କବିତା ‘ଲକ୍ ଡାଉନ’

Spread the love

ବନ୍ଦୀ କରିଦେଲା ନିଜ ଘରେ ଏବେ
ଏରୁଣ୍ଡି ଡେଇଁବା ମନା,
କୋରୋନା ଭୟରେ ଏକାଠି ହୋଇଲେ
ବାପପୁଅ ହେଲେ ଚିହ୍ନା।

କୋରୋନା କୋରନା କଅଣ ବୋଲି ତ
କେହି ଜାଣିନାହିଁ ସିନା,
ସ୍ୱାମୀପାଇଁ ଏବେ ଭାବେ ଅର୍ଦ୍ଧାଙ୍ଗିନୀ
କରିବାକୁ ଗୋଟେ ବୀମା।

ସ୍ତ୍ରୀ ଦାରୁଣ ସ୍ୱାମୀ ବୁଝି ତ ପାରୁଛି
କେତେ ଧନ୍ଦାଥାଏ ଘରେ,
ଆଇଟମ କେତେ ପରଷେ ତ ସ୍ୱାମୀ
ହାତ ଦେଇ ରୋଷେଇରେ।

ସ୍ବଦେଶ ପେରେମ ଶିଖେଇ ଦେଲାରେ
ଦୁର୍ଶ୍ୟହୀନ ଶତ୍ରୁ ଭୟେ,
ବର୍ଷ ବର୍ଷ ପରେ ଫେରେ ସେ ଗାଁଆକୁ
ନାକ ଟେକୁଥିଲା ଯିଏ।

ପରିବାର ଆଜି ହେଲେ ଏକଜୁଟ
ସମ୍ପର୍କ ମରମ ବୁଝି,
ରାମାୟଣ ଦେଖି ପାଇଯିବା ସିନା
ନିଜ ସଂସ୍କୃତିକୁ ଖୋଜି।

ପ୍ରଦୂଷଣ ମୁକ୍ତ ପବନ ମିଳୁଛି
ଶାନ୍ତ କେତେ ପରିବେଶ,
ନାହିଁ ଗାଡି ଶବ୍ଦ ନାହିଁ କୋଳାହଳ
ସହଜେ ନେଉ ନିଶ୍ୱାସ।

କିଚିରି ମିଚିରି ଶବ୍ଦ ଶୁଣେ କାନ
ଶୁଣିଥିଲା କେଉଁ କାଳୁ,
ଗାଁଆ ଦାଣ୍ଡେ ଆଜି ଚଢ଼େଇଙ୍କ ମେଳି
ଦେଖିଥିଲା ପିଲା ବେଳୁ।

ଇଚ୍ଛାରେ କରନ୍ତି ବିଚରଣ ପଶୁ
କେତେ ଖୁସି ଆନନ୍ଦରେ,
ମୁକତିର ଖୁସି ସତେ ଜାଣିହୁଏ
ନକହି ପାରିଲେ ଶବ୍ଦରେ।

ପ୍ରକୃତିର ଆମେ ସମ୍ମାନ ରଖିବା
ଆମର ହେବ ପ୍ରକୃତି,
ଖେଳିଲୁ ବୋଲି ତ ଦେଖେଇ ଦେଲା ସେ
ହେଲା ଭୟଙ୍କର ସ୍ଥିତି।

ଲକ୍ ଡାଉନ ମାନି ଘରେ ରହିଯିବା
ଆଉ ମାତ୍ର କିଛି ଦିନ,
କୋରୋନାକୁ ଜୟ କରିବା ଅଥବା
ସିଏ ନେଇଯିବ ପ୍ରାଣ।

✍️କମଳାକାନ୍ତ ଦାସ
ବରୀ, ଯାଜପୁର/ ଝାରସୁଗୁଡା

Related Posts

About The Author

Add Comment