ଜଙ୍ଗଲରୁ ମିଳିଲା ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ

Spread the love

ବ୍ରାହ୍ମଣୀଗାଁ, ୨୪/୧୨ (ସନ୍ଧାନ ନିଉଜ) : କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ପଞ୍ଚାୟତର ପୁଟୁଡୁମାହା ଗ୍ରାମ ନିକଟ ଜଙ୍ଗଲରୁ ମଙ୍ଗଳବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଛି। ଦାରିଙ୍ଗବାଡ଼ି ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ନୀଳକଣ୍ଠ ବେହେରାଙ୍କ ଉପସ୍ଥିତିରେ ବ୍ରାହ୍ମଣୀଗାଁ ପୁଲିସ ମୃତଦେହକୁ ଜବତ କରିଛି।

ସୂଚନା ଅନୁଯାୟୀ,  ମହିଳା ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଫ୍ରାନ୍‍ଚିସ୍‍ ମଲିକଙ୍କ ଦ୍ୱିତୀୟ ସ୍ତ୍ରୀ ସାରଦା ମଲିକ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଫ୍ରାନଚିସ ସାରଦାକୁ ଦ୍ବିତୀୟ ବିବାହ କରି ଗାଁରେ ରହୁଥିଲେ। ମୃତା ସାରଦା ମଧ୍ୟ ପୂର୍ବରୁ ବିବାହିତ ଥିଲେ। ହେଲେ ଗତ ଶନିବାର ଦିନଠାରୁ ସାରଦା ଘରେ ଅନୁପସ୍ଥିତ ଥିବାରୁ ଫ୍ରାନଚିସ୍‍ ଗ୍ରାମବାସୀଙ୍କ ସହଯୋଗରେ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ମିଳି ନ ଥିଲା। ସେହି ଗ୍ରାମର କିଛି ଲୋକ ଗାଁ ପାଖ ଜଙ୍ଗଲ ଦେଇ ଯାଉଥିବାବେଳେ ହଠାତ୍‍ ସାରଦାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଗ୍ରାମର ଅନ୍ୟ ଲୋକଙ୍କୁ ଖବର ଦେଇଥିଲେ। ଏ ନେଇ ଗାଁ ଲୋକେ ଫ୍ରାନଚିସଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଖବରପାଇ ସାରଦାଙ୍କ ବଡଭାଇ ଦାରିଙ୍ଗବାଡ଼ି ଥାନା ପାଙ୍ଗାରାହା ଗ୍ରାମର ଉତ୍ତମ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସେ ବ୍ରାହ୍ମଣୀଗାଁ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବା ପରେ ଏସ୍‍ଆଇ ସଂଗ୍ରାମ କେଶରୀ ଜେନା, ଏଏସ୍‍ଆଇ ପ୍ରମୋଦ କୁମାର ଦୀପ୍‍ ଓ ଦାରିଙ୍ଗବାଡ଼ି ଏକ୍‍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ନୀଳକଣ୍ଠ ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଚେଦ ପାଇଁ ବ୍ରାହ୍ମଣୀଗାଁ ମେଡିକାଲକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ସାରଦା ଆତ୍ମହତ୍ୟା କରିଛନ୍ତି କି ଘଟଣା ପଛରେ ଆଉ କିଛି ରହସ୍ୟ ରହିଛି ସେ ନେଇ ଏସ୍‍ଆଇ ଜେନା ତଦନ୍ତ କରୁଛନ୍ତି। ଏ ନେଇ ଏକ ଅପମୃତ୍ୟୁ ମାମଲା(୨/୨୦୧୯) ରୁଜୁ ହୋଇଛି।

Related Posts

About The Author

Add Comment