ଗୁମୁରି କାନ୍ଦୁଛି କମାରଶାଳ: ତାତୁନି ଲୁହା, ଶୁଖୁନି ଲୁହ

Spread the love

ରାଉରକେଲା ୦୪/୧୦ (ସନ୍ଧାନ ନିୟୁଜ/ସୁବୋଧ ନାୟକ): କଥାରେ ଅଛି ବୃତି ମୋର ପୋଷେ କୁଟୁମ୍ବ । ମାତ୍ର ଯଦି ବୃତି ପ୍ରଭାବିତ ହୁଏ, ତେବେ ତେଲଲୁଣ ସଂସାରର ପାଂଚ ପ୍ରାଣୀ କୁଟୁମ୍ବ ସମ୍ଭାଳିବା ବୋଝ ଭଳି ମନେହୁଏ । ବର୍ତମାନ ପରିସ୍ଥିତିରେ ଆଧୁନିକତାର ଛାପରେ ବିଲୁପ୍ତ ହେବାରେ ଲାଗିଛି କିଛି କୌଳିକ ବୃତି । ପିଢି ପରେ ପିଢି କମାର ବୃତିକୁ ଆପଣାଇଥିବା କମାର କାରିଗର ଆଜି ହରାଉଛି ତାହାର ସତା । ଫଳସ୍ୱରୁପ ଗୁମୁରି କାନ୍ଦୁଛି କମାରଶାଳ, ଆଉ ତାତୁନି ବହୁ ପରିମାଣର ଲୁହା, କମାର କାରିଗର ଆଖିରୁ ଶୁଖୁନି ଲୁହ । ପରିବର୍ତନଶୀଳ ସମାଜରେ ବହୁ ଶିଳ୍ପ ଆଗକୁ ବଢି ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖୁଥିବା ବେଳେ, ସର୍ବପୁରାତନ କମାରଶାଳ ଆଜି ଅବହେଳିତ ଅବସ୍ଥାରେ ଦେଖିବାକୁ ମିଳୁଛି । ଦିନଥିଲା କୃଷି ଠାରୁ ଆରମ୍ଭ କରି ମଣିଷର ନିତ୍ୟବ୍ୟବହୃତ ସରଜାଂମ ପାଇଁ ଏହି କମାରଶାଳାର କାରିଗରଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଚାଷୀ ମାନେ ତାଙ୍କର ନିତ୍ୟ ବ୍ୟବହାର୍ୟ୍ୟ ଲୁହା, କୋଦାଳ, ଲଙ୍ଗଳ, ଶଗଡବଳା, ଟାଙ୍ଗିଆ, ଧାନକଟା ଦାଆକୁ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ରୂପେ ବ୍ୟବହାର କରୁଥିଲେ । ସେହିପରି ଲୋକ ମାନେ ଘରର ଉଦ୍ୟାନ କାର୍ୟ୍ୟ ନିମନ୍ତେ ବ୍ୟବହାର କରୁଥିବା କିଛି ଲୁହା ସାମଗ୍ରୀକୁ ଧାର କରିବା ପାଇଁ କମାରଶାଳକୁ ଯାଉଥିବା ଦେଖିବାକୁ ମିଳୁଥିଲା । ମାତ୍ର ବର୍ତମାନ ତାହାର ବ୍ୟବହାର କମିଯାଇଛି । ଯାହା ଫଳରେ କମାରମାନେ ଲୁହା ସାମଗ୍ରୀକୁ ତିଆରି କରି ବଜାରରେ ବିକି ନିଜ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି । କେଉଁ ଆବହମାନ କାଳରୁ ଏହି କୌଳିକ ବୃତି ଚାଲି ଆସୁଥିବା ବେଳେ ଗ୍ରାମାଚଂଳ କିମ୍ବା ସହରରେ ବର୍ତମାନ ଆଉ କମାରଶାଳ ଦେଖିବାକୁ ମିଳୁନାହିଁ କି ଠକ୍ ଠକ୍ ଶଦ୍ଦ ଶୁଭୁ ନାହିଁ । ବିଜ୍ଞାନ ଯୁଗରେ ମେସିନ ତିଆରି ଜିନିଷର ଲୋକପ୍ରୀୟତା ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଫଳରେ ବଂଶାନୁକ୍ରମିକ ଭାବେ ଚାଲି ଆସୁଥିବା ଏହି କମାର କାମ କମି କମି ଆସୁଥିବାରୁ ପରିବାର ପ୍ରତିପୋଷଣ ପାଇଁ ବାଧ୍ୟ ହୋଇ ଅନ୍ୟ କାମକୁ ଆପଣାଉଥିବା ଦକ୍ଷିଣ ରାଉରକେଲା ଅଂଚଳର ନବକୃଷ୍ଣନଗରର ଜଣେ ୬୦ ବର୍ଷିୟ କମାର ପ୍ରକାଶ କରିଛନ୍ତି । କମାରଶାଳ ଚଳାଇବା ପାଇଁ କାଠ, କୋଇଲା କିଣିବାକୁ ପଡୁଥିବା ବେଳେ, ଏହା ବର୍ତମାନ ମହଙ୍ଗା ହୋଇଥିବା ତଥା ସହଜରେ ଉପଲବ୍ଧ ହେଉ ନାହିଁ । ଯାହା ଫଳରେ କମାରଶାଳ ଚଳାଇବା କଷ୍ଟକର ହୋଇ ପଡିଛି । ଦକ୍ଷିଣ ରାଉରକେଲାର ଜଲଦା, ସୋନାର୍ପବତ, ଟାଙ୍ଗରପାଲ୍ଲୀ, ଦେଓଗାଁ ଆଦି ସ୍ଥାନରେ ଥିବା କମାରଶାଳ ଗୁଡିକରେ ପୂର୍ବ ଭଳି ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉନଥିବା ବେଳେ, ଆଶାଜନକ ବେପାର ହୋଇପାରୁ ନାହିଁ ବୋଲି ଏଠାକାର କମାରମାନେ ମତ ଦିଅନ୍ତି । ସରକାରଙ୍କ ସହାୟତା ତଥା ଦିନକୁ ଦିନ ଅତ୍ୟାନୁଧିକ କୃଷି ଉପକରଣର ଚାହିଦା ବୃଦ୍ଧି ପାଉଥିବାରୁ କମାରଶାଳର କାରିଗର ତଥା ତାର ପରିବାର ହାତବାଂଧି ବସିବାକୁ ବାଧ୍ୟ ହେଉଥିବା ବେଳେ, ସେମାନଙ୍କର ପରପିଢୀ ଏ କାର୍ୟ୍ୟକୁ ସଂପାଦନ କରିବା ପାଇଁ ବିମୁଖ ହେବାରେ ଲାଗିଲେଣି । ତେଣୁ ସମୟ ଆସିଛି ସରକାର ତୁରନ୍ତ ବିଲୁପ୍ତ ହେବାକୁ ବସିଥିବା କମାରଶାଳର କାରିଗର ମାନଙ୍କ କଷ୍ଟକୁ ହୃଦୟଙ୍ଗମ ପୂର୍ବକ ସେମାନଙ୍କୁ ପ୍ରୋତ୍ସାହନ ଦେଇ ଏହି କଳାକୁ ବଂଚାଇ ରଖିବାରେ ଉଦ୍ୟମ ନରଖିଲେ, କମାରଶାଳ ଇତିହାସର ପୃଷ୍ଠାରେ ନିଶ୍ଚିହ୍ନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି ।

Related Posts

About The Author

Add Comment