ମାଣତ୍ରୀ,୧୭/୯ (ସନ୍ଧାନ ନ୍ୟୁଜ୍, ): ବଡ଼ ସାହି ତହସିଲ ଅଧୀନରେ ଥିବା ବୁଢ଼ାବଳଙ୍ଗ ନଦୀର କୁଳିଅଣା ଘାଟରୁ ବେଆଇନ ଭାବେ ବାଲିଚାଲାଣ ହେଉଛି । ଏହା ଉପରେ ରୋକ୍ ଲଗାଇବାରେ ବିଭାଗୀୟ ଅଧିକାରୀ ବିଫଳ ହୋଇଛନ୍ତି । ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବଡ଼ସାହି ତହସିଲ ଅଧୀନ କୋଚିଳାଖୁଣ୍ଟା ପଞ୍ଚାୟତ ବାଗୁଲୀ ବାଲି ଖାଦାନରୁ ସରକାରଙ୍କ ମାଇନଂ ପ୍ଲାନ୍ ଅନୁଯାୟୀ ମୋଟ ଦୁଇ ହଜାର ଘନଫୁଟ୍ ବାଲି ଉତ୍ତୋଳନ କରି ଚାଲାଣ କରିବାର ନିୟମ ରହିଛି । ମାତ୍ର ବର୍ତ୍ତମାନ କେନ୍ଦୁଢ଼ିଆ ପଞ୍ଚାୟତ ଅଧୀନରେ ଥିବା କୁଲିଅଣା ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଛି । କାହା ସ୍ୱାର୍ଥରେ ବେଆଇନ ଭାବେ ଏହି ବାଲିଚାଲାଣ ହେଉଛି ତାହା ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୁଳିଅଣା ନଦୀ ଘାଟରୁ ଦିନରାତି ଟ୍ରାକ୍ଟର ସାହାଯ୍ୟରେ ବାଲି ଉଠାଣ ଚାଲିଛି । ଉକ୍ତ ବାଲି ସବୁ ବଡ଼ସାହି ବ୍ଳକ୍ର ବେଳପାଳ, ତେନ୍ତଳ ଭଳି ବିଭିନ୍ନ ଅଞ୍ଚଳରେ ନିଛାଟିଆ ସ୍ଥାନ ଦେଖି ହଜାର ହଜାର ଚୁପ୍ ବାଲି ଗଚ୍ଛିତ କରି ରଖାଯାଉଛି । ଏହି ବାଲି ଗଚ୍ଛିତ ରଖିବା ପାଇଁ ମାଇନଂ ନିୟମ ଅନୁସାରେ ସରକାରୀ ସ୍ତରରେ ଲିଖିତ ଭାବେ ପରାମର୍ଶ ନେବାର ଆବଶକ ରହିଛି । କିନ୍ତୁ ଏ ବାବଦରେ କୌଣସି ସରକାରୀ । ପରାମର୍ଶ ନିଆଯାଉ ନାହିଁ । ଉକ୍ତ ବାଲିଘାଟକୁ ତୁରନ୍ତ ସିଜ୍ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । କୁଲିଅଣା ନଦୀଘାଟରୁ ବେଆଇନ ବାଲି ଉଠାଣ କରି ବଡ଼ଗମ୍ଭାରିଆ ଗ୍ରାମ ଦେଇ ବାଲିଗାଡ଼ି ପା’ ଆସ କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସପ୍ତାହ ପୂର୍ବରୁ ବଡ଼ସାହି ତହସିଲ ଅଧୀନ ଆରପଟା ନଦୀଶଯ୍ୟରେ ଦୁଇଟି ବାଲି ଉତ୍ତୋଳନ ମେସିନ୍ ଥିବା ଦେଖୁବାକୁ ମିଳିଥିଲା । ଏହାକୁ କିଏ ଏଠାରେ ରଖିଛି ସେ ସମ୍ପର୍କରେ ଜଣା ପଡ଼ିନି । ସୋସିଆଲ ମିଡିଆରେ ଭାଇରାଲ୍ ପରେ ମଧ୍ୟ ଏହି ଅତ୍ୟାଧିନିକ ବାଲି ଉଠାଣ ଡଙ୍ଗାକୁ ସିଜ୍ କରାଯାଇ ନ ଥିଲା । ବଡ଼ସାହି ବ୍ଳରେ ବେଆଇନ ବାଲିଚାଲାଣ କାର୍ଯ୍ୟ ପଛରେ ପ୍ରଶାସନିକ ଅଧିକାରୀଙ୍କ ସମର୍ଥନ ରହୁଛି ବୋଲି ଚର୍ଚ୍ଚା ହେଉଛି । ଏହି ବେଆଇନ ବାଲିଚାଲାଣ ସମ୍ପର୍କରେ ବଡ଼ସାହି ତହସିଲଦାରଙ୍କୁ ପଚାରିବାରୁ ସେ ଫୋନ୍ ଉଠାଇ ନ ଥିଲେ । ବେଆଇନ ବାଲିଚାଲାଣ ତୁରନ୍ତ ବନ୍ଦ କରାଯାଉ ଏବଂ ବେଆଇନ ଭାବେ ବାଲି ଉତ୍ତୋଳନ ସ୍ଥାନରେ ୧୪୪ ଧାରା ଜାରି କରିବା ପାଇଁ ଦାବି ଉଠିଛି । ଏହାସହ ନିୟମ ଭାଙ୍ଗି ବେଆଇନ ଉଠାଉଥିବା ଗାଡ଼ିଗୁଡ଼ିକୁ ଜବତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
କୁଳିଅଣା ଘାଟରୁ ବେଆଇନ ବାଲିଚାଲାଣ
|
September 17, 2020 |