ନିର୍ଭୟା ଦୋଷୀଙ୍କୁ ୨୨ରେ ମିଳି ନ ପାରେ ଫାଶୀ, ସେସନ୍ସ କୋର୍ଟରେ ଆବେଦନ କରିବେ ମୁକେଶର ଓକିଲ

Spread the love

ନୂଆଦିଲ୍ଲୀ, ୧୫/୦୧/୨୦ (ସନ୍ଧାନ ନିଉଜ) : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦିଆଯାଇ ନ ପାରେ। ଦୋଷୀ ମୁକେଶର ଓକିଲ ଡେଥ୍‌ ୱାରେଣ୍ଟ ବିରୋଧରେ ସେସନ୍ସ କୋର୍ଟରେ ପିଟିଶନ ଦାଖଲ କରିବେ। ବୁଧବାର ହାଇକୋର୍ଟରେ ଶୁଣାଣି ସମୟରେ ବିଚାରପତି ପିଟିଶନ ଖାରଜ କରିଦେବା ସହିତ ସେସନ୍ସ କୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ପରାମର୍ଶ ପରେ ମୁକେଶର ଓକିଲ ହାଇକୋର୍ଟରୁ ପିଟିଶନ ପ୍ରତ୍ୟାହାର କରିନେଇଛନ୍ତି। ସେ ଗୁରୁବାର ସେସନ୍ସ କୋର୍ଟରେ ପିଟିଶନ ଦାଖଲ କରିବେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ମୁକେଶ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ ପଠାଇଥିଲା, ଯାହାକୁ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦିଲ୍ଲୀ ସରକାର ଏହି ଆବେଦନକୁ ଖାରଜ କରିଦେବାକୁ ପରାମର୍ଶ ଦେଇଛନ୍ତି। ବୁଧବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ବିଚାରପତି ମୁକେଶର ପିଟିଶନ ଖାରଜ କରିଦେବା ସହିତ କହିଥିଲେ, ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନ ଏବଂ କ୍ୟୁରେଟିଭ୍‌ ପିଟିଶନ ଖାରଜ କରିଦେଇଛନ୍ତି। ତଳ କୋର୍ଟଙ୍କ ଆଦେଶରେ ବି କୌଣସି ତ୍ରୁଟି ନାହିଁ। ଯଦି ଦୋଷୀ ଚାହାଁନ୍ତି ତେବେ ସେମାନେ ସେସନ୍ସ କୋର୍ଟରେ ଆବେଦନ କରିପାରିବେ। ତେବେ ତୁମେ ଏଭଳି ଉପାୟ ଆପଣାଇ ଫାଶୀ ଟାଳିବାକୁ ଚାହୁଁଛ ବୋଲି ବିଚାରପତି କହିଥିଲେ। ସରକାରୀ ଓକିଲ ରାହୁଲ ମେହରା କହିଥିଲେ ଯେ, ତିହାର ଜେଲ ପ୍ରଶାସନକୁ ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର। ଦୋଷୀମାନଙ୍କ ଦ୍ବାରା ଯେଉଁ ଉପାୟ ଅବଲମ୍ବନ କରାଯାଉଛି ତାହା ନ୍ୟାୟ ପ୍ରକ୍ରିୟାକୁ ନିଶ୍ଚିତ ରୂପେ ପ୍ରଭାବିତ କରିବା ଲାଗି ଉଦ୍ଦିଷ୍ଟ ବୋଲି ସେ କହିଥିଲେ।

Related Posts

About The Author

Add Comment