିକ ଜୀବନରେ କେବେ ପରାଜିତ ହୋଇନାହାଁନ୍ତି। ଭଦ୍ରକ ଜିଲାର ବାସୁଦେବପୁର ଆସନରୁ ଲଗାତର ଭାବେ ୬ ଥର ବିଜୟୀ ହୋଇ ୨୦୧୯ ରେ ନିଜ ପୁତ୍ର ବିଷ୍ଣୁବ୍ରତ ରାଉତରାୟଙ୍କୁ ତାଙ୍କ ଆସନରୁ ଲଢିବା ପାଇଁ ଛାଡି ନିର୍ବାଚନ ଲଢିନଥିଲେ। ପୁତ୍ର ବିଷ୍ଣୁବ୍ରତ ମଧ୍ୟ ତାଙ୍କ ଆସନରୁ ଲଢି ବିଜୟୀ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ବିଜୟଶ୍ରୀ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସୁପୁତ୍ର। ତାଙ୍କ ବିୟୋଗରେ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ପୂର୍ବତନ କାଉନ୍‌ସିଲର ପ୍ରଣୟ ଦାସ, ତ୍ୟାଗଭୂମିର ଆବାହକ ଅଜୟ ନାୟକଙ୍କ ସମେତ ଭଦ୍ରକର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Related Posts

About The Author

Add Comment