ପଢନ୍ତୁ କମଳାକାନ୍ତ ଦାସଙ୍କ କବିତା ‘ ରାଜନୀତି’
ଆହାଃ ରାଜନୀତି ଲୋକଙ୍କ ରକ୍ତରେ
ବଢ଼େଇ ଦେଇଛି ତାତି,
କିଛି ଦିନ ତଳେ ସାଙ୍ଗ ସାଥି ଯିଏ
ଆଜି ହୁଏ ହାତା ହାତି।
କାଲି ବୁଲୁଥିଲେ ଗୋଟେ ସାଇକେଲେ
ଗୋଟିଏ ଗାମୁଛା ପିନ୍ଧି,
ଫେସବୁକରେ ତ କଥା କଟାକଟି
କେତେ ଚାଲେ ଶୋଧାଶୋଧି।
ସମ୍ପର୍କ ଯାଉଛି ତେଲ ଆଣିବାକୁ
ଜିତୁ ନିଜ ନିଜ ଦଳ,
ସ୍ୱାମୀ ସ୍ତ୍ରୀ ବାପ ପୁଅ ପରିବାର
କରିଦିଏ ଚାରି ଫାଳ।
ପୁଅ ଯାଏ ଗୋଟେ ଦଳ ପ୍ରଚାରରେ
ବାପା ଯାଏ ଅନ୍ୟ ଦଳେ,
ନିଜ ନିଜ ଚୁଲି ରୋଷେଇ ହେଉଛି
ଥିଲେ ଗୋଟେ ଛାତ ତଳେ।
କି ମହୁ ମିଳୁଛି ଏ ରାଜନୀତିରୁ
ସମ୍ପର୍କ କରି ଖରାପ,
କେବେ କାହା ହାତୁ ଅଜାଣତେ କେବେ
ହେଇ ଯାଏ ମହାପାପ।
ନେତା ନେତା ମଧ୍ୟେ ନାହିଁ ରାଗ ହିଂସା
ଭିତରେ ସବୁ ତ ଭଲ,
ଭୋଟର ଭିତରେ ରକ୍ତେ ହୋଲି ଖେଳ
ହେଉଥାନ୍ତି କଲବଲ।
✍️କମଳାକାନ୍ତଦାସ
ଅଜାଣ, ବରୀ, ଯାଜପୁର

Related Posts
About The Author