ନକ୍ସଲ ଆକ୍ରମଣରେ ବିଜେପି ବିଧାୟକ ମୃତ, ୫ ଯବାନ ସହିଦ

Spread the love

ଦାନ୍ତେୱାଡ଼ା ୯/୪ (ସନ୍ଧାନ ନିୟୁଜ):ପୁଣି ଗଣତନ୍ତ୍ର ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ଲାଲ ବାହିନୀ। ନିର୍ବାଚନର ୨ ଦିନ ପୂର୍ବରୁ ଲାଲଗଡ଼ ଛତିଶଗଡ଼ରେ ରକ୍ତର ହୋଲି ଖେଳିଛନ୍ତି ନକ୍ସଲ। ସାଧାରଣ ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ଛତିଶଗଡ଼ ଦାନ୍ତେୱାଡ଼ାଠାରେ ବିଜେପିର ଏକ ନିର୍ବାଚନୀ ଶୋଭାଯାତ୍ରା ଉପରେ ବଡ଼ ଧରଣର ଆକ୍ରମଣ କରିଛନ୍ତି ନକ୍ସଲ ବାହିନୀ। ନକ୍ସଲଙ୍କ ସଂଘଟିତ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଏଥିରେ ଦାନ୍ତେୱାଡ଼ା ବିଧାୟକ ଭୀମା ମାଣ୍ଡବୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି।

ବିଧାୟକ ଭୀମା ଏହି ଶୋଭାଯାତ୍ରାର ଶେଷ ଗାଡ଼ିରେ ଯାଉଥିଲେ, ଯାହାକି ଆଇଡି ବିସ୍ଫୋରଣର ଟାର୍ଗେଟ୍‌ରେ ଥିଲା। ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ଯବାନମାନେ ମଧ୍ୟ ସେହି ଗାଡ଼ିରେ ଥିବାରୁ ଏହି ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ନକ୍ସଲ ଏହି ନିର୍ବାଚନ ରାଲିକୁ ଟାର୍ଗେଟ୍‌ କରି ବଡ଼ ଷଡ଼ଯନ୍ତ୍ର ରଚନା କରିଥିଲେ ବୋଲି ଘଟଣାସ୍ଥଳରୁ ମିଳିଥିବା ଫଟୋଚିତ୍ର ବୟାନ କରୁଛି। ଏହି ବିସ୍ଫୋରଣ ଘଟାଇବା ପୂର୍ବରୁ ନକ୍ସଲମାନେ କିଛି ରାଉଣ୍ଡ ଫାୟାରିଂ କରିଥିଲେ। ବିସ୍ଫୋରଣ ପରେ ମଧ୍ୟ ବର୍ତ୍ତମାନ ଗୁଳିବିନିମୟ ଜାରି ରହିଛି।

ଅନ୍ୟପକ୍ଷରେ ଏହି ହମ୍‌ଲା ପରେ ଓଡ଼ିଶା ଡିଜିପି ଆଲର୍ଟ ଜାରି କରିଛନ୍ତି। ନକ୍ସଲ ପ୍ରବଣ ଜିଲ୍ଲାର ଏସ୍‌ପିମାନଙ୍କୁ ଆଲର୍ଟ ଜାରି କରିବା ସହିତ ପ୍ରାର୍ଥୀମାନେ ନିଜଆଡ଼ୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରାର୍ଥୀମାନେ ରାତିରେ ନବୁଲିବାକୁ ଡିଜିପି ସତର୍କ କରାଇଛନ୍ତି। ଦିନବେଳା କୁଆଡ଼େ ଗଲେ ବିଶେଷ କରି ନକ୍ସଲପ୍ରବଣ ଜିଲ୍ଲାକୁ ସୁରକ୍ଷା କର୍ମୀଙ୍କୁ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି।

ଛତିଶଗଡ଼ରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ନକ୍ସଲମାନେ ଗତ ବିଧାନସଭା ନିର୍ବାଚନ ଭଳି ଏଥର ମଧ୍ୟ ନିର୍ବାଚନକୁ ବୟକଟ୍‌ କରିବାକୁ ଆହ୍ୱାନ ଦେଇଥିଲେ। ଗତ ଅକ୍ଟୋବର ୨୯ ତାରିଖରେ, ଅର୍ଥାତ ଠିକ୍‌ ବିଧାନସଭା ନିର୍ବାଚନ ପୂର୍ବରୁ ନକ୍ସଲ ବାହିନୀ ଯବାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ, ଯେଉଁଥିରେ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁଙ୍କର ମୃତ୍ୟୁ ହୋଇଥିଲା। ବସ୍ତର ଅଞ୍ଚଳର ନୀଲାଭୟାଠାରେ ଏହି ଆକ୍ରମଣ କରାଯାଇଥିଲା। ଆଉ ଆଜି ଠିକ୍‌ ସେହି ସ୍ଥାନରେ ହିଁ ନିର୍ବାଚନକୁ ବୟକଟ୍‌ କରି କିଛି ନକ୍ସଲ ପୋଷ୍ଟର ଦେଖିବାକୁ ମିଳିଥିଲା। ଏଥିରେ ସରକାର ବିରୋଧୀ ଏବଂ ନିର୍ବାଚନ ବିରୋଧୀ ଆହ୍ୱାନ ଥିଲା। ସେମାନେ ଏଥିରେ ଜମ୍ମୁକଶ୍ମୀର ଲିବରେସନ୍‌ ଫ୍ରଣ୍ଟ ଉପରୁ ବ୍ୟାନ୍‌ ପ୍ରତ୍ୟାହାର କରିବାକୁ ମଧ୍ୟ ଏଥିରେ ଦାବି କରିଥିଲେ।

Related Posts

About The Author

Add Comment