ଯାଜପୁର ୨୦/୦୩ (ସନ୍ଧାନ ନିୟୁଜ/ସୁଶାନ୍ତ କୁମାର ଖଟୁଆ) ପୂର୍ବତଟ ରେଳପଥ ଅଧୀନ ଯାଜପୁର ଜିଲ୍ଲାର ଜେନାପୁର ରେଳଷ୍ଟେସନ ପରିସରରେ ଥିବା ପୋଖରୀଟି ବର୍ତ୍ତମାନ ବିଷାକ୍ତ,ପ୍ରଦୂଷିତ ଓ ପୂତ୍ତିଗନ୍ଧମୟ ହୋଇପଡିଛି । ଫଳସ୍ୱରୂପ ପରିବେଶ ଏକ ପ୍ରକାରର ଅସ୍ୱାସ୍ଥ୍ୟକର ହୋଇପଡିଛି । ଗୋଟିଏ ପଟେ ଏହି ପୋଖରୀ ସଂଲଗ୍ନ ଏକମାତ୍ର ରାସ୍ତାରେ ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଜେନାପୁର ଷ୍ଟେସନକୁ ଯିବା ଆସିବା କରୁଥିବା ହଜାର ହଜାର ରେଳଯାତ୍ରୀଙ୍କ ନାକ ଦୁର୍ଗନ୍ଧରେ ଫାଟି ପଡୁଥିବାବେଳେ ଅନ୍ୟପଟେ ଏହାର ଅପରିଷ୍କାର ପାଣିକୁ ପିଇ ଅନେକ ପଶୁପକ୍ଷୀ ମୃତୁ୍ୟବରଣ କରିଆସୁଛନ୍ତି । ରାତି ପାହିବା ମାତ୍ରେ ପୋଖରୀ କୂଳରେ ଥିବା ବର ଓ ଅଶ୍ୱତ୍ଥ ଗଛ ଗୁଡିକରେ ଭିନ୍ନ ଭିନ୍ନ ପ୍ରଜାତିର ଅନେକ ପକ୍ଷୀ ବସୁଥିବାରୁ ସେମାନଙ୍କର ମଳ ସର୍ବଦା ଏହି ପୋଖରୀ ଉପରେ ହିଁ ପଡିଥାଏ । ଏପରି ସ୍ଥିତିରେ ପୋଖରୀର ଜଳ ଦିନକୁ ଦିନ ଅଧିକରୁ ଅଧିକ ବିଷାକ୍ତ ହେବା ସହ ଜଳ ଉପରେ ଆବର୍ଜନାର ଏକ ଆସ୍ତରଣ ପଡିଥିବାର ଦେଖିବାକୁ ମିଳୁଛି । ପୁଣି ଉକ୍ତ ପୋଖରୀର ମାଛକୁ ଖାଇ ଅଧିକାଂଶ ବ୍ୟକ୍ତି ମଧ୍ୟ ଅସୁସ୍ଥ ହୋଇପଡୁଛନ୍ତି । ୧୯୫୭ ମସିହାରୁ ଖନନ ହୋଇଥିବା ଏହି ପୋଖରୀରୁ ପୂର୍ବେ ପାଣି ଉଠାଯାଇ ଡିଜେଲ ଚାଳିତ ରେଳଗାଡିଗୁଡିକୁ ଜଳ ଯୋଗାଣ କରାଯାଉଥିଲା । ସେତେବେଳେ ଜେନାପୁର ରେଳଷ୍ଟେସନ ଏକ ଜଳଭର୍ତି କେନ୍ଦ୍ର ଭାବେ ପରିଗଣିତ ହୋଇଥିଲା । ଏହି ପୋଖରୀର ତୁରନ୍ତ ପୁନରୁଦ୍ଧାର କରାଯିବାକୁ ସ୍ଥାନୀୟ ଜେନାପୁର ରେଳ ବିକାଶ କମିଟି ତରଫରୁ ବହୁବାର ପୂର୍ବତଟ ରେଳପଥର ଡିଆର୍ ଏମ୍ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ବି ଅଦ୍ୟାବଧି କୌଣସି ସୁଫଳ ମିଳିପାରିନାହିଁ । ତେଣୁ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ ଦାବି କରିଛନ୍ତି ।
ପକ୍ଷୀଙ୍କ ମଳରେ ବିଷାକ୍ତ ଓ ପୂତ୍ତିଗନ୍ଧମୟ ହୋଇପଡିଛି ଜେନାପୁର ରେଳଷ୍ଟେସନ ପୋଖରୀ, ମଲେଣି ଅନେକ ପଶୁପକ୍ଷୀ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିବ କେବେ?
|
March 20, 2020 |



