କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ତରୁଣକାନ୍ତି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

Spread the love

ଭୁବନେଶ୍ୱର, ୧୮/୧୨ (ସନ୍ଧାନ ନିଉଜ) : ବିଶିଷ୍ଟ ଲେଖକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ରଙ୍କୁ ଚଳିତ ବର୍ଷର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି।

ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏକାଡେମୀର କାର୍ଯ୍ୟକାରୀ କମିଟି ବୈଠକରେ ସର୍ବମୋଟ ୨୩ଟି ଭାରତୀୟ ଭାଷା ପାଇଁ ୨୦୧୯ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏହା ମଧ୍ୟରେ ୭ଟି କବିତା ଗ୍ରନ୍ଥ, ୪ଟି ଉପନ୍ୟାସ, ୬ଟି କ୍ଷୁଦ୍ରଗଳ୍ପ ସଙ୍କଳନ, ୩ଟି ପ୍ରବନ୍ଧ ସଙ୍କଳନ ଏବଂ ଅଣ କଥା ସାହିତ୍ୟ, ଆତ୍ମଜୀବନୀ ଓ ଜୀବନୀ ଗ୍ରନ୍ଥ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ୨୦୨୦ ଫେବୃଆରୀ ୨୫ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ବିଜେତାମାନଙ୍କୁ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ଆକାରରେ ଏକ ତାମ୍ର ଫଳକ, ଏକ ଚାଦର ସହ ୧ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ।

ବିଭିନ୍ନ ଭାଷାର ପୁରସ୍କାର ବିଜେତାମାନଙ୍କୁ ଚୟନ କରିବା​‌ ପାଇଁ ଭାଷା ଭିତ୍ତିରେ ୩ଜଣିଆ ବିଚାରକ ମଣ୍ଡଳୀ ରହିଥିଲେ। ଓଡ଼ିଆ ଭାଷା ପାଇଁ ପୁରସ୍କାର ବିଜେତାଙ୍କୁ ବାଛିବା ପାଇଁ ଡକ୍ଟର ମାଳବିକା ରାୟ, ଉକ୍ଟର ଫନୀ ମହାନ୍ତି ଓ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ବିଚାରପତି ଭାର ବହନ କରିଥିଲେ।

Related Posts

About The Author

Add Comment