‘କାଳିଆ’ର ମିଥ୍ୟା ବିଜ୍ଞାପନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି: ବିଜେପି

Spread the love

ଭୁବନେଶ୍ୱର ୯/୪ (ସନ୍ଧାନ ନିୟୁଜ): ‘କାଳିଆ’ ଯୋଜନାର ମିଥ୍ୟା ବିଜ୍ଞାପନ ଦେଇ ବିଜେଡି ଚାଷୀମାନଙ୍କୁ ପ୍ରଲୋଭିତ କରୁଛି। ଏହି ଯୋଜନାରେ ଭୋଟରଙ୍କୁ ଭୋଟ୍‌ ମାଗୁଛି। ଯାହାକୁ ବିଜେପି ବିରୋଧ କରିଛି। ଏହାର ପ୍ରତିବାଦରେ ଆଜି ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କାଳିଆ ଯୋଜନାର ମିଥ୍ୟା ବିଜ୍ଞାପନ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, “ଗତକାଲି ବିଭିନ୍ନ ଖବର କାଗଜରେ ‘କାଳିଆ’କୁ ନେଇ ଏକ ବିଜ୍ଞାପନ ପ୍ରକାଶ ପାଇଛି। ବିଜ୍ଞାପନରେ “ବିଜୁ ଜନତା ଦଳର ସରକାର ଗଠନର ପ୍ରଥମ ଦିନରେ ହିଁ ବାକିଥିବା ୨୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାର ଦୁଇ କିସ୍ତି ୧୦ ହଜାର ଟଙ୍କା ଏକା ଥରକେ ପାଇବେ” ବୋଲି ଲେଖାଯାଇଛି। ଏହି ଲିଖିତ ବିଜ୍ଞାପନ ତଳେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ରହିଛି। ଭାରତ ଦଣ୍ଡବିଧାନ ଆଇନ୍‌ ଧାରା ୧୭୧(B) ଓ ୧୭୧(F) ଦ୍ୱାରା ନବୀନ ବାବୁ ଦେଇଥିବା ପ୍ରତିଶ୍ରୁତି ସଂପୂର୍ଣ୍ଣରୂପେ ବେଆଇନ୍‌। ଏହା ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛି।”ଶ୍ରୀ ମହାନ୍ତି ଆହୁରି କହିଛନ୍ତି,“ପ୍ରକାଶ ପାଇଥିବା ବିଜ୍ଞାପନର ତଳେ ଆମର କାଳିଆ ଯୋଜନାରେ ଏହି ପର୍ଯ୍ୟନ୍ତ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି ବୋଲି ଲେଖାଯାଇଛି। ବିଜ୍ଞାପନରେ ଆମର କାଳିଆ ଯୋଜନା ଲେଖିବା ଅର୍ଥାତ ସରକାରୀ ଯୋଜନାକୁ ବିଜୁ ଜନତା ଦଳ ଆମର ବୋଲି ଦାବି କରି ବେନିୟମ ଭାବେ ଭୋଟରଙ୍କୁ ଭୂଆଁ ବୁଲାଇ ପ୍ରତାରଣା କରୁଛି। କାଳିଆ ଯୋଜନାରେ ହିତାଧିକାରୀଙ୍କର ତାଲିକା ବିଜେଡି କେଉଁଠାରେ ପ୍ରକାଶ କରିନାହିଁ। ଏବେ ଆଉ ୨୫ ଲକ୍ଷ ଚାଷୀଙ୍କ ତାଲିକା ପ୍ରସ୍ତୁତ ହୋଇଛି କହି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ସହ ଲକ୍ଷ ଲକ୍ଷ ଭୋଟରଙ୍କୁ ପ୍ରତାରିତ କରିଛନ୍ତି।”ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠର ମୁଖ୍ୟ ସଂଯୋଜକ ରବିଶଙ୍କର ପଟ୍ଟନାୟକ, ସଂଯୋଜକ ଜୟନ୍ତ ଜେନା ଓ ଆଇନ୍‌ଜୀବୀ ସୂର୍ଯ୍ୟ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Related Posts

About The Author

Add Comment