କର୍ମ କ୍ଷେତ୍ରକୁ ବାହୁଡ଼ାଣୀ ବେଳେ ଟ୍ରେନ ଚକାତଳେ ଶ୍ରମିକଙ୍କ ଜୀବନ ଗଲା

Spread the love

ବ୍ରହ୍ମପୁର ୨୦/୧୦ (ସନ୍ଧାନ ନ୍ୟୁଜ୍) :- ପୋଲସରା ସହରର ଜଣେ କୁଶଳୀ ଶ୍ରମିକ ସୁରାଟକୁ ଗଲାବେଳେ ବାଲୁଗାଁ ରେଳ ଷ୍ଟେସନରେ ଚଳନ୍ତି ଟ୍ରେନରେ ଚଢୁଥିବା ବେଳେ ଖସିପଡି ଟ୍ରେନ ଚକାତଳେ ପଡି ଜୀବନ ହରାଇଥିବା ଜଣାପଡିଛି। ଗତ ଅକ୍ଟୋବର ୧୭ ତାରିଖରେ ପୋଲସରା ସହର, ୧୧ ନଂ ୱାର୍ଡ, ମାଧବ ପୃଷ୍ଟି ସାହିର ପ୍ରଫୁଲ ସାହୁ(୪୭) ଓ ଖଲ୍ଲିକୋଟ ନିକଟ କହ୍ନେଇପୁର ଗ୍ରାମର ଝଡ଼ିଆ ସ୍ଵାଇଁ(୪୦) ଦୁହେଁ ମିଶି ନିଜ ପରିବାର ପ୍ରତିପୋଷଣ ପାଇଁ କାମ କରିବାକୁ ସୁରାଟ ଯିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ୨୯୭୪ ରେ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଟ୍ରେନରେ ବସିଥିଲେ। ସେଦୁହେଁ ପୂର୍ବରୁ ଟିକେଟ କରି ସିଟ ରିଜର୍ଭ କରିଥିଲେ ମଧ୍ୟ ସଠିକ ଜାଣିନପାରି ଅନ୍ୟ ଏକ ବଗିରେ ବସିଥିଲେ। ଚଳନ୍ତି ଟ୍ରେନରେ ଟ୍ରେନ ଟିକେଟ ନିରୀକ୍ଷକ ସେମାନଙ୍କ ଟିକେଟ ତନଖି ସେଦୁହେଁ ଭୁଲ ଜାଗାରେ ବସିଥିବା ପ୍ରକାଶ କରି ପରବର୍ତ୍ତୀ ଷ୍ଟେସନରେ ନିଜ ରିଜର୍ଭ ସିଟ ବଗିକୁ ଯିବାକୁ ପରାମର୍ଶ ଦେଇଥିଲେ। ଟ୍ରେନ ପରବର୍ତ୍ତୀ ଷ୍ଟେସନ ବାଲୁଗାଁରେ ଦୁଇ ମିନିଟ ପାଇଁ ରହିଥିବା ବେଳେ ସେଦୁହେଁ ବସିଥିବା ବଗିରୁ ନିଜ ରିଜର୍ଭ ବଗିକୁ ଯିବାକୁ ଓହ୍ଲାଇ ଥିଲେ। ଝଡ଼ିଆ ଶୀଘ୍ର ଯାଇ ନିଜ ବଗିରେ ଚଢିଥିବା ବେଳେ ପ୍ରଫୁଲ ଶୀଘ୍ର ଯାଇପାରି ନଥିଲେ। ଏହି ସମୟରେ ଟ୍ରେନ ଷ୍ଟେସନ ଛାଡିବା ଆରମ୍ଭ କରିବାରୁ ଯେଉଁ ବଗି ନିକଟରେ ପ୍ରଫୁଲ ଥିଲେ ସେହି ବଗିରେ ଚଢ଼ିବାକୁ ଚେଷ୍ଟା କଲାବେଳେ ହାତ ଖସିଯିବା ଯୋଗୁ ଟ୍ରେନ ଚକା ତଳେ ପଡିଯାଇଥିଲେ। ଏହି ଦୃଶ୍ୟ ଦେଖି ଟ୍ରେନରେ ବସିଥିବା ଜଣେ ବ୍ୟକ୍ତି ତୁରନ୍ତ ଜରୁରୀ କାଳୀନ ସତର୍କ ଶିକୁଳି ଟାଣିବା ଯୋଗୁଁ ଗାଡି ଅଟକି ଥିଲା। ଟ୍ରେନ ଚକାତଳେ ପଡି ଗୁରୁତର ଆହତ ପ୍ରଫୁଲଙ୍କୁ ରେଳ ବିଭାଗ ପୋଲିସ ସହଯୋଗରେ ଉଦ୍ଧାର କରି ସାଥିରେ ଥିବା ଝଡ଼ିଆ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ ମେଡିକାଲ ନେବା ବାଟରେ ପ୍ରଫୁଲଙ୍କ ଜୀବନ ଚାଲିଯାଇଥିଲା। ବ୍ରହ୍ମପୁରରେ ଡାକ୍ତର ପ୍ରଫୁଲଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ବ୍ରହ୍ମପୁର ରେଳବିଭାଗ ପୋଲିସ ପ୍ରଫୁଲଙ୍କ ମରଶରୀର ଜବତ କରି ଶବ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକଙ୍କୁ ୧୮ ତାରିଖ ଦିନ ହସ୍ତାନ୍ତର କରିଥିଲେ। ଶୋକକୁଳ ପରିବେଶ ମଧ୍ୟରେ ପ୍ରଫୁଲଙ୍କ ଶବ ସଂସ୍କାର ପୋଲସରରେ ହୋଇଥିଲା। ମନୁଷ୍ୟ ଜନ୍ମ ହେଲେ ମରଣ ସୁନିଶ୍ଚିତ। ଏହା ନିରାଟ ସତ୍ୟ। ହେଲେ ଏହି ଘଟଣା ସହ ସୁରାଟରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ବରଣ କ୍ଷେତ୍ରରେ ଶ୍ରମିକଙ୍କ ପରିବାର ହତାଶ ହେବାର ବହୁ ଦୃଶ୍ୟ ନଜରକୁ ଆସିଛି।

Related Posts

About The Author

Add Comment