ବାରିପଦା, 27/9 (ସନ୍ଧାନ ନ୍ୟୁଜ/ଲିଙ୍ଗରାଜ ପଣ୍ଡା)-କରୋନା ମାଡରେ ମଧ୍ୟବିର ପରିବାରଙ୍କଠାରୁ ଆରମ୍ଭ କରି ସାଧାରଣ ପରିବାର ପର୍ଯ୍ୟନ୍ତ ସମସ୍ତଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ ପିଆଜ, ଆଳୁ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରୁ ନିୟନ୍ତ୍ରଣ ହଟାଇ ଦେବାର ଘୋଷଣା ପରେ ଆଳୁ, ପିଆଜ, ଅଦା, ରସୁଣ ଓ ଲଙ୍କା ଦର ବୃଦ୍ଧି ଘଟିଛି । ଆଳୁ, ପିଆଜ ପ୍ରଭୃତିର ଦର ବୃଦ୍ଧି ପାଇବା ସହିତ ପନିପରିବା ଦର ମଧ୍ୟ ବଢ଼ିଲାଣି । ବାରିପଦା ସହରର ବଜାର ଦର ଅନୁଧ୍ୟାନ କରିବା ପରେ ଜଣାପଡିଛି ଯେ କିଲୋପ୍ରତି ବାଇଗଣ ୩୫ରୁ ୪୦ ଟଙ୍କା, ଭେଣ୍ଡି ୪୦ ଟଙ୍କାରୁ ୫୦ ଟଙ୍କା, ବିଲାତି ୫୦ରୁ ୬୦ ଟଙ୍କା, ଗାଜର ୫୫ରୁ ୬୦ ଟଙ୍କା, ବିଟ୍ ୪୫ରୁ ୫୦ ଟଙ୍କା, କୁନ୍ଦୁରି ୩୦ରୁ ୪୦ ଟଙ୍କା, କଲରା ୫୦ରୁ ୬୦ ଟଙ୍କା, କାକଡ଼ି ୬୦ରୁ ୭୦ ଟଙ୍କା, ଜହ୍ନି ୨୫ରୁ ୩୦ ଟଙ୍କା, ଅମୃତଭଣ୍ଡା ୨୦ରୁ ୩୦ ଟଙ୍କା, ବୋଇତାଳୁ ୨୦ରୁ ୨୫ ଟଙ୍କା, ସାରୁ ୪୦ରୁ ୫୦ ଟଙ୍କା, କନ୍ଦମୂଳ ୨୦ରୁ ୩୦ ଟଙ୍କା କ୍ୟାପସିକମ୍ ୧୦୦ରୁ ୧୨୦ ଟଙ୍କା, କାକୁଡି ୨୦ରୁ ୨୫ ଟଙ୍କା, ସଜନା ନାଡ଼ି ୭୦ରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି । ପ୍ରତି ପରିବା ଦର ୫ ଟଙ୍କାରୁ ୧୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଆଗକୁ ଏହା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଳୁର ଦର କିଲୋପ୍ରତି ୨୫ରୁ ୩୦ ଟଙ୍କା ଥିଲା ବେଳେ ଆଜି ତାହା ୩୫ ଟଙ୍କାକୁ ବୃଦ୍ଧି ପାଇଛି । ପିଆଜ ଦର ୪୦ରୁ ୫୦ ଟଙ୍କାକୁ ବୃଦ୍ଧି ପାଇଛି । ରସୁଣ ଦର ୧୩୦ରୁ ୧୪୦ ଟଙ୍କାକୁ ବୃଦ୍ଧି ପାଉଛି । ଅଦା ଦର ମଧ୍ୟ ୧୦୦ରୁ ୧୦୦ ଟଙ୍କା ଓ ଲଙ୍କା ଦର ୨୪୦ରୁ ୨୫୦ ଟଙ୍କା ବୃଦ୍ଧି ପାଇଛି। ଏହି ପନିପରିବା ଦର ସହିତ ଆଳୁ, ପିଆଜ, ଅଦା, ରସୁଣ ଦର ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ତରଫରୁ ଦର ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ହେଉ ନ ଥିବା ଖାଉଟିଙ୍କ ପକ୍ଷରୁ ଅଭିଯୋଗ ହେଉଛି ଲଡାଉନ । ସମୟରେ ସରକାରଙ୍କ ତରଫରୁ ଭ୍ୟାନ ଯୋଗେ ରିହାତି ଦରରେ ପନିପରିବା ବିକ୍ରି ହେଉଥିଲେ ମଧ୍ୟ ବର୍ତ୍ତମାନ ତାହା ବନ୍ଦ ହୋଇଯାଇଛି । ଏପରିକି ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ଓଜନମାପ ବିଭାଗ ଦାୟିତ୍ବରେ ଥିଲେ ମଧ୍ୟ ତାହା ଏଦିଗରେ କାର୍ଯ୍ୟକାରୀ ହେଉ ନାହିଁ । ବାରିପଦାରେ ପନିପରିବା ଆଳୁପିଆଜ ଦର ବୃଦ୍ଧି ଘଟୁଥିବାରୁ ଗାଁଗହଳିରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି । ଏବେ ଲଡାଉନ ଉଠିଯିବା ପରେ ପରେ ଗାଁଗଣ୍ଡାରୁ ବାଡ଼ିଆଙ୍କ ନିକଟରୁ ପ୍ରଶାସନ ତରଘରୁ ପନିପରିବା ସଂଗ୍ରହ କରାଯାଇ ବିଭିନ୍ନ ସ୍ଥାନରେ ଖାଉଟିଙ୍କୁ ରିହାତି ଦରରେ ବିକ୍ରୟ କେନ୍ଦ୍ର ସ୍ଥାପନ ପାଇଁ ଦାବି ହେଉଛି । ଏହା ହୋଇ ପାରିଲେ ଖାଉଟିଙ୍କ ଅଣ୍ଟା ସଳଖ ହୋଇପାରନ୍ତା । ବାରିପଦା ସହର ନିକଟରେ କୁଳିଅଣା, ବଡସାହି, ବୈଶିଙ୍ଗା ଆଦି ଅଂଚଳରେ ବହୁ ପନିପରିବା ଚାଷ ହୋଇଥାଏ । ଏହି ପନିପରିବାକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ବ୍ୟବସାୟୀମାନେ ରପ୍ତାନି କରିଥାନ୍ତି । ଏହି ସମୟରେ ଏହି ସ୍ଥାନଗୁଡିକରୁ ପ୍ରଶାସନ ତରଫରୁ ପନିପରିବା ସଂଗ୍ରହ କରାଯାଇ ବାରିପଦା ସହରର ଖାଉଟିଙ୍କୁ ରିହାତି ମୂଲ୍ୟରେ ଯୋଗାଇ ଦେବା ସହିତ ଆଳୁ, ପିଆଜ, ଅଦା, ରସୁଣ ଦରକୁ ନିୟନ୍ତ୍ରଣ କରାଯିବା ସକାଶେ ଖାଉଟିଙ୍କ ପକ୍ଷରୁ ଦାବି ହେଉଛି ।
ପନିପରିବା ଦର ନିୟନ୍ତ୍ରଣ ପାଇଁ ଖାଉଟିଙ୍କ ଦାବି
|
September 27, 2020 |