କୋଠାରରେ ନବନିର୍ମାଣ କୃଷକ ସଂଗଠନର ସମାବେଶ

Spread the love

ଧାମନଗର, ୨୯/୧୧ (ସନ୍ଧାନ ନିଉଜ) : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଧାମନଗର ବ୍ଳକର କୋଠାର ଠାରେ ଚାଷୀ ସମାବେଶ କରାଯାଇଛି । ଏହି ସମାବେଶରେ ଚାଷ ଓ ଚାଷୀର ସମସ୍ୟା ପ୍ରତି ସରକାରଙ୍କ ଉଦାସୀନ ମନୋଭାବର ତୀବ୍ର ସମାଲୋଚନା କରାଯାଇ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । କୋଠାର କଚେରୀ ଦାଣ୍ଡ ନିକଟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ପୁରୁଷ ମହିଳା ଚାଷୀଙ୍କୁ ନେଇ ନବନିର୍ମାଣ କୃଷକ ସଂଗଠନ ସମ୍ମିଳନୀରେ ପୌରହିତ୍ୟ କରିଥିଲେ ଧାମନଗର ବ୍ଳକ ସଂଯୋଜକ ପିତବାସ ମହାନ୍ତି । ଉପସ୍ଥିତ ନେତୃ ମଣ୍ଡଳୀ ସରକାରଙ୍କ ବିରୋଧରେ ବିଷୋଦଗାର କରି କ୍ରମାଗତ ବର୍ଷ ଧରି ସାଧାରଣ ଚାଷୀ ଧାନର ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଉପଯୁକ୍ତ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିଲେ । ଭଦ୍ରକ ଜିଲ୍ଳାରେ ୧୧୨ଟି ସମବାୟ ସମିତି କାର୍ଯ୍ୟ କରୁଥିବା ସ୍ଥଳେ ଗତ ବର୍ଷରୁ ହଜାର ହଜାର ପଞ୍ଜିକୃତ ଚାଷୀଙ୍କୁ ବିମାରାଶି ନ ମିଳିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇ ବାରମ୍ବାର ଦାବି ସ୍ୱତ୍ତେ ଏଥିପ୍ରତି କାହିଁକି ସରକାରୀ ସ୍ତରରେ ଧ୍ୟାନ ଦିଆଯାଉନି ତାହାକୁ ନେଇ ପ୍ରଶ୍ନ ଉଠାଯାଇଛି । ଭାଗଚାଷୀ ବ୍ୟାଙ୍କ ଓ ସମବାୟ ସଂସ୍ଥାରୁ ଋଣ ପାଇବାରୁ ବଞ୍ଚିତ ହେଉଥିବା ବେଳେ କାଳିଆ ଯୋଜନାର ସହାୟତା ରାଶି ଏ ପର୍ଯ୍ୟନ୍ତ ପ୍ରକୃତ ଚାଷୀ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛି ନବନିର୍ମାଣ କୃଷକ ସଂଗଠନ । ପ୍ରାଇସ, ପ୍ରେଷ୍ଟିଜ, ପେନସନର ମୂଳ ଦାବି ସହ କୃଷି ଓ କୃଷକର ବିବିଧ ସମସ୍ୟାକୁ ହେୟ ମନେକରୁଥିବା ସରକାରଙ୍କ ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ସମାବେଶରେ ଯୋଗ ଦେଇଥିବା ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ବରିଷ୍ଠ ଚାଷୀନେତା ସ୍ୱାଧିନତା ସଂଗ୍ରାମୀ ହୃଦାନନ୍ଦ ରାଉତ, ତିହିଡ଼ି ବ୍ଲକ ସଂଯୋଜକ ଗଗନ ବିହାରୀ ମହାନ୍ତି, ନିମାଇଁ ସାହୁ ପ୍ରମୁଖ ପ୍ରକାଶ କରିଥିଲେ । ଅରୁଣ ବାରିକ, ଶେଖର ବେହେରା, ଦୀନବନ୍ଧୁ ଜେନା, ଶ୍ରୀକାନ୍ତ ଜେନା, ଭାଷ୍କର ରାଉତ, ସତ୍ୟଜିତ ବୋଇତି, ପିତାମ୍ବର ସାହୁ, ଅଜୟ ପୁଣ୍ଟିଆ, ହେମନ୍ତ ଜେନା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Related Posts

About The Author

Add Comment